ND vs PAK T20 WC: ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ଜବରଦସ୍ତ କ୍ରେଜ୍, କେଇ ମିନିଟ୍ରେ ବିକ୍ରି ହୋଇଗଲା ସମସ୍ତ ଟିକେଟ୍
15/09/2022 at 5:48 PM

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବ ଟି-୨୦ ବିଶ୍ଵ କପ୍। ଏହାକୁ ନେଇ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ବିଶେଷ କରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହ ଚରମରେ ପହଞ୍ଚି ଯାଇଛି। ଏହି ହାଇଭୋଲଟେଜ୍ ମ୍ୟାଚ୍ ଅକ୍ଟୋବର ୨୩ରେ ଐତିହାସିକ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଏହି ମ୍ୟାଚ୍କୁ ନେଇ ଚାହିଦା ଏତେ ବଢି ଯାଇଛି ଯେ, କେଇ ମିନିଟ୍ରେ ସମସ୍ତ ଟିକେଟ୍ ବିକ୍ରି ହୋଇ ଯାଇଛି। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଅନୁଯାୟୀ, ଟି-୨୦ ବିଶ୍ଵ କପ୍ ୨୦୨୨ ପାଇଁ ଏ ପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ପ୍ରଶଂସକ ଟିକେଟ୍ କିଣି ସାରିଛନ୍ତି।
ଆଇସିସି ନିଜର ବିଜ୍ଞପ୍ତିରେ ଜଣାଇଛି ଯେ, ଛିଡା ହୋଇ ମ୍ୟାଚ୍ ଦେଖିବା ପାଇଁ ଅତିରିକ୍ତ ଟିକେଟ୍ ବ୍ୟବସ୍ଥା କରାଯାଇଛି। ହେଲେ କେଇ ମିନିଟରେ ସମସ୍ତ ଟିକେଟ୍ ବିକ୍ରି ହୋଇ ଯାଇଛି।ବିଶ୍ଵ କପ୍ରେ ୧୬ ଅନ୍ତର୍ଜାତୀୟ ଦଳର ମ୍ୟାଚ୍ ଦେଖିବା ପାଇଁ ୮୨ ଦେଶର ପ୍ରଶଂସକ ଟିକେଟ୍ କିଣିଛନ୍ତି। ଆଇସିସି ମହିଳା ଟି-୨୦ ବିଶ୍ଵ କପ୍ ୨୦୨୨ ପରେ ପ୍ରଥମ ଥର ଆଇସିସିର କୌଣସି ପ୍ରତିଯୋଗିତାରେ ଷ୍ଟାଡିୟମ ଦର୍ଶକରେ ଭରପୂର ରହିବ। ମହିଳା ଟି-୨୦ ବିଶ୍ଵ କପ୍ରେ ଏମସିଜିରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ୮୬,୧୭୪ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ଥିଲେ।
ଆଇସିସି ଅନୁସାରେ, ଏହା ବାଦ୍ ସିଡନୀରେ ଅକ୍ଟୋବର ୨୭ରେ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ, ଭାରତ ଏବଂ ଗ୍ରୁପ-ଏର ଉପ ବିଜେତା ଦଳ ମଧ୍ୟରେ ହେବାକୁ ଥିବା ମୁକାବିଲାର ସମସ୍ତ ଟିକେଟ୍ ବିକ୍ରି ହୋଇ ସାରିଛି। ଅକ୍ଟୋବର ୨୨ରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ଖେଳାଯିବ। ପାକିସ୍ତାନ ଏବଂ ଗ୍ରୁପ ଏର ଉପ ବିଜେତା, ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ଏବଂ ପାକିସ୍ତାନ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ୍ର ଅଧିକାଂଶ ଟିକେଟ୍ ବିକ୍ରି ହୋଇ ସାରିଛି।
ଟି-୨୦ ବିଶ୍ଵ କପ୍ ୨୦୨୨ରେ ଭାରତର ମୁକାବିଲା
ଭାରତ ବନାମ ପାକିସ୍ତାନ, ଅକ୍ଟୋବର ୨୩ (ମେଲବୋର୍ଣ୍ଣ)
ଭାରତ ବନାମ ଗ୍ରୁପ ଏର ଉପ ବିଜେତା, ଅକ୍ଟୋବର ୨୭ (ସିଡନୀ)
ଭାରତ ବନାମ ଦକ୍ଷିଣ ଆଫ୍ରିକା, ଅକ୍ଟୋବର ୩୦ (ପର୍ଥ)
ଭାରତ ବନାମ ବାଂଲାଦେଶ, ନଭେମ୍ବର ୨ (ଆଡିଲେଡ୍)
ଭାରତ ବନାମ ଗ୍ରୁପ-ବିର ବିଜେତା, ନଭେମ୍ବର ୬ (ମେଲବୋର୍ଣ୍ଣ)
ଟି-୨୦ ବିଶ୍ଵ କପ୍ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଦିନେଶ କାର୍ତ୍ତିକି(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, ରବିଚନ୍ଦ୍ରନ ଅଶ୍ଵିନ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ଭୁବନେଶ୍ଵର କୁମାର, ହର୍ଷଲ ପଟେଲ୍ ଏବଂ ଅର୍ଶଦୀପ ସିଂହ।
ଷ୍ଟାଣ୍ଡବାଇ ଖେଳାଳି– ମହମ୍ମଦ ଶାମି, ଶ୍ରେୟସ ଆୟର, ରବି ବିଷ୍ନୋଇ, ଦୀପକ ଚହର।