ନୂଆଦିଲ୍ଲୀ ୦୭/୦୬: ଶୁକ୍ରବାର ଏନ୍ଡିଏ ସଂସଦୀୟ ଦଳର ସଦସ୍ୟଙ୍କ ବୈଠକ ବସିବ । ଆଗାମୀ ୨-୩ ଦିନ ଭିତରେ ମୋଦିଙ୍କ ତୃତୀୟ ପାଳି କ୍ୟାବିନେଟ ଗଠନର ରୂପରେଖ ଚୂଡ଼ାନ୍ତ ହେବ ବୋଲି କୁହାଯାଉଛି । ଏନ୍ଡିଏର ପ୍ରମୁଖ ସହଯୋଗୀ ଟିଡିପି ଓ ଜେଡିୟୁ କେନ୍ଦ୍ର କ୍ୟାବିନେଟରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାବି କରିଛନ୍ତି ।
ଏପରିକି ବାଚସ୍ପତି ପଦ ସମେତ ସ୍ୱରାଷ୍ଟ୍ର, ଅର୍ଥ, ରେଳ ଆଦି ବିଭାଗ ସେମାନେ ଚାହୁଁଛନ୍ତି । ହେଲେ ଏସବୁ ଛାଡ଼ିବାକୁ ବିଜେପି ନାରାଜ । କୌଣସି ପରିସ୍ଥିତିରେ ସ୍ୱରାଷ୍ଟ୍ର, ପ୍ରତିରକ୍ଷା, ବିଦେଶ, ଅର୍ଥ, ରେଳ ଓ ଆଇଟି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ବିଜେପି ଛାଡ଼ିବାକୁ ପ୍ରସ୍ତୁତ ନାହିଁ । ସେହିଭଳି ଏଲଜେପିର ଚିରାଗ ପାଶ୍ୱାନ, ହାମ୍ର ଜିତନ ରାମ ମାଁଝୀ ଏବଂ ଜେଡିଏସ୍ର ଏଚ.ଡି କୁମାରସ୍ୱାମୀ ମଧ୍ୟ ପ୍ରମୁଖ ବିଭାଗ ଉପରେ ନଜର ରଖିଛନ୍ତି ।
ସେମାନଙ୍କୁ କିଭଳି ମନାଇବାରେ ବିଜେପି ସଫଳ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଏଥର ଲୋକସଭା ନିର୍ବାଚନରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିନାହିଁ । ସରକାର ଗଠନ ଲାଗି ୨୭୨ ସଦସ୍ୟଙ୍କ ସମର୍ଥନ ଥିବା ବେଳେ ବିଜେପି ୨୪୦ଟି ଆସନ ପାଇଛି । ତେଣୁ ବିଜେପିକୁ ଏବେ ଏନ୍ଡିଏର ଅନ୍ୟ ସହଯୋଗୀ ଦଳମାନଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡ଼ିବ ।
ଟିଡିପି ବାଚସ୍ପତି ପଦ ଦାବି କରୁଥିଲା ବେଳେ ବିଜେପି ତାକୁ ଉପବାଚସ୍ପତି ପଦରେ ସନ୍ତୁଷ୍ଟ କରାଇବାକୁ ଚାହୁଁଛି । ସଦ୍ୟ ସମାପ୍ତ ନିର୍ବାଚନରେ ଲୋକସଭାର ୫୪୩ ଆସନରୁ ଏନ୍ଡିଏ ୨୯୩ଟି ଆସନ ହାସଲ କରିଛି । ଯାହାକି ମ୍ୟାଜିକ ସଂଖ୍ୟା ୨୭୨ ଠାରୁ ଅଧିକ । ତେବେ ବିଜେପି ୨୪୦ରେ ସୀମିତ ରହିଯାଇଛି । ଫଳରେ ବିଜେପି ଲାଗି ଅନ୍ୟ ୧୪ଟି ଦଳର ୫୩ ସଦସ୍ୟଙ୍କ ସମର୍ଥନ ଦରକାର ପଡ଼ିଛି ।
ସେମାନଙ୍କ ମଧ୍ୟରେ ଟିଡିପି ୧୬, ଜେଡିୟୁ ୧୨, ଶିବସେନା ୭, ଏଲ୍ଜେପି ୫, ଜନସେନା ପାର୍ଟି ୨, ଜେଡିଏସ୍ ୨, ଆରଏଲ୍ଡି ୨ଟି ଓ ଅନ୍ୟାନ୍ୟ ଛୋଟ ଦଳ ୭ଟି ଆସନ ରହିଛି । ଅନ୍ୟପକ୍ଷରେ ଇଣ୍ଡିଆ ମେଣ୍ଟ ୨୩୪ ଆସନ ପାଇଛି । ମେଣ୍ଟ ଦଳ ଭାବେ କଂଗ୍ରେସ ସର୍ବାଧିକ ୯୯ ଆସନ ଲାଭ କରିଥିଲା ବେଳେ ସମାଜବାଦୀ ପାର୍ଟି ୩୭, ଟିଏମ୍ସି ୨୯, ଡିଏମ୍କେ ୨୨, ଶିବସେନା (ୟୁବିଟି) ୯, ଏନ୍ସିପି (ଶରଦ) ୮, ଆରଜେଡି ୪, ସିପିଏମ୍ ୪, ଜେଏମ୍ଏମ ୩, ଆଇୟୁଏମ୍ଏଲ ୩, ଆପ୍ ୩, ଭିସିକେ ୨, ସିପିଆଇ ୨, ସିପିଆଇ (ଏମ୍ଏଲ) ୨, ଜେକେଏନ୍ସି ୨ ଓ ଅନ୍ୟାନ୍ୟ ଛୋଟ ଦଳ ୫ଟି ଆସନ ପାଇଛନ୍ତି ।
ସେହିଭଳି ଏନ୍ଡିଏ କିମ୍ବା ଇଣ୍ଡିଆ ମେଣ୍ଟରେ ସାମିଲ ନଥିବା ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ୧୬ ଆସନରେ ବିଜୟଲାଭ କରିଛନ୍ତି । ସେମାନଙ୍କ ମଧ୍ୟରେ ୱାଇଏସ୍ଆର କଂଗ୍ରେସ ପାର୍ଟିର ୪, ଜେଡ୍ପିଏମ୍, ଏଏସ୍ପିକେଆର, ଏସ୍ଏଡି, ଏଆଇଏମ୍ଆଇଏମ୍ ଓ ଭିଓଟିପିପି ଗୋଟିଏ ଲେଖାଏ ଆସନ ଥିଲାଥିଲା ବେଳେ ସ୍ୱାଧୀନ ପ୍ରାର୍ଥୀ ୭ ଆସନରେ ବିଜୟୀ ହୋଇଛନ୍ତି ।