କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଗାଇଡଲାଇନ୍ ଜାରି କଲା ଏନସିଡିସି : ପାଳନ କରନ୍ତୁ ଏହି ୧୦ଟି ନିୟମ

Published By : Prameya-News7 Bureau | March 16, 2020 IST

ନୂଆଦିଲ୍ଲୀ ୧୬/୩: କରୋନା ଭାଇରସର ମାମଲା ଏବେ ଲଗାତାର ବଢ଼ି ବଢ଼ି ଚାଲିଛି। ଦେଶବ୍ୟାପି ଏବେ ସୁଦ୍ଧା ୬୦୦୦ରୁ ଅଧିକ କରୋନା ଭାଇରସରେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ସାରିଛି। ଭାରତରେ ମଧ୍ୟ ୧୧୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ସାରିଛନ୍ତି। ଏମାନଙ୍କ ମଧ୍ୟରୁ ୧୧ଜଣ ଠିକ୍ ହୋଇସାରିଥିବାବେଳେ ୨ଜଣଙ୍କ ମୃତ୍ୟୁ ଘଟିଛି।

ଭାରତରେ ଭାଇରସ୍ ସଂକ୍ରମଣ ବୃଦ୍ଧିକୁ ଧ୍ୟାନରେ ରଖି ଏନସିଡିସି (National Centre for Disease Control) ଗାଇଡଲାଇନ୍ ଜାରି କରି ଲୋକଙ୍କୁ ବିଶେଷ ସାବଧାନତା ଅବଲମ୍ବନ କରିବାକୁ କହିଛନ୍ତି।

ଆସନ୍ତୁ ଜାଣିବା ଏନସିଡିସି ନିର୍ଦେଶ ଅନୁସାରେ କରୋନା ଭାଇରସରୁ ବର୍ତ୍ତିବା ପାଇଁ ଆପଣଙ୍କୁ କେଉଁ ୧୦ଟି କଥା ପ୍ରତି ଧ୍ୟାନ ରଖିବାକୁ ପଡ଼ିବ।

୧. କରୋନା ଭାଇରସରୁ ବର୍ତ୍ତିବା ପାଇଁ ସ୍ବଚ୍ଛତା ପ୍ରତି ଧ୍ୟାନ ରଖନ୍ତୁ। କୌଣସି ଜିନିଷକୁ ହାତ ଲଗାଇବା ପରେ ପାଖାପାଖି ୨୦ସେକେଣ୍ଡ ଯାଏଁ ହାତକୁ ଭଲ ଭାବେ ଧୁଅନ୍ତୁ।

୨. କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ନିକଟକୁ ଯାଆନ୍ତୁ ନାହିଁ। କାଶ କିମ୍ବା ଥଣ୍ଡା ହୋଇଥିବା ବ୍ୟକ୍ତିଙ୍କଠୁ ୨ମିଟର ଦୂରରେ ରୁହନ୍ତୁ।

୩. ଆଖି,ନାକ କିମ୍ବା ମୁହଁରେ ବାରମ୍ବାର ହାତ ଲଗାନ୍ତୁ ନାହିଁ। ସାବୁନ କିମ୍ବା ସାନିଟାଇଜରରେ ହାତକୁ ଭଲ ଭାବେ ଧୁଅନ୍ତୁ।

୪. ଫୋନ୍ କିମ୍ବା ଅନ୍ୟାନ୍ୟ ଜିନିଷ ବ୍ୟବହାର କରୁଥିଲେ ଏହାର ସ୍ବଚ୍ଛତା ପ୍ରତି ଧ୍ୟାନ ରଖନ୍ତୁ।

୫.କାଶ କିମ୍ବା ଛିଙ୍କ ଆସିବା ସମୟରେ ନିଜ ମୁହଁକୁ ଟିସୁ ପେପରରେ କଭର କରନ୍ତୁ ଏବଂ ଏହାକୁ ବନ୍ଦ ଥିବା ଡଷ୍ଟବିନରେ ପକାଇ ଦିଅନ୍ତୁ।

୬. ଯଦି ଆପଣଙ୍କୁ ଜ୍ବର,କଫ ଏବଂ ନିଃଶ୍ବାସ ନେବାକୁ ଅସୁବିଧା ହେଉଛି ତେବେ ଜମା ଏହାକୁ ନଜରଅନ୍ଦାଜ କରନ୍ତୁ ନାହିଁ। ଡାକ୍ତରଙ୍କୁ ତୁରନ୍ତ ଏହାର ସୂଚନା ଦିଅନ୍ତୁ।

୭. କୌଣସି ଭିଡ଼ ସ୍ଥାନରେ ଯାଆନ୍ତୁ ନାହିଁ କିମ୍ବା ଅତି ଦରକାର ପଡ଼ିଲେ ଘରୁ ବାହାରନ୍ତୁ।

୮. ଯଦି ଆପଣ କରୋନା ଭାଇରସର ସଙ୍କେତ ଦେଖୁଛନ୍ତି ତେବେ ତୁରନ୍ତ ଚିକିତ୍ସା କରନ୍ତୁ ଏବଂ କୌଣସି ବ୍ୟକ୍ତିଙ୍କ ନିକଟକୁ ଯାଆନ୍ତୁ ନାହିଁ।

୯. ପ୍ରଚୁର ପାଣି ପିଅନ୍ତୁ। ଲୋକଙ୍କ ସହ ହାତ ମିଳାନ୍ତୁ ନାହିଁ।

୧୦. କାଶ ଆସିବାବେ​ଳେ ଯଦି ଆପଣଙ୍କ ପାଖରେ ଟିସୁ ପେପର କିମ୍ବା ରୁମାଲ୍ ନାହିଁ ତେବେ ନିଜ ବାହୁ ଜରିଆରେ ମୁହଁ ଘୋଡ଼ାନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.