ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରୁ ହଟିଲା ପାଇକ ବିଦ୍ରୋହ ବିଷୟ !

Published By : Prameya-News7 Bureau | July 20, 2025 IST

internet

ନୂଆଦିଲ୍ଲୀଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରୁ ୧୮୧୭ ମସିହାରେ ଓଡ଼ିଶାର ପାଇକ ବିଦ୍ରୋହକୁ ହଟାଇଲା ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT)। ଯାହାକୁ ନେଇ ସମାଜବାଦୀ ପାର୍ଟି ନେତା ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ ଉଠାଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ଏନେଇ ଜାତୀୟ ଗଣମାଧ୍ୟମ ଟେଲିଗ୍ରାଫରେ ଖବର ପ୍ରକାଶ ପାଇଛି। 

୨୦୧୭ ମସିହାରେ, ଏନ୍‌ସିଇଆର୍‌ଟି ଅଷ୍ଟମ ଶ୍ରେଣୀ ଇତିହାସ ବହିରେ "ଆୱାର ପାଷ୍ଟ-III" ରେ ଓଡ଼ିଶାର ଖୋର୍ଦ୍ଧା ବିଦ୍ରୋହ ଉପରେ ନୂଆ ବିଷୟବସ୍ତୁ ଯୋଡ଼ିଥିଲା। ଯାହାକୁ "ପ୍ରଥମ ବ୍ରିଟିଶ ବିରୋଧୀ ବିଦ୍ରୋହ" ଭାବରେ ବର୍ଣ୍ଣନା କରାଯାଇଥିଲା। ତେବେ ଗତ ସପ୍ତାହରେ ପ୍ରକାଶିତ ନୂଆ ସାମାଜିକ ବିଜ୍ଞାନ ପୁସ୍ତକ, ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ୍ ବିୟଣ୍ଡରେ ପାଇକ ବିଦ୍ରୋହକୁ ବାଦ୍‌ ଦେଇ ଅନ୍ୟ ୪ଟି ପ୍ରାରମ୍ଭିକ ବିରୋଧ ଆନ୍ଦୋଳନର ବିଷୟକୁ ଯୋଡ଼ିଛି।  

ଓଡ଼ିଶାରେ ପାଇକ ବିଦ୍ରୋହକୁ ନେଇ କିଛି ବର୍ଷ ପୂର୍ବେ ବିଜେପି-ବିଜେଡି ମଧ୍ୟରେ ଟଣାଓଟରା ଲାଗି ରହିଥିଲା। ଏହି ବିଦ୍ରୋହକୁ ଜାତୀୟ ସ୍ତରରେ ସ୍ୱତନ୍ତ୍ର ମାନ୍ୟତା ଦାବି କରିବା ପାଇଁ ଦୁଇ ଦଳ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଦେଖା ଦେଇଥିଲା। ଏହି କ୍ରମରେ ବିଜେପି ଆଉ ଟିକେ ଆଗେଇ ଜୁଲାଇ ୨୦୧୭ ରେ, ଏନଡିଏ ସରକାର ପାଇକ ବିଦ୍ରୋହର ୨୦୦ ବର୍ଷ ପାଳନ କରିବା ପାଇଁ ରାଜଧାନୀ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିଲେ ଯେ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ଘୋଷଣା କରାଯାଉ। ତତ୍କାଳୀନ ପେଟ୍ରୋଲିୟମ୍ ମନ୍ତ୍ରୀ ତଥା ବର୍ତ୍ତମାନର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାବି ଉଠାଇବା ପାଇଁ ପଟ୍ଟନାୟକଙ୍କୁ ଧନ୍ୟବାଦ ବି ଜଣାଇଥିଲେ। 

ସେହି ବର୍ଷ ଏନ୍‌ସିଇଆର୍‌ଟି ଅଷ୍ଟମ ଶ୍ରେଣୀ ଇତିହାସ ବହିରେ "ଖୋର୍ଦ୍ଧା ଅପ୍ରାଇଜିଂ - ଏ କେସ୍ ଷ୍ଟଡି" ନାମରେ ଏକ ବିଷୟ ଯୋଡ଼ିଥିଲା। ଏହି ବିଷୟରେ ଲେଖାଥିଲା “ସଂକ୍ଷେପରେ, ଏହା ଓଡ଼ିଶାରେ ପ୍ରଥମ ଏପରି ଲୋକପ୍ରିୟ ବ୍ରିଟିଶ ବିରୋଧୀ ସଶସ୍ତ୍ର ବିଦ୍ରୋହ ଥିଲା, ଯାହା ଦେଶର ସେହି ଅଞ୍ଚଳରେ ବ୍ରିଟିଶ ପ୍ରଶାସନର ଭବିଷ୍ୟତ ଉପରେ ଏକ ସୁଦୂରପ୍ରସାରୀ ପ୍ରଭାବ ପକାଇଥିଲା। ଏହାକୁ କେବଳ 'ପାଇକ ବିଦ୍ରୋହ' କହିବା ଏକ ଅବମାନନା ହେବ।”

