ମନିଷ ସିସୋଦିଆ ଟେପ୍ ଜାରି ଲାଗି ‘ଆପ୍’କୁ କହିଲା ଏନସିପି, ଜାଣନ୍ତୁ କ’ଣ ରହିଛି ଏଥିରେ
23/08/2022 at 8:19 PM

ମୁମ୍ବାଇ ୨୩।୮: ଶରଦ ପାୱାରଙ୍କ ପାର୍ଟି ଏନସିପି ମଙ୍ଗଳବାର ଦିଲ୍ଲୀର ଆମ ଆଦମୀ ପାର୍ଟି (ଆପ୍) ସରକାରକୁ ମନିଷ ସିସୋଦିଆ ଟେପ୍ ଜାରି କରିବାକୁ କହିଛି। ଦିଲ୍ଲୀର କେଜରିୱାଲ ସରକାରଙ୍କୁ ଅସ୍ଥିର କରିବା ପାଇଁ ସିସୋଦିଆଙ୍କୁ ବିଜେପି ପ୍ରଲୋଭନ ଦେଇଥିବାର ସେ ଅଭିଯୋଗ କରିଥିଲେ। ଏହାକୁ ଅଧିକ ସ୍ପଷ୍ଟ ରୂପେ ଦେଶ ଆଗରେ ଉପସ୍ଥାପିତ କରିବା ପାଇଁ ଏବେ ଏନସିପି ଦାବି କରୁଛି। ମନିଷ ସିସୋଦିଆ ସେତେବେଳେ ଏହି ଅଭିଯୋଗ ଆଣିଛନ୍ତି ଯେତେବେଳେ ଦିଲ୍ଲୀ ଅବକାରୀ ନୀତି ଲାଗି ତାଙ୍କୁ ସିବିଆଇ ଏଫଆଇଆରରେ ଅଭିଯୁକ୍ତ ନମ୍ବର ୧ କରାଯାଇଛି।
ମହାରାଷ୍ଟ୍ରରେ ବୟୋବୃଦ୍ଧ ନେତା ଶରଦ ପାୱାରଙ୍କ ପାର୍ଟି ଦିଲ୍ଲୀରେ ସରକାର ଚଳାଉଥିବା ଆପ୍ କୁ ମନିଷ ସିସୋଦିଆଙ୍କ କଥିତ ଟେପ୍ ସାର୍ବଜନିକ କରୁ ବୋଲି ଦାବି କରିଛି। ଯେଉଁ କଥାବାର୍ତ୍ତାରେ ବିଜେପି ତାଙ୍କୁ ଦିଲ୍ଲୀ ସରକାର ଭାଙ୍ଗିବାକୁ ପ୍ରଲୋଭନ ଦେଉଛି। ସିବିଆଇ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତିକୁ ନେଇ ଯେଉଁପରି କାର୍ଯ୍ୟାନୁଷ୍ଠାନ କରୁଛି ଏଥିରେ ଆମ ଆଦମୀ ପାର୍ଟି କେନ୍ଦ୍ରର ମୋଦି ସରକାରଙ୍କ ବିରୋଧରେ ଆକ୍ରମକ ରଣନୀତି ଅବଲମ୍ବନ କରିଛି।
ଏହିକ୍ରମରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ (ଯିଏ ନିଜେ ଅବକାରୀ ନୀତିରେ ଅଭିଯୁକ୍ତ ଅଛନ୍ତି) ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀରେ ଅରବିନ୍ଦ କେଜରୀୱାଲ ସରକାର ଭାଙ୍ଗିବା ଲାଗି ନିଜେ ବିଜେପି ତାଙ୍କୁ ପ୍ରଲୋଭନ ଦେଇଥିବା ଅଭିଯୋଗ କରିଥିଲେ। ଏଥିରେ ସିସୋଦିଆଙ୍କୁ ବିଜେପିରେ ସାମିଲ କରାଯିବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସିଟ୍ର ଅଫର ମଧ୍ୟ ଦିଆଯାଇଥିଲା। ଏହା ଛଡା କୁହାଯାଇଥିଲା ଯେ ଯଦି ସେ ବିଜେପିରେ ସାମିଲ ହୋଇଯାଆନ୍ତି ତାଙ୍କ ବିରୋଧରେ ଆଗତ ସବୁ ମାମଲା ସମାପ୍ତ କରିଦିଆଯିବ।
