ନୂଆଦିଲ୍ଳୀ, ୧୮/୧୨: ରାଜଧାନୀ ଦିଲ୍ଳୀରେ ଜଣେ ସ୍କୁଲ ଛାତ୍ରୀଙ୍କୁ ଏସିଡ୍ ମାଡ଼ ମାମଲା ସାମ୍ନାକୁ ଆସିଛି। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ଲାଗିରହିଛି। କହିବାକୁ ଗଲେ ଏହା ଚଳିତ ବର୍ଷର ପ୍ରଥମ ମାମଲା ନୁହେଁ। ଗତ ୫ ବର୍ଷର ରେକର୍ଡ ଉପରେ ନଜର ପକାଇଲେ ପ୍ରତିବର୍ଷ ହାରାହାରି ୨୦୦ ଏସିଡ୍ ଆଟାକ୍ ହେଉଛି। କିନ୍ତୁ ଅନେକ ସମୟରେ ଅଧିକାଂଶ ଅଭିଯୁକ୍ତ ଦୋଷ ପ୍ରମାଣିତ ନ ହୋଇପାରିବା କାରଣରୁ ଛାଡ଼ ପାଇଯାଉଛନ୍ତି। ତେବେ ନଜର ପକାଇବା କ’ଣ ରହିଛି ଦେଶରେ ଏସିଡ ଆଟାକ୍ ମାମଲାର ସ୍ଥିତି ଏବଂ କାହିଁକି ଏହି ମାମଲା ଥମୁନାହିଁ।
ଏନସିଆରବିର ତଥ୍ୟ ଅନୁଯାୟୀ, ଗତ ୬ ବର୍ଷରେ ଏସିଡ୍ ଆଟାକ୍ ମାମଲା ହ୍ରାସପାଇଛି, କିନ୍ତୁ ଥମି ନାହିଁ। ଦିଲ୍ଳୀ ମହିଳା ଆୟୋଗ ନିକଟରେ ଘଟିଥିବା ଘଟଣା ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ ଆୟୋଗ ତରଫରୁ ଅନେକ ଥର ଏହାକୁ ନେଇ ନୋଟିସ ଜାରି କରାଯାଇଛି। ପରାମର୍ଶ ଦିଆଯାଇଛି। କିନ୍ତୁ ଏବେବି ବଜାରରେ ଏସିଡ୍ ଖୁଲମଖୁଲା ବିକ୍ରି ହେଉଛି।
ଗତ ବର୍ଷରେ ସମଗ୍ର ଦେଶରେ ଏସିଡ୍ ଆଟାକ୍ର ସବୁଠୁ ଅଧିକ ମାମଲା ପଶ୍ଚିମବଙ୍ଗରୁ ଆସିଛି। ଏହାପରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ହରିୟାଣା ଏବଂ ରାଜସ୍ଥାନ ରହିଛି। ଏକ ରିପୋର୍ଟ ଅନୁଯାୟୀ, ଦେଶରେ ଏସିଡ୍ ଆଟାକ୍ର ୬୦ ପ୍ରତିଶତ ମାମଲା ରୁଜୁ ହିଁ ହୋଇନାହିଁ। ତଥ୍ୟ ଅନୁଯାୟୀ, ୨୦୨୧ ରେ ଏସିଡ୍ ଆଟାକ୍ ୧୭୬ ଏସିଡ୍ ଆଟାକ୍ ସାମ୍ନାକୁ ଆସିଥିଲା। କିନ୍ତୁ ଏଥିରୁ ମାତ୍ର ୨୦ ପ୍ରତିଶତ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇପାରିଛନ୍ତି। ଗତ ୬ ବର୍ଷ ମଧ୍ୟରେ ୫୩ ପ୍ରତିଶତ ମାମଲାରେ ଦୋଷ ପ୍ରମାଣିତ ହୋଇପାରିନାହିଁ ।
ଦୁନିଆରେ ୮୦ ପ୍ରତିଶତ ଏସିଡ୍ ଆଟାକ୍ ମହିଳାଙ୍କ ଉପରେ ହେଉଛି। ୭୬ ପ୍ରତିଶତ ମାମଲାରେ ଅଭିଯୁକ୍ତ ପିଡ଼ୀତଙ୍କ ପରିଚିତ। ଭାରତରେ ଏସିଡ୍ ଆଟାକ୍ ଉପରେ ଆଇନ ମଧ୍ୟ ରହିଛି। ଏମିତି ମାମଲାରେ ଧାରା ୩୨୬ ଏ ଅନୁଯାୟୀ, ଦୋଷୀକୁ ୭ ବର୍ଷରୁ ନେଇ ଆଜୀବନ କାରାଦଣ୍ଡାଦେଶ ଦଣ୍ଡ ନିୟମ ରହିଛି। ସେହିପରି ଆକ୍ରମଣ ଉଦ୍ୟମ ପାଇଁ ଧାରା ୩୨୬ ବି ଅନୁଯାୟୀ ୫ ରୁ ୭ ବର୍ଷର ଜେଲ୍ ଦଣ୍ଡ ଏବଂ ଜରିମାନା ଲାଗାଯାଇପାରେ। କିନ୍ତୁ ବିଡ଼ମ୍ବନାର ବିଷୟ ଆଇନ ଥିବା ପରେ ମଧ୍ୟ ଏଭଳି ଘଟଣା ଘଟୁଛି।