ନୱାଜୁଦ୍ଦିନଙ୍କ ନାଁରେ ପତ୍ନୀଙ୍କ ସାଙ୍ଘାତିକ ଅଭିଯୋଗ, କହିଲେ ୭ଦିନ ହେଲାଣି ଅଛନ୍ତି ବନ୍ଦୀ !
1/02/2023 at 6:18 PM

ମୁମ୍ବାଇ: ବଲିଉଡର ଭେଟେରାନ୍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି । ଗତକିଛି ଦିନ ହେବ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଭିନେତା। ତାଙ୍କ ବିରୋଧରେ ପୁଣି ଆସିଛି ସାଙ୍ଘାତିକ ଅଭିଯୋଗ । ନୱାଜୁଦ୍ଦିନଙ୍କ ବିରୋଧରେ ତାଙ୍କ ପତ୍ନୀ ଆଣିଛନ୍ତି ନିର୍ଯ୍ୟାତନାର ଅଭିଯୋଗ । ତେବେ ଏହି କଥା କିଛି ନୂଆ ନୁହେଁ । ପୂର୍ବରୁ ମଧ୍ୟ ଅଭିନେତାଙ୍କ ପତ୍ନୀ ଆଲିଆ ଶାଶୁଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ବର୍ତ୍ତମାନ ସେ ନୱାଜୁଦ୍ଦିନଙ୍କ ପରିବାର ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି ।
ଆଲିଆ ନିଜ ଆକାଉଣ୍ଟରୁ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କହୁ ନାହାଁନ୍ତି, କିନ୍ତୁ ପୋଷ୍ଟର କ୍ୟାପସନରେ ସେ ପୁରା କାହାଣୀକୁ ବହୁତ ଭଲ ଭାବରେ ଲେଖିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ସେ ଏକ ହଲରେ ଅଛନ୍ତି । ଯେଉଁଠାରେ ଦୁଇଟି ସୋଫାକୁ ଏକାଠି ରଖାଯାଇ ବେଡ୍ ଭାବେ ବ୍ୟବହାର କରାଯାଉଛି । ତେବେ ଏହି ପୋଷ୍ଟକୁ ସେୟାର କରି ଆଲିଆ ଲେଖିଛନ୍ତି- ଗତ ୭ଦିନ ଧରି ମୁଁ କେବଳ ନିଜ ସ୍ୱାମୀଙ୍କ ଘରେ ଶୋଇବା ପାଇଁ ହଲ୍ ବ୍ୟବହାର କରିବାକୁ ବାଧ୍ୟ ହେଉଛି। ଏକ ଛୋଟ ବାଥରୁମ ରହିଛି ଏବଂ ଖାଦ୍ୟ କିମ୍ବା ଶୋଇବା ସ୍ଥାନ ଉପଲବ୍ଧ ନାହିଁ ।
ଏଠାରେ ବଡିଗାର୍ଡମାନେ ମୋ ଉପରେ ନଜର ରଖିଛନ୍ତି । ଏଥିସହିତ ସମସ୍ତ ସାତୋଟି ବେଡରୁମ୍ ମୋ ଶାଶୁ ତାଲା ପକାଇ ଦେଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୱାଜୁଦ୍ଦିନଙ୍କ ପତ୍ନୀ ଏବଂ ମାଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ କିଛି ବିବାଦ ଥିବା ଖବର ରହିଛି । ତେବେ ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତାଙ୍କର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।