ଆସାମ ବାଲ୍ୟ ବିବାହ ଗିରଫଦାରୀ ସଂଖ୍ୟା ୩ ହଜାର ପାଖାପାଖି ପହଞ୍ଚିଲା; ୭୮ ମହିଳା ବି ଆରେଷ୍ଟ
9/02/2023 at 10:21 PM

ଦିଶପୁର: ଆସାମରେ ବାଲ୍ୟ ବିବାହ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଗିରଫଦାରୀ ଜାରି ରହିଛି। ବର୍ତ୍ତମାନ ସୁଧା ରାଜ୍ୟରେ ୨୬୬୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୪୦୭୧ ମାମଲା ରୁଜୁ ହୋଇଛି। ଗିରଫଦାରୀକୁ ନେଇ ରାଜ୍ୟରେ ବିଭିନ୍ନ ହୋହଲ୍ଲା ଜାରି ରହିଛି।
ମହିଳା ଓ ପୁରୁମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତଥାପି ଆସାମର ହିମନ୍ତ ବିଶ୍ୱଶର୍ମାଙ୍କ ସରକାର ଗିରଫଦାରୀରୁ ପଛକୁ ହଟୁ ନାହାନ୍ତି। ଏହି ଗିରଫଦାରୀ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିସାରିଛନ୍ତି। ଆଜି ଟ୍ୱିଟ୍ କରି ରାଜ୍ୟବାସୀ ବାଲ୍ୟ ବିବାହ ପ୍ରଥା ରୋକିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଫେବ୍ରୁଆରୀ ୭ ତାରିଖ ସୁଧା ମୋଟ ୨୫୨୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୪,୦୭୪ ଟି ମାମଲା ରୁଜୁ ହୋଇଛି। ଗିରଫଙ୍କ ମଧ୍ୟରେ ୭୮ ଜଣ ମହିଳା ମଧ୍ୟ ଅଛନ୍ତି ବୋଲି ଇଣ୍ଡିଆନ ଏକ୍ସପ୍ରେସ୍ ରିପୋର୍ଟ କରିଛି। ଏତେ ସଂଖ୍ୟକ ଗିରଫଦାରି ହୋଇଥିବା ବେଳେ ଗୋଲାପାରାରରେ ଏକ କ୍ୟାମ୍ପ ଓ ସିଲଚରରେ ଏକ ଷ୍ଟାଡିୟମକୁ ଅସ୍ଥାୟୀ ଜେଲ୍ରେ ପରିଣତ କରାଯାଇଛି। ସୂଚନା ଥାଉକି ଆସାମରେ ମାତୃ ଓ ଶିଶୁ ମୃତ୍ୟୁ ହାର ଅଧିକ ରହୁଥିବାର ବାଲ୍ୟ ବିବାହ ପ୍ରତି ଏଭଳି କଡ଼ା ଆଭିମୁଖ୍ୟ ଆପଣାଇଛନ୍ତି ଆସାମ ସରକାର।