ବିଦେଶରୁ ଗହମ ଆମଦାନୀ କରିବନି ଭାରତ, ସରକାର କହିଲେ-ଆମ ପାଖରେ ପର୍ଯ୍ୟାପ୍ତ ଅଛି
21/08/2022 at 4:40 PM

ନୂଆଦିଲ୍ଲୀ: ବିଦେଶରୁ ଗହମ ଆମଦାନୀ କରିବା ଖବରକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଭାରତକୁ ଗହମ ଆମଦାନୀର କରିବାର କୌଣସି ଯୋଜନା ନାହିଁ । ଉଲ୍ଲେଖଯୋଗ୍ୟ, ଗତ ଦିନରେ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଗହମ ଉତ୍ପାଦନ ଉପରେ ପ୍ରଭାବ ପଡିଥିଲା । ଏହା ପରେ ଭାରତ ସରକାର ବିଦେଶରୁ ଗହମ ଆମଦାନୀ କରିବାକୁ ଚିନ୍ତା କରୁଥିବା ଖବର ସାମନାକୁ ଆସିଥିଲା। ଏବେ ସରକାର ଏହାକୁ ଖଣ୍ଡନ କରିଛନ୍ତି।
ଖାଦ୍ୟ ଏବଂ ଯୋଗାଣ ବିଭାଗ ପକ୍ଷରୁ ଏହା ଉପରେ ସ୍ପଷ୍ଟୀକରଣ ଜାରି କରାଯିବା ସହ ଖବରକୁ ଖଣ୍ଡନ କରାଯାଇଛି । ବିଭାଗ କହିଛି, ଆମ ଘରୋଇ ଆବଶ୍ୟକତାକୁ ପୂରଣ କରିବା ପାଇଁ ଦେଶରେ ପର୍ଯ୍ୟାପ୍ତ ଖାଦ୍ୟ ସାମଗ୍ରୀ ମହଜୁଦ ରହିଛି । ଏହାଛଡା ଭାରତୀୟ ଖାଦ୍ୟ ନିଗମ ନିକଟରେ ପର୍ଯ୍ୟାପ୍ତ ସାମଗ୍ରୀ ମହଜୁଦ ରହିଛି ।
ରୁଷ-ୟୁକ୍ରେନ ଯୁଦ୍ଧ ପରେ ଭାରତ ସରକାର ମେ ୧୩ରେ ଗହମ ରପ୍ତାନୀ ଉପରେ ରୋକ ଲଗାଇଥିଲେ । ଏହା ପୂର୍ବରୁ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଥିଲେ, ସାରା ଦୁନିଆରେ ଅନିଶ୍ଚିତତା ଲାଗି ରହିଛି । ଏପରି ସ୍ଥିତିରେ ଯଦି ରପ୍ତାନୀ ଆରମ୍ଭ କରାଯାଏ ତେବେ କଳାବଜାରୀ ବଢିବାର ସମ୍ଭାବନା ଅଧିକ ହେବ । ଏହାଦ୍ୱାରା ସେହି ଦେଶ ଗୁଡିକ ଲାଭ ପାଇ ପାରିବେ ନାହିଁ, ଯେଉଁମାନଙ୍କୁ ଖାଦ୍ୟର ଅବଶ୍ୟରତା ରହିଛି । ଆମର ଏହି ନିଷ୍ପତ୍ତିର ପ୍ରଭାବ ବୈଶ୍ୱିକ ବଜାର ଉପରେ ପଡିବ ନାହିଁ ।