ଜର୍ମାନୀ ଏବଂ ପାକିସ୍ତାନର ମିଳିତ ପ୍ରେସ୍ କନଫରେନ୍ସିଂକୁ ଭାରତର ନିନ୍ଦା, ବୈଦେଶିକ ମନ୍ତ୍ରାଳୟ ଦେଲା ବଡ଼ ବୟାନ

Published By : Prameya-News7 Bureau | October 08, 2022 IST

ନୂଆଦିଲ୍ଲୀ: ଶୁକ୍ରବାର ବର୍ଲିନରେ ପାକିସ୍ତାନ ଏବଂ ଜର୍ମାନୀ ପକ୍ଷରୁ କରାଯାଇଥିବା ମିଳିତ ସାମ୍ୱାଦିକ ସମ୍ମିଳନୀକୁ ନିନ୍ଦା କରିଛି ଭାରତ । ଶନିବାର ଦୁଇ ଦେଶର ମିଳିତ ପ୍ରେସ୍ କନଫରେନ୍ସିଂକୁ ସମାଲୋଚନା କରି ବୈଦେଶିକ ମନ୍ତ୍ରାଳୟ କହିଛି, ବିଶ୍ୱ ସମୁଦାୟର ସମସ୍ତ ସମ୍ୱେଦନଶୀଳ ଏବଂ କର୍ତ୍ତବ୍ୟବାନ ସଦସ୍ୟ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦକୁ ଶେଷ କରିବା ପାଇଁ ଦାୟିତ୍ବବାନ ହେବା ଦରକାର । ଭାରତରେ ଜାମ୍ମୁ କାଶ୍ମୀର ଦଶନ୍ଧି ଦଶନ୍ଧି ଧରି ଏପରି ଆତଙ୍କବାଦୀ ଅଭିଯାନର କ୍ଷତି ସହୁଛି ।

ମନ୍ତ୍ରାଳୟ କହିଛି, କାଶ୍ମୀରରେ ଏହା ଆଜି ଯାଏଁ ଜାରି ରହିଛି ଏବଂ ଏହି ଆତଙ୍କୀ ଆକ୍ରମଣରେ ବିଦେଶୀ ନାଗରିକ ମଧ୍ୟ ଶିକାର ହୋଇଛନ୍ତି । ଏହାସହ ମନ୍ତ୍ରାଳୟ କହିଛି, 'ଯେତେବେଳେ ଅନ୍ୟ ଦେଶ କୌଣସି ସ୍ୱାର୍ଥ କିମ୍ୱା ଉଦାସନୀତା କାରଣରୁ ଏପରି ବିପଦକୁ ଚିହ୍ନନ୍ତି ନାହିଁ ତେବେ ସେମାନେ ଏହାକୁ ପ୍ରୋତ୍ସାହିତ କରନ୍ତି ଏବଂ ଶାନ୍ତି ଭଙ୍ଗ କରନ୍ତି । ଏହାସହ ସେମାନେ ଆତଙ୍କବାଦରେ ପୀଡିତଙ୍କ ପ୍ରତି ଅନ୍ୟାୟ କରୁଛନ୍ତି'।

ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ପାକିସ୍ତାନର ବିଦେଶ ମନ୍ତ୍ରୀ ବିଲାବଲ ଭୁଟୋ ଏବଂ ତାଙ୍କ ଜର୍ମାନୀ ସମକକ୍ଷ ଏନାଲେନା ଏକ ମିଳିତ ପ୍ରେସ କନଫରେନ୍ସିଂ କରିଥିଲେ । ଏଥିରେ ପାକିସ୍ତାନ ବିଦେଶ ମନ୍ତ୍ରୀ କାଶ୍ମୀର କଥା ଉଠାଇ ଜାମ୍ମୁ କାଶ୍ମୀରରେ ମାନବାଧିକାର ପାଳନ କରାଯାଉ ନଥିବା କହିଥିଲେ । କେବଳ ଏତିକି ନୁହେଁ, ଜାମ୍ମୁ କାଶ୍ମୀର ବିବାଦର ଶାନ୍ତିପୂର୍ଣ୍ଣ ସମଧାନ ନହେବା ଯାଏଁ ଦକ୍ଷିଣ ଏସିଆରେ ଶାନ୍ତି ସ୍ଥାପନା ସମ୍ଭବ ନୁହେଁ ବୋଲି କହିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.