ସମ୍ବଲପୁରର ଆରାଧ୍ୟଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ, ଧବଳମୂଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମା’

Published By : Prameya-News7 Bureau | September 28, 2019 IST

ସମ୍ବଲପୁର ୨୮।୯: ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ଆରାଧ୍ୟଦେବୀ ମା’ ସମଲେଶ୍ବରୀଙ୍କୁ ଆଜି ଧବଳମୂଖୀ ବେଶ କରାଯାଇଛି। ଏହାକୁ ମା’ଙ