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଏପରି ଚାଞ୍ଚଲ୍ୟକର ଦାବିରେ ଏନସିପି ମୁଖପାତ୍ର କ୍ଲାଇଡ କ୍ରାଷ୍ଟୋ ଯଦି ସତରେ ବିଜେପି ପକ୍ଷରୁ ମନିଷ ସିସୋଦିଆଙ୍କୁ ଏପରି କୌଣସି ପ୍ରସ୍ତାବ ଦିଆଯାଇଥାଏ ତେବେ ଭାରତୀୟ ଗଣତନ୍ତ୍ର ଲାଗି ଏହା ବାସ୍ତବିକ ବିପଦଜନକ ବୋଲି କହିଛନ୍ତି। ମୁଖପାତ୍ର କ୍ରାଷ୍ଟୋ କହିଛନ୍ତି ଯେ ବିଜେପି ମହାରାଷ୍ଟ୍ରରେ ମଧ୍ୟ ଶିବସେନା ବିଧାୟକଙ୍କୁ ଏପରି ପ୍ରସ୍ତାବ ଦେଇଥିଲା ଓ ଅନ୍ତତଃ ରାଜ୍ୟରେ ଶିବସେନା, ଏନସିପି ଓ କଂଗ୍ରେସର ମହାବିକାଶ ଅଘାଡ଼ି ସରକାରକୁ ଭାଙ୍ଗି ଦେଇଛି।
ଏଥିରେ ଆମ ଆଦମୀ ପାର୍ଟି ଦିଲ୍ଲୀରେ ସରକାର ଭାଙ୍ଗି ଦେବା ପାଇଁ ଅଫରର ଫୋନ ରେକର୍ଡିଂ କରିଥିବାର ଦାବି କରୁଛି। ଯଦି ସତରେ ଏପରି କିଛି ରେକର୍ଡିଂ ଆପ ରଖିଥାଏ ତେବେ ଏବେ ଆଉ କେଉଁ କଥାକୁ ଅପେକ୍ଷା ବୋଲି ଏନସିପି ମୁଖପାତ୍ର କହିଛନ୍ତି। ରେକର୍ଡିଂକୁ ଦେଶବାସୀଙ୍କ ସାମ୍ନାରେ ରଖା ଯାଉ ଏ ବାବଦେ ଦେଶବାସୀ ନିଷ୍ପତ୍ତି ନିଅନ୍ତୁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ସୋମବାର ସାମ୍ବାଦିକ ସମ୍ମିଳନୀ କରି ବିଜେପିରୁ ତାଙ୍କୁ ମିଳିଥିବା ବାର୍ତ୍ତା ସମ୍ପର୍କରେ ସାର୍ବଜନିକ କରିଥିଲେ।
ଏଥିରେ ଆପ ଛାଡି ବିଜେପିରେ ସାମିଲ ହୋଇଯାଅ ତୁମ ବିରୋଧରେ ସିବିଆଇ ଓ ଇଡିରେ ରୁଜୁ ସବୁ ମାମଲା କିପରି ବନ୍ଦ ହେବ ତାହା ଆମେ ସୁନିଶ୍ଚିତ କରିବୁ ବୋଲି ସିସୋଦିଆଙ୍କୁ କୁହାଯାଇଥିଲା। ତେବେ ଦିଲ୍ଲୀ ବିଜେପି ସିସୋଦିଆଙ୍କ ଅଭିଯୋଗର କଡା ବିରୋଧ କରିଛି। ସେ ମିଛ କହୁଥିବା ଓ ବାସ୍ତବିକ କଥା ହେଉଛି ଅବକାରୀ ନୀତିକୁ ନେଇ ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଗୁରୁତର ଫଶିଯାଇଥିବା ବିଜେପି କହିଛି।