ଗ୍ରାମୀଣ କ୍ଷେତ୍ର ଲାଗି ମୋଦି ସରକାରଙ୍କ ବଡ଼ ଯୋଜନା, ଏମିତି ସୁଧୁରିବ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ସେବା ସମସ୍ୟା

Published By : Prameya-News7 Bureau | October 19, 2020 IST

ନୂଆଦିଲ୍ଲୀ ୧୯।୧୦: ଗ୍ରାମୀଣ ଭାରତର ସ୍ୱାସ୍ଥ୍ୟ ସେବା ସୁଧାର ଲାଗି କେନ୍ଦ୍ରର ମୋଦି ସରକାର ଏବେ କୋ-ଅପରେଟିଭ (ସମବାୟ) ରାସ୍ତା ଆପଣେଇଛନ୍ତି। ସୋମବାର ଦେଶରେ ‘ଆୟୁଷ୍ମାନ ସହକାର’ ଯୋଜନା ଲଞ୍ଚ କରିଛନ୍ତି ସରକାର। ଏଥିରେ ଗ୍ରାମାଞ୍ଚଳରେ ହସ୍ପିଟାଲ, ମେଡିକାଲ କଲେଜ ଓ ଅନ୍ୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ  ସମବାୟ ସଂସ୍ଥାଙ୍କୁ ଋଣ ଉପଲବ୍ଧ କରାଯିବ। ଜାତୀୟ କୋ-ଅପରେଟିଭ ବିକାସ ନିଗମ (ଏନସିଡିସି) ଆଗାମୀ ବର୍ଷମାନଙ୍କ ଲାଗି ୧୦ ହଜାର କୋଟି ଟଙ୍କା ଋଣଦାନ କରିବାକୁ ଘୋଷଣା କରିଛନ୍ତି।

ସାରା ଦେଶରେ ବିଶେଷ କରି ଗ୍ରାମାଞ୍ଚଳରେ ସମବାୟ ସମିତିଙ୍କ ଉପସ୍ଥିତି ରହିଛି। ଦୁଗ୍ଧ ଉତ୍ପାଦନଠାରୁ ଆରମ୍ଭ କରି କୃଷି, ବୟନ ଓ ଅନ୍ୟାନ୍ୟ କ୍ଷେତ୍ରରେ ସମବାୟ ସମିତି କାର୍ଯ୍ୟ କରୁଛନ୍ତି। ଏମାନଙ୍କ ମଧ୍ୟରେ ଏପରି କେତେକ ସମବାୟ ସମିତି ଅଛନ୍ତି ଯେଉଁମାନେ ସମବାୟରେ ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇ ଦେଉଛନ୍ତି। ଦେଶରେ ଏବେ ୫ହଜାର ଶଜ୍ଜା ବିଶିଷ୍ଟ ୫୨ଟି ହସ୍ପିଟାଲକୁ କୋ-ଅପରେଟିଭ ସଂସ୍ଥାମାନେ ଚଳାଉଛନ୍ତି। ଏଥିରେ ଗ୍ରାମାଞ୍ଚଳମାନଙ୍କରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲାଗି ସରକାରଙ୍କ ଉଦ୍ୟମ ଏ ଦିଗରେ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି।

ଘରୋଇ କ୍ଷେତ୍ର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଅନ୍ତୁ ଏଥିଲାଗି କେନ୍ଦ୍ର ସରକାର ଅନେକ ଉଦ୍ୟମ କରିଥିଲେ। ତେବେ ଏଥିପ୍ରତି ଘରୋଇ କ୍ଷେତ୍ରଙ୍କ ଅନାଗ୍ରହ ସ୍ପଷ୍ଟ ହେବା ପରେ ସରକାର ସମବାୟର ସହାୟତା ନେବାକୁ ଯାଉଛନ୍ତି। ଗ୍ରାମାଞ୍ଚଳରେ ସମବାୟ ସଂସ୍ଥାଙ୍କ ଉପସ୍ଥିତି ଏ ଦିଗରେ ସରକାରଙ୍କ ପପରିକଳ୍ପନାକୁ ସାକାର କରିବ ବୋଲି ଆଶା କରାଯାଉଛି। ସରକାରଙ୍କ କାର୍ଯ୍ୟକ୍ରମ ଯଦି ସଫଳ ହୁଏ ଗରିବ ଗ୍ରାମୀଣ ଚାଷୀ ଓ ଶ୍ରମିକ ନିଜ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ଯୋଜନା ଉଦଘାଟନ ଅବସରରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା କହିଛନ୍ତି।

ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ସମ୍ପ୍ରସାରଣ ହେବା ଯୋଗୁ ଗ୍ରାମାଞ୍ଚଳର ଲୋକେ  ଅସୁସ୍ଥ ହେଲେ ଆଉ ଦୂର ସହରକୁ ଯିବେ  ନାହିଁ। ଯେଉଁ କୋ-ଅପରେଟିଭ ସଂସ୍ଥାମାନେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଆଗ୍ରହୀ  ହେବେ କେବଳ ସେହି ସମବାୟ ସଂସ୍ଥାମାନେ ଏନସିଡିସିଙ୍କ ଆର୍ଥିକ ସହଯୋଗ ଲାଗି ଯୋଗ୍ୟ ବିବେଚିତ ହେବେ। ଏଥିରେ ଏନସିଡିସି ମୋଟ ୨୭ଟି ସେବା ଲାଗି ଋଣ ଦେବେ ବୋଲି ଘୋଷଣା କରିଛନ୍ତି। ଏଥିରେ ହସ୍ପିଟାଲ ସହ ଆୟୁଷ, ଡେଣ୍ଟାଲ, ନର୍ସିଂ, ଫର୍ମାସୀ ଓ ଫିଜିଓଥେରାପି କଲେଜ ସ୍ଥାପନା କରାଯାଇପାରିବ। ସାଙ୍ଗକୁ ୱେଲନେସ୍ ସେଣ୍ଟର, ଟେଷ୍ଟିଂ ଲ୍ୟାବ୍, ମୋବାଇଲ କ୍ଲିନିକ ସେବା ଓ ବ୍ଲଡବ୍ୟାଙ୍କ ଆଦି ସେବା ମଧ୍ୟ ପ୍ରାରମ୍ଭ ହୋଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.