ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ ଏନଡିଏକୁ ମିଳିଥିବା ବହୁମତ ପରେ ଏବେ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି। ଏହାରି ମଧ୍ୟ ଏନଡିଏ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ମଧ୍ୟ ଜଣାଇସାରିଛି। ଆଉ ଏହା ସହ ଜୁନ୍ ୯ରେ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ଏହା ପୂର୍ବରୁ ଶୁକ୍ରବାର ଏନଡିଏ ତରଫରୁ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଚୟନ କରାଯାଇଥିଲା। ଏହି ଅବସରରେ ସମ୍ବୋଧନ ଦେବା ସମୟରେ ମୋଦୀ କହିଛନ୍ତି ‘‘ ପରସ୍ପର ଉପରେ ବିଶ୍ବାସ ହିଁ ଏହି ମେଣ୍ଟର ମୂଳ ଆଧାର। ଆଉ ସେମାନେ ‘ସର୍ବ ପଥ ସମଭାବ’ ସିଦ୍ଧାନ୍ତ ପ୍ରତି ପ୍ରତିବଦ୍ଧ।’’ ମୋଦୀ ଆହୁରି କହିଛନ୍ତି ‘ଯଦି ଆମେ ମେଣ୍ଟ ଇତିହାସ କଥା ଦେଖିବା ତେବେ ସଂଖ୍ୟା ହିସାବରେ ଏହା ସବୁଠୁ ମଜଭୁତ ମେଣ୍ଟ ସରକାର।’’ ନରେନ୍ଦ୍ର ମୋଦୀ ବିରୋଧୀ ଦଳଙ୍କ ଉପରେ ଟାର୍ଗେଟ କରି କହିଛନ୍ତି ‘‘ଆମେ କେବେ ହାରିନାହୁଁ।’’
ଏନଡିଏ ସଂସଦୀୟ ଦଳର ନେତା ବଛାଯିବା ପରେ ସେ କହିଛନ୍ତି ‘‘ଏହି ବିଜୟକୁ ସ୍ବୀକାର ନକରିବା... ଏହି ବିଜୟ ଉପରେ ପରାଜୟର ଛାୟା ପକାଇବାକୁ ଚେଷ୍ଟା କରାଯାଉଛି। କିନ୍ତୁ ଏଭଳି ପ୍ରୟାସ ବିଫଳ ହୋଇଛି’’
ବୈଠକରେ ତେଲୁଗୁ ଦେଶମ ପାର୍ଟୀ (ଟିଡିପି)ର ଏନ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁର ନୀତିଶ କୁମାର, ଶିବସେନାର ଏକନାଥ ସିନ୍ଦେ, ଏଲଜେପି (ରାମବିଲାସ)ର ଚିରାଗ ପାସଓ୍ବାନ, ଜେଡିଏସର ଏଚଡି କୁମାରସ୍ବାମୀ, ଏନସିପିର ଅଜିତ ପଓ୍ବାର, ଅପନା ଦଳ (ଏସ)ର ଅନୁପ୍ରିୟା ପଟେଲ, ଜନ ସେନା ପାର୍ଟୀ ପଓ୍ବନ କଲ୍ୟାଣ ଏବଂ ବିଜେପି ତଥା ଏନଡିଏର ଅନ୍ୟ ସହଯୋଗୀ ଦଳର ନବନିର୍ବାଚିତ ସଦସ୍ୟ ଭାଗ ନେଇଥିଲେ।