ନକ୍ସଲ ଦମନ ପାଇଁ ବ୍ଲୁ ପ୍ରିଣ୍ଟ;ଭୁବନେଶ୍ୱରରେ ୬ଟି ରାଜ୍ୟର ପୋଲିସ ଡିଜିଙ୍କୁ ନେଇ ବୈଠକ

Published By : Prameya-News7 Bureau | June 08, 2018 IST

ନକ୍ସଲ ଦମନ ପାଇଁ ତିଆରି ହେବ ବ୍ଲୁ ପ୍ରିଣ୍ଟ । ଆଜି ଭୁବନେଶ୍ୱରରେ ୬ଟି ରାଜ୍ୟର ପୋଲିସ ଡିଜିଙ୍କୁ ନେଇ ହେବ ବୈଠକ । ଓଡିଶା, ଛତିଶଗଡ, ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର ଡିଜିପିଙ୍କ ସମେତ ସିଆରପିଏଫ୍ ଡିଜି ମଧ୍ୟ ବୈଠକରେ ସାମିଲ ହେବେ । ନକ୍ସଲ ଦମନ ଅପରେସନକୁ ଆହୁରି ଜୋରଦାର କରିବା ଲାଗି ତିଆରି ହେବ ଖାସ ରଣନୀତି । ରାଜ୍ୟ ଗୁଇନ୍ଦା ବିଭାଗ ଅଧିକାରୀ, କେନ୍ଦ୍ର ଗୃହ ବିଭାଗ ଏବଂ ବିଏସଏଫ ଅଧିକାରୀ ବୈଠକରେ ଯୋଗ ଦେବେ । ୨୦୧୭-୧୮ ରେ ଓଡିଶାରେ ଅନ୍ୟ ରାଜ୍ୟ ତୁଳନାରେ ନକ୍ସଲ କାର୍ଯ୍ୟକଳାପ କମିଛି । ୩୦ରୁ ଅଧିକ ହାର୍ଡକୋର ମାଓବାଦୀ ଏବଂ ମାଓ ସମର୍ଥକ ମିଲିସିଆ ସରକାରଙ୍କ ରିହାବିଲେସନ ସ୍କିମରେ ଆତ୍ମସମର୍ପଣ କରିଛନ୍ତି । ତେବେ ପଡୋଶୀ ରାଜ୍ୟରୁ କିଛି ନକ୍ସଲ ନେତା ଆସି ଓଡିଶାରେ ନକ୍ସଲ ଗତିବିଧି ଚଲାଇଥିବା ସୂଚନା ମିଳୁଛି । ଯାହାକୁ ଆଖିରେ ରଖି ନକ୍ସଲ ଉପଦ୍ରୁତ ଜିଲ୍ଲାରେ ବ୍ୟାପକ କୁମ୍ବିଂ ଅପରେସନ ଚାଲିଛି । ନକ୍ସଲ ନେଟୱର୍କ ଏବଂ ଗତିବିଧି ଉପରେ ନଜର ରଖିଛି ଗୁଇନ୍ଦା ବିଭାଗ । ଗତ କିଛିଦିନ ହେବ ଗୁଇନ୍ଦା ବିଭାଗକୁ ମଧ୍ୟ ବେଶ ସଫଳତା ମିଳିଛି । ଯେଉଁଥି ପାଇଁ ଗଡ଼ଚୋରେଲି ଓ ଓଡ଼ିଶା ଛତିଶଗଡ଼ ସୀମାନ୍ତରେ ଏକାଧିକ ନକ୍ସଲ ସୁରକ୍ଷା କର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି । ତେବେ ଗୋଟିଏ ରାଜ୍ୟରେ ଆକ୍ସନ ହେଲେ ଅନ୍ୟ ରାଜ୍ୟକୁ ନକ୍ସଲ ମାନେ ଖସି ଯାଉଛନ୍ତି । ଯାହା ଉପରେ ରୋକ ଲଗାଇବା ଲାଗି , ରାଜ୍ୟ ରାଜ୍ୟ ଭିତରେ ମିଳିତ ଅପରେସନ ଜରୁରୀ । ଏଥିଲାଗି ୬ଟି ରାଜ୍ୟର ପୋଲିସ ଭିତରେ ସମନ୍ବୟ ବୈଠକ ବସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.