ବେଆଇନ୍ ମାଙ୍କଡ଼ା ଖଣିକୁ ପ୍ରୋତ୍ସାହନ ଦେବା ପଡିଲା ମହଙ୍ଗା, କୋମଣ୍ଡ ଆର.ଆଇ ନିଲମ୍ୱିତ, ତଦନ୍ତ ପାଇଁ କମିଟି ଗଠନ କଲେ ଜିଲ୍ଲାପାଳ

Published By : Prameya-News7 Bureau | January 03, 2023 IST

ଓଡଗାଁ: ବେଆଇନ୍ ମାଙ୍କଡ଼ା ଖଣିକୁ ପ୍ରୋତ୍ସାହନ ଅଭିଯୋଗରେ କୋମଣ୍ଡ ଆର.ଆଇ ସୁଧିର ପରିଡା ନିଲମ୍ୱିତ । ଆରଆଇଙ୍କୁ ନିଲମ୍ୱନ କରିଛନ୍ତି ନୟାଗଡ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ । ଏହାସହିତ ଓଡଗାଁ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ଘଟଣାର ତଦନ୍ତ କରିବାକୁ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି  । ୧୫ଦିନ ମଧ୍ୟରେ ରିପୋର୍ଟ ଦେବାକୁ କମିଟିକୁ ନୟାଗଡ ଜିଲ୍ଲାପାଳ ନିର୍ଦ୍ଦେଶ  ଦେଇଛନ୍ତି ।

ଓଡଗାଁ ତହସିଲ୍ ଅଞ୍ଚଳରେ ଦୁଇଟି ମାଙ୍କଡ଼ା ଖଣିକୁ ଅନୁମତି ଦିଆଯାଇଥିବା ବେଳେ ଏହି ଅଞ୍ଚଳରେ ୫୦ରୁ ଅଧିକ ଖଣି ବେଆଇନ୍ ଭାବେ ଚାଲୁଥିବା ଅଭିଯୋଗ ହୋଇଆସୁଥିଲା । ତେବେ ମାଫିଆଙ୍କ ଭୟରେ ସ୍ଥାନୀୟ ଲୋକମାନେ ସାମ୍ନାକୁ ଆସିବାକୁ ଭୟ କରୁଥିଲେ । ଖୋଳାଯାଇଥିବା ବେଆଇନ୍ ଖଣିରେ ପଡ଼ି କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ନଜିର ଳହିଛି । ସ୍ଥାନୀୟ ତହସିଲଦାର, ଆର.ଆଇ, ପୋଲିସ ମିଳିମିଶି ଏହାକୁ ପ୍ରୋତ୍ସାହନ ଦେଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ଆଜି ସ୍ଥାନୀୟ ଅଞ୍ଚଳରେ ବୁଲି ଅନୁଧ୍ୟାନ କରିବା ପରେ ଘଟଣାର ସତ୍ୟତା ଥିବା ଅନୁଭବ କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । କମିଟିର ରିପୋର୍ଟ ଆସିବା ପରେ ତହସିଲଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.