ଆଇଏମଏଫର ପୂର୍ବାନୁମାନ- ଚଳିତ ବର୍ଷ ନିମ୍ନଗାମୀ ରହିବ ଅର୍ଥବ୍ୟବସ୍ଥା, କିନ୍ତୁ ୨୦୨୧ରେ ଚୀନକୁ ପଛରେ ପକାଇବ ଭାରତ

Published By : Prameya-News7 Bureau | October 13, 2020 IST

ନୂଆଦିଲ୍ଲୀ ୧୩।୧୦: ଚଳିତ ଆର୍ଥିକ ବର୍ଷ  ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ କିଛି ଠିକ୍ ରହିନାହିଁ। କିନ୍ତୁ ୨୦୨୧ରେ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷର ଏହି ପୂର୍ବାନୁମାନରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଗତ ସପ୍ତାହରେ ବିଶ୍ଵ ବ୍ୟାଙ୍କ କହିଥିଲା ଯେ, ଭାରତର  ଜିଡିପି ଚଳିତ ଆର୍ଥିକ ବର୍ଷରେ ୯.୬ ପ୍ରତିଶତ ହ୍ରାସ ଘଟିବ। ଏହା ବ୍ୟତୀତ ମୁଡିଜ୍ ସମେତ ଅନେକ ବଡ ରେଟିଂ ଏଜେନ୍ସି ଜିଡିପି ହ୍ରାସ ଘଟିବ ବୋଲି ପୂର୍ବାନୁମାନ କରିଥିଲେ।

ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ଅନୁଯାୟୀ କରୋନା ଭାଇରସ୍‌ରେ ସଂପୂର୍ଣ୍ଣ ପ୍ରଭାବିତ ଭାରତୀୟ ଅର୍ଥବ୍ୟବସ୍ଥା ଚଳିତ ଆର୍ଥିକ ବର୍ଷରେ ୧୦.୩ ପ୍ରତିଶତ ବଡ ହ୍ରାସ ହେବ ବୋଲି ଅନୁମାନ କରାଯାଇଛି। ଏହା ସହିତ ଆଇଏମଏଫ ଆଶା କରିଛି ଯେ, ୨୦୨୧ରେ ଭାରତୀୟ ଅର୍ଥବ୍ୟବସ୍ଥାରେ ସମ୍ଭବତଃ ୮.୮ ପ୍ରତିଶତ ଅଭିବୃଦ୍ଧି ହାରରେ ଆଗକୁ ବଢିବ।  

ଏଥିସହ ଭାରତ ୨୦୨୧ରେ  ଚୀନକୁ ପଛରେ ପକାଇ ଦ୍ରୁତ ବେଗରେ ଆର୍ଥିକ ବିକାଶ କରୁଥିବା ଦେଶରେ ପରିଣତ ହୋଇଯିବ। ଆଇଏମଏଫ ଅନୁଯାୟୀ ୨୦୨୧ରେ ଚୀନର ଅଭିବୃଦ୍ଧି ହାର ୮.୨ ପ୍ରତିଶତ ରହିପାରେ। ଯାହାକୁ ଭାରତ ଅତିକ୍ରମ କରି ୮.୮ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିବ।

ଆଇଏମଏଫର ତାଜା ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ବିଶ୍ଵ ଅର୍ଥବ୍ୟବସ୍ଥାରେ ୪.୪ ପ୍ରତିଶତ ହ୍ରାସ ଘଟିପାରେ। କିନ୍ତୁ ୨୦୨୧ରେ ୫.୨ ପ୍ରତିଶତ ଜୋରଦାର ବୃଦ୍ଧି ସହ ଆଗକୁ ବଢିବାର ଅନୁମାନ କରାଯାଇଛି। ୨୦୨୦ରେ ଦୁନିଆର ପ୍ରମୁଖ ଅର୍ଥବ୍ୟବସ୍ଥା ମଧ୍ୟରୁ କେବଳ ଚୀନରେ ଅଭିବୃଦ୍ଧିହାର ୧.୯ ପ୍ରତିଶତ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.