ସୀମାନ୍ତରେ ମାଓ ହିଂସା, ଓ୍ୱାର୍ଡ ମେମ୍ବର ଓ ପୂର୍ବତନ ସରପଞ୍ଚଙ୍କୁ ଗଳାକାଟି ହତ୍ୟା
1/10/2020 at 9:18 PM

ମାଲକାନଗିରି, ୦୧ ।୧୦: ମାଲକାନଗିରି ଜିଲ୍ଲା ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି ।ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣ ଗ୍ରାମବାସୀଙ୍କୁ ଗଳା କାଟି ହତ୍ୟା କରିଛନ୍ତି ଲାଲ୍ ବାହିନୀ । ଜାଙ୍ଗଲା ଥାନା ଅନ୍ତର୍ଗତ ଗଙ୍ଗଲା ଗାଁରେ ଘଟିଛି ଏହି ହିଂସା କାଣ୍ଡ ।
ସୂଚନାନୁସାରେ, ୧୫ ରୁ ୨୦ ଜଣ ଶସସ୍ତ୍ର ମାଓବାଦୀ ଗତକାଲି ରାତିରେ ଗଙ୍ଗଲା ଗାଁରେ ପହଞ୍ଚି ଦୁଇ ଜଣଙ୍କୁ ଘରୁ ଡାକି ନେଇଥିଲେ । ଗୁରୁବାର ସକାଳେ ଗାଁ ନିକଟସ୍ତ ଜଙ୍ଗଲରୁ ଦୁହିଙ୍କ ମୃତଦେହ ମିଳିଛି । ମୃତକ ହେଉଛନ୍ତି ଗଙ୍ଗଲା ଗ୍ରାମର ପୂର୍ବତନ ସରପଞ୍ଚ ଧନିରାମ କୋଶା ଓ ବର୍ତ୍ତମାନର ୱାର୍ଡ ମେମ୍ବର ଗୋପାଳ କୁଦିଆମ । ଘଟଣା ସ୍ଥଳରେ ନକ୍ସଲ ମାନେ ଏକ ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି । ଯେଉଥିରେ ଉଲ୍ଲେଖ ରହିଛି ଯେ, ପୋଲିସ ଇନଫର୍ମର ସନ୍ଦେହରେ ଦୁହିଙ୍କୁ ହତ୍ୟା କରାଯାଇଛି ।
ଘଟଣା ପରେ ଗାଁରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟ ପଟେ ଏହି ହିଂସାକାଣ୍ଡ ଘଟାଇଥିବା ନକ୍ସଲପନ୍ଥୀଙ୍କୁ ଧରିବା ପାଇଁ ସେଠାରେ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିବା ବିଜାପୁର ଏସପି କୋମଳନାଥ କାଶ୍ୟବ ସୁଚନା ଦେଇଛନ୍ତି ।