ସହିଦଙ୍କ ପତ୍ନୀଙ୍କ ଫଟୋରେ ଅଶ୍ଲୀଳ ଟିପ୍ପଣୀ ମାମଲା, ପୋଲିସକୁ କାର୍ଯ୍ୟାନୁଷ୍ଠାନ ପାଇଁ NCWଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | July 09, 2024 IST

ନୂଆଦିଲ୍ଲୀ: ସିୟାଚିନ୍‌ରେ ସହିଦ କ୍ୟାପ୍ଟେନ ଅଂଶୁମାନ ସିଂହଙ୍କୁ ମରଣୋତ୍ତର କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କ ସ୍ମୃତି ସିଂହ ଏବଂ ମାଆ ମଞ୍ଜୁ ସିଂହଙ୍କୁ ଏହି ସମ୍ମାନ ଦିଆଯାଇଥିଲା । ଏହି ସମୟର ଫଟୋ ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହୋଇଥିଲା । ଲୋକେ ସ୍ମୃତି ସିଂହଙ୍କ ସାହସ ଏବଂ ବେଦନା ଉଭୟ କଥା ଉଲ୍ଲେଖ କରୁଛନ୍ତି । କିନ୍ତୁ ଏହାରି ଭିତରେ ଗୋଟିଏ କମେଣ୍ଟ ଏତେ ଅସଭ୍ୟ ଏବଂ ଆପତ୍ତିଜନକ ଥିଲା ଯେ ଯେତେ ନିନ୍ଦା କଲେ ବି କମ୍ ହେବ । ଏବେ ରାଷ୍ଟ୍ରୀୟ ମହିଳା ଆୟୋଗ୍ୟ ଏହି ପ୍ରସଙ୍ଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏଫଆଇଆର କରିବା ପାଇଁ କହିଛନ୍ତି ।  

ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ଦ୍ୱାରା ଜାରି ଚିଠିରେ କୁହାଯାଇଛି ଯେ ସେହି ଟିପ୍ପଣୀ ବିଶିଷ୍ଟ ଆଇନ ପ୍ରାବଧାନକୁ ଉଲ୍ଲଂଘନ କରୁଛି । ଏନସିଡବ୍ଲୁ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୭୯ ଉଲ୍ଲଂଘନ ବୋଲି କୁହାଯାଇଛି । ଏହାସହ ଆଇଟି ଆକ୍ସ ୨୦୦୦ର ଧାରା ୬୭ର ଉଲ୍ଲଂଘନ ମାମଲାରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ପୋଲିସକୁ ଏଫଆଇଆର ରୁଜୁ କରି ତୁରନ୍ତ ସେହି ବ୍ୟକ୍ତିକୁ ଗିରଫ କରିବା ପାଇଁ କୁହାଯାଇଛି । ଅନ୍ୟପଟେ ଆୟୋଗ ମାମଲାରେ ନିରପେକ୍ଷ ଏବଂ ସଠିକ୍ ସମୟରେ ଯାଞ୍ଚ ଦାବି ସହ ଆକ୍ସନ ନିଆଯିବାର ତିନି ଦିନ ଭିତରେ ଏହାର ରିପୋର୍ଟ ଆୟୋଗକୁ ଦେବା ପାଇଁ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ସିୟାଚିନ ଗ୍ଲାସିୟରରେ ୨୦୨୩ ଜୁଲାଇ ୧୯ରେ ଭାରତୀୟ ସେନାର ଟେଣ୍ଟରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିଲା । ଏହାକୁ ନିୟନ୍ତ୍ରଣ କରିବା ଉଦ୍ୟମ ବେଳେ ରେଜିମେଣ୍ଟର ମେଡିକାଲ ଅଫିସର କ୍ୟାପ୍ଟେନ ଅଂଶୁମାନ ସିଂହ ସର୍ବୋଚ୍ଚ ବଳିଦାନ ଦେଇଥିଲେ । ଏହି ଅଘଟଣର ୫ ମାସ ପୂର୍ବେ ତାଙ୍କ ବିବାହ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.