ବରିଷ୍ଠ ନାଗରିକଙ୍କ ପାଇଁ ସବୁଠୁ ସୁରକ୍ଷିତ ସ୍ଥାନ ଉତ୍ତରାଖଣ୍ଡ, ସବୁଠୁ ଅସୁରକ୍ଷିତ ଏହି ରାଜ୍ୟ

Published By : Prameya-News7 Bureau | September 22, 2021 IST

ଡେରାଡୁନ ୨୨।୦୯: ଦେଶରେ ବରିଷ୍ଠ ନାଗରିକଙ୍କ ପାଇଁ ସବୁଠୁ ସୁରକ୍ଷିତ ରାଜ୍ୟ ହେଉଛି ଉତ୍ତରାଖଣ୍ଡ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି)ର ତଥ୍ୟରୁ ଏହା ସାମ୍ନାକୁ ଆସିଛି। ଯଦି ସାଇବର ଅପରାଧ ମାମଲାକୁ ବାଦ୍ ଦିଆଯାଏ ତେବେ ୨୦୨୦ରେ ଦେଶରେ ଅପରାଧିକ ମାମଲାରେ  ହ୍ରାସ ଦେଖିବାକୁ ମିଳିଛି।

କରୋନା ମହାମାରୀ କାରଣରୁ ୨୦୨୦ରେ ସମଗ୍ର ଦେଶରେ ଅପରାଧ ଘଟଣା କିଛି ମାତ୍ରାରେ ହ୍ରାସ ଘଟିଛି। ଏଥିସହ ଉତ୍ତରାଖଣ୍ଡ କ୍ରମାଗତ ତୃତୀୟ ବର୍ଷ ବରିଷ୍ଠ ନାଗରିକଙ୍କ ପାଇଁ ସବୁଠୁ ସୁରକ୍ଷିତ ରାଜ୍ୟରେ ପରିଣତ ହୋଇଛି। ୨୦୨୦ରେ ଦେଶରେ ବରିଷ୍ଠ ନାଗରିକ ଅପରାଧ ସଂପର୍କିତ ୨୪,୭୯୪ ମାମଲା ରୁଜୁ କରାଯାଇଛି। ଏନସିଆରବି ରିପୋର୍ଟ ଅନୁଯାୟୀ, ଦେଶରେ ବରିଷ୍ଠ ନାଗରିକଙ୍କ ସହିତ ଅପରାଧ ମାମଲା ଉପରେ ଯଦି ନଜର ପକାଯାଏ,ତେବେ ମହାରାଷ୍ଟ୍ରରେ ୨୦୨୦ରେ ସର୍ବାଧିକ ୪୯୦୯ ମାମଲା ରୁଜୁ କରାଯାଇଛି। ୪୬୦୨ ମାମଲା ସହିତ ମଧ୍ୟ ପ୍ରଦେଶ ଦ୍ଵିତୀୟ ଏବଂ ୨୭୮୫ ମାମଲା ସହିତ ଗୁଜରାଟ ତୃତୀୟ ସ୍ଥାନରେ ରହିଛି। ବରିଷ୍ଠ ନାଗରିକଙ୍କ ସହିତ ସବୁଠୁ କମ ଅପରାଧ  ମଣିପୁରରେ ସାତୋଟି, ଆସାମରେ ଛଅ, ଝାଡଖଣ୍ଡରେ ଦୁଇ, ମେଘାଳୟରେ ତିନି, ସିକ୍କିମରେ ଦୁଇ ଏବଂ ଉତ୍ତରାଖଣ୍ଡରେ ଚାରୋଟି ମାମଲା ରୁଜୁ ହୋଇଚି।

ବରିଷ୍ଠ ନାଗରିକ ବିଶେଷଜ୍ଞ ନରେଶ ଦୁଆ କହିଛନ୍ତି, ଉତ୍ତରାଖଣ୍ଡର ପାଣିପାଗ ଏବଂ ପାରିପାର୍ଶ୍ଵିକ ସ୍ଥିତି ବରିଷ୍ଠ ନାଗରିକଙ୍କ ପାଇଁ ସବୁଠୁ ଅନୁକୂଳ। ଏହି ରାଜ୍ୟ ବରିଷ୍ଠ ନାଗରିକଙ୍କ ପାଇଁ ସବୁଠୁ ସୁରକ୍ଷିତ ସ୍ଥାନ। ଏଠାରେ ପୋଲିସ ବରିଷ୍ଠ ନାଗରିକଙ୍କ ସହ ଭଲ ବ୍ୟବହାର ମଧ୍ୟ କରିଥାନ୍ତି। ଯେବେ ବି  ବରିଷ୍ଠ ନାଗରିକ ଥାନାକୁ ଯାଆନ୍ତି ପୋଲିସ ସେମାନଙ୍କର ଅଭିଯୋଗକୁ ପ୍ରାଥମିକତା ଦେଇଥାଏ।

ପୋଲିସ ମୁଖ୍ୟାଳୟର ମୁଖପାତ୍ର ଶ୍ଵେତା ଚୌବେ କହିଛନ୍ତି, ୨୦୨୦ର ରିପୋର୍ଟ ଅନୁଯାୟୀ ଉତ୍ତରାଖଣ୍ଡରେ ଅପରାଧ ହ୍ରାସ ଘଟିଛି ଏବଂ ପୋଲିସର ପ୍ରଦର୍ଶନ ଉତ୍ସାହଜନକ ରହିଛି। ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ପୋଲିସ ବହୁତ ଭଲ କାମ କରିଛି। ଏହି କାରଣରୁ ରାଜ୍ୟ ବରିଷ୍ଠ ନାଗରିକଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.