ନୂଆ ପୁସ୍ତକରେ "ଭାରତରେ ଉପନିବେଶ ଯୁଗ" ବିଷୟକ ଅଧ୍ୟାୟରେ ୧୭୭୦ ମସିହାରେ ପଶ୍ଚିମବଙ୍ଗରେ ହୋଇଥିବା ଭୟଙ୍କର ଦୁର୍ଭିକ୍ଷ ପରେ ସନ୍ନ୍ୟାସୀ-ଫକୀର ବିଦ୍ରୋହକୁ "ପ୍ରାରମ୍ଭିକ ସଂଗଠିତ ବ୍ରିଟିସ ବିରୋଧୀ ଆନ୍ଦୋଳନ ମଧ୍ୟରୁ ଗୋଟିଏ" ଭାବରେ ବର୍ଣ୍ଣନା କରାଯାଇଛି। ଏଥିରେ ଛୋଟ ନାଗପୁରରେ କୋହ୍ଲ ବିଦ୍ରୋହ (୧୮୩୧-୩୨), ବର୍ତ୍ତମାନର ଝାଡ଼ଖଣ୍ଡ, ବିହାର ଏବଂ ବଙ୍ଗଳାରେ ସନ୍ଥଲ ବିଦ୍ରୋହ (୧୮୫୫-୫୬) ଏବଂ ବଙ୍ଗଳାର ଉତ୍ତର-ପୂର୍ବ ଅଂଶରେ ନୀଳ ବିଦ୍ରୋହ (୧୮୫୦-୬୨) ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି। ହେଲେ ପାଇକ ବିଦ୍ରୋହ ବିଷୟ ହଟାଇ ଦିଆଯାଇଥିବାରୁ ଯାହାକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛି ସମାଜବାଦି ପାର୍ଟି। 

ସମାଜବାଦୀ ପାର୍ଟିର ଓଡ଼ିଶା ସଭାପତି ରବୀନ୍ଦ୍ର ନାଥ ବେହେରା କହିଛନ୍ତି ଯେ ପାଇକ ବିଦ୍ରୋହ ଉପରେ ବିଷୟବସ୍ତୁ ହଟାଇବା ପାଇକମାନଙ୍କ ବୀରତ୍ୱ, ସାହସ ଓ ଉପନିବେଶ ବିରୋଧୀ ସଂଗ୍ରାମରେ ସେମାନଙ୍କ ବଳିଦାନ ପ୍ରତି ଅପମାନ। ସେ କହିଛନ୍ତି “ଯେତେବେଳେ ଓଡ଼ିଶାର ଜଣେ ଯୁବ ଏବଂ ପ୍ରତିଭାବନ ସନ୍ତାନ, ଧର୍ମେନ୍ଦ୍ର ପ୍ରଧାନ, ଶିକ୍ଷା ମନ୍ତ୍ରଣାଳୟର ନେତୃତ୍ୱ ନେଉଛନ୍ତି, ସେତେବେଳେ ଏନ୍‌ସିଇଆର୍‌ଟି ର ଏପରି କାର୍ଯ୍ୟ ଓଡ଼ିଶାର ଗର୍ବ ଏବଂ ଏହାର ସୁଯୋଗ୍ୟ ପୁଅମାନଙ୍କ ବଳିଦାନ ଉପରେ ଗଭୀର କ୍ଷତ ସୃଷ୍ଟି କରିଛି। ଏହି ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ଭାବରେ ଘୋଷଣା କରିବା ପାଇଁ ପ୍ରଧାନ ଓଡ଼ିଶାର ତତ୍କାଳୀନ ବିଜେଡି ସରକାରଙ୍କୁ କେନ୍ଦ୍ରକୁ ଚିଠି ଲେଖିବାକୁ ବାଧ୍ୟ କରିଥିଲେ। ବର୍ତ୍ତମାନ ରାଜନୈତିକ ପରିବେଶ ଓଡ଼ିଆ ଗର୍ବକୁ ଭୁଲି ଯାଇଛି।”
ଏପ୍ରିଲ ୨୦୧୭ରେ, ଓଡ଼ିଶାର ରାଜଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୧୬ଟି ପାଇକ ପରିବାରର ବଂଶଧରଙ୍କୁ ସମ୍ମାନିତ କରାଯାଇଥିଲା। ବିଦ୍ରୋହର ୨୦୦ ବର୍ଷ ପାଳନ ପାଇଁ କେନ୍ଦ୍ର ସରକାର ୨୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ଡିସେମ୍ବର ୨୦୧୯ରେ, ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖୋର୍ଦ୍ଧା ନିକଟସ୍ଥ ବରୁଣେଇରେ ପାଇକ ସ୍ମାରକୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏସବୁକୁ ନେଇ ଇଂରାଜୀ ଗଣମାଧ୍ୟମ ଦି ଟେଲିଗ୍ରାଫର ୱେବ୍‌ସାଇଟ୍‌ରେ ଖବର ପ୍ରକାଶ ପାଇଥିବା ବେଳେ ଏନେଇ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.