ଦେଶରେ ଉପରମୁହାଁ କରୋନା ଗ୍ରାଫ୍ : ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ପାଖାପାଖି, ମହାରାଷ୍ଟ୍ର ପାଇଁ ବେଶୀ ଚିନ୍ତା

Published By : Prameya-News7 Bureau | May 06, 2020 IST

ନୂଆଦିଲ୍ଲୀ ୦୬/୦୫ : ଦେଶରେ ୫୦ ହଜାର ଛୁଇଁବାକୁ ବସିଛି କରୋନା ଆକ୍ରାନ୍ତ ସଂଖ୍ୟା । ହୁ ହୁ ବଢି ଚାଲିଛି ଗ୍ରାଫ୍ । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଆକ୍ରାନ୍ତଙ୍କ ସଂଖ୍ୟା ୪୯ ହଜାର ୩୯୧ । ମୃତ୍ୟୁ ସଂଖ୍ୟା ୧୬୯୪ । ୧୪ ହଜାର ୧୮୩ ଜଣ ସୁସ୍ଥ ହୋଇଛନ୍ତି । ଅର୍ଥାତ୍ ୨୮.୭୧ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି । ୩୩ ହଜାର ୫୧୪ ଆକ୍ଟିଭ୍ କେସ୍ ରହିଛି ।ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୯୫୮ ନୂଆ ମାମଲା ସାମ୍ନାକୁ ଆସିଛି । ଏହି ସମୟ ମଧ୍ୟରେ ୧୨୬ ଜଣଙ୍କ ଜୀବନ ଯାଇଛି । ଏଯାଏ ୧୨ ଲକ୍ଷ ୭୬ ହଜାର ୭୮୧ ଜଣଙ୍କ ସାମ୍ପଲ ଟେଷ୍ଟ କରାଗଲାଣି ।

ଦେଶରେ ସବୁଠୁ ଚିନ୍ତାଜନକ ସ୍ଥିତି ମହାରାଷ୍ଟ୍ରର । ମହାରାଷ୍ଟ୍ର ସ୍ଥିତି ବିଗିଡିବାରେ ଲାଗିଛି । ରାଜ୍ୟର ୩୬ ଜିଲ୍ଲାରୁ ୩୪ କରୋନା ପ୍ରଭାବିତ । ମୁମ୍ବାଇ, ପୁନେ, ଥାନେ, ନାସିକ, ଔରଙ୍ଗାବାଦ, ନାଗପୁର ଏବଂ ସୋଲାପୁର ବେଶୀ ଚିନ୍ତା ବଢାଇଛନ୍ତି । ମହାରାଷ୍ଟ୍ରରେ ୧ ହଜାର ୨୬ କଣ୍ଟେନମେଣ୍ଟ ଜୋନ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ରାଜ୍ୟର ସ୍ଥିତି ନେଇ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ମହାରାଷ୍ଟ୍ରରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୫୨୫ । ମୃତ୍ୟୁ ସଂଖ୍ୟା ୬୧୭ ।  ମହାରାଷ୍ଟ୍ର ପଛକୁ ରହିଛି ଗୁଜରାଟ । ଏଠି ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୨୪୫ ଏବଂ ମୃତ୍ୟୁ ସଂଖ୍ୟା ୩୬୮ ।  ଏହା ପଛକୁ ରହିଛନ୍ତି ଦିଲ୍ଲୀ, ତାମିଲନାଡୁ, ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶ । ରାଜଧାନୀ ନୂଆଦିଲ୍ଲୀରେ ୫୧୦୪ ଆକ୍ରାନ୍ତ ଓ ୬୪ ମୃତ, ତାମିଲନାଡୁରେ ୪୦୫୮ ଆକ୍ରାନ୍ତ ଓ ୩୩ ମୃତ, ରାଜସ୍ଥାନରେ ୩୧୯୩ ଆକ୍ରାନ୍ତ ଓ ୯୦ ମୃତ ।

ସବୁଠୁ ଚିନ୍ତାର ବିଷୟ ହେଲା ଏବେ ଦେଶରେ ପାଖାପାଖି ୫୪୮ ଜଣ ଡାକ୍ତର, ନର୍ସ ଏବଂ ପାରାମେଡିକାଲ ଷ୍ଟାଫ୍ COVID-19 ସଂକ୍ରମିତ । କେବଳ ଦିଲ୍ଲୀରେ ୬୯ ଜଣ ଡାକ୍ତର ସଂକ୍ରମିତ ଅଛନ୍ତି । ଆଜି ଦିଲ୍ଲୀ ଭାରତ ନଗର ଥାନାର ଜଣେ ପୋଲିସ କର୍ମଚାରୀ କରୋନାରେ ଆଖି ବୁଜିଛନ୍ତି । ସେପଟେ  ସେନା ଏବଂ ଅର୍ଧସାମରିକ ବାହିନୀରେ କରୋନା ପଜିଟିଭ୍ ସଂଖ୍ୟା ବଢି ଚାଲିଛି । ଭାରତୀୟ ସୀମା ସୁରକ୍ଷା ବଳର ଆଉ ୮୫ ଯବାନ କରୋନା ଆକ୍ରାନ୍ତ ହୋଇଛନ୍ତି । ଗତ କାଲି ୬୯ ଜଣ ସଂକ୍ରମିତ ଥିବା ଜଣାପଡ଼ିଥିଲା ।  ଏହାକୁ ମିଶାଇ ବିଏସ୍‌ଏଫର ୧୫୪ ଜଣ ସଂକ୍ରମିତ ହେଲେଣି ।  ୬୦ ଟି ଟ୍ରୁପ ଏବଂ ୬ ଟି ଏସକଟ୍ ଟିମ୍ ର ଏହି ଯବାନମାନେ ଦିଲ୍ଳୀ ଏବଂ ପଶ୍ଚିମବଙ୍ଗରେ କାର୍ଯ୍ୟରତ ଥିଲେ ।  ଏମାନଙ୍କ ମଧ୍ୟରୁ ତ୍ରିପୁରା ଫ୍ରଣ୍ଟିୟରର ସର୍ବାଧିକ ୩୭ ଯବାନ ଅଛନ୍ତି ।  ସିଆରପିଏଫରେ ଏପର୍ଯ୍ୟନ୍ତ ୧୨୭ ଜଣ କରୋନା ସଂକ୍ରମିତ ଥିବାବେଳେ ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.