ଲାଲ କରିଡରରେ ଆଶାର ଆଲୋକ : ହାତରେ ବନ୍ଧୁକ ବଦଳରେ ବେଲପତ୍ର

Published By : Prameya-News7 Bureau | September 23, 2018 IST

ଝାରଖଣ୍ଡ ୨୩/୯ : ଲାଲ କରିଡରରେ ଦେଖାଦେଇଛି ଆଶାର ଆଲୋକ । ଝାଡଖଣ୍ଡ ଦଲମା ଜଙ୍ଗଲ ଭିତରେ ଏମିତି ଜଣେ ପୂଜକ ଏବେ ଲୋକଙ୍କୁ ସତମାର୍ଗ ଦେଖାଉଛନ୍ତି ଯିଏ ଦିନେ ଥିଲେ ସକ୍ରିୟ ନକ୍ସଲ ସଦସ୍ୟ । ସେପଟେ ସୁକମାରେ ନକ୍ସଲ ପ୍ରଭାବିତ ଇଲାକାର ପିଲାଙ୍କୁ ପାଠ ପଢାଇବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ପୂଜାପାଠର ପବିତ୍ର ବାତାବରଣ ଭିତରେ ହଜି ଯାଇଛି ହିଂସା । ମନ୍ତ୍ରପାଠ ଭିତରେ ହଜି ଯାଇଛି ରକ୍ତପାତ । ଲୋକଙ୍କ ପାଇଁ ପୂଜାର୍ଚ୍ଚନା କରୁଥିବା ଏହି ପୂଜକ ଜଣକ ଦିନେ ଥିଲେ ଲାଲ କରିଡରର ସକ୍ରିୟ ସଦସ୍ୟ । ସେବେ ଥିଲା ହାତରେ ବନ୍ଧୁକ, ଏବେ ବେଲପତ୍ର । ସେବେ ପିନ୍ଧୁଥିଲେ ଅଲିଭ ଗ୍ରୀନ ପୋଷାକ, ଏବେ ଶୁଭ୍ର ବସ୍ତ୍ର ପରିହିତ । ନକ୍ଲଲ ସଂଗଠନରେ ନାଁ ଥିଲା କରୁ ସିଂ, ଆଉ ଏବେ ପୂଜକ ଦୀନବନ୍ଧୁ ସିଂ । ଝାଡଖଣ୍ଡ ଜାମସେଦପୁର ଦଲମା ଅଭୟାରଣ୍ୟ ଭିତରେ ଚଲିଆମା ଗାଁର ଏହି ଦୃଶ୍ୟ ନୂଆ ଧାରା ଦେଖାଇଛି । ପରିସ୍ଥିତିରେ ପଡି ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ ଦୀନବନ୍ଧୁ ସିଂ । ହେଲେ ବୁଝି ପାରିଥିଲେ ଅସଲ କଥା । ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ । ୨୦୧୨ରେ ଜେଲ୍ରୁ ଆସିବା ପରେ ଗାଁକୁ ଫେରି ଆସିଥିଲେ ଆଉ ତାପରେ ବଦଳି ଯାଇଥିଲା ତାଙ୍କ ଜୀବନ । ସେବେଠାରୁ ଭଲବାଟରେ ଚାଲିବା ପାଇଁ ଲୋକଙ୍କୁ ବୁଝାଉଛନ୍ତି ଦୀନବନ୍ଧୁ । ନକ୍ସଲ ପ୍ରଭାବିତ ସୁକମାର ଏହି ଦୃଶ୍ୟ ବି ଦେଖାଇଛି ଆଶାର ଆଲୋକ ।ପୋଲିସ-ନକ୍ସଲ ଗୁଳି ବିନିମୟରେ ସୁକମା ଲହୁଲୁହାଣ ହୋଇଛି । ଆଦିବାସୀ ବହୁଳ ଇଲାକାର ଭବିଷ୍ୟତ ପୀଢି ହାତରେ ଏବେ ଶିକ୍ଷା ଭଳି ନୂଆ ଅସ୍ତ୍ର । ନକ୍ସଲ ପ୍ରଭାବିତ ଅଞ୍ଚଳର ପିଲାଙ୍କୁ ଶିକ୍ଷାଦାନ କରିବା ଲାଗି ଆରମ୍ଭ ହୋଇଛି ସ୍ବତନ୍ତ୍ର ଅଭିଯାନ । ଯେଉଁଠି ବିକାଶ ଯେତେ ପଛୁଆ, ସେଠି ନକ୍ସଲ ସେତେ ପ୍ରଭାବ ବିସ୍ତାର କରିଥାନ୍ତି ।ଏମିତି ସ୍ଥିତିରେ ଶିକ୍ଷାର ଭୂମିକା ଗୁରୁତ୍ବପୂର୍ଣ୍ଣ ।ନକ୍ସଲ କ୍ୟାଡରଙ୍କ କଥାରେ ଭଳି ଯାଇ ସରଳ ଆଦିବାସୀଙ୍କୁ ଅବାଟରେ ଯିବାକୁ ରୋକିବ ଶିକ୍ଷା ଅଭିଯାନ । ପୂଜକ ଦୀନବନ୍ଧୁ ସିଂ ଏବଂ ସୁକମାର ଏହି ସ୍କୁଲ ଲାଲକରିଡରରେ ନୂଆ ଦିଗ ଦେଖାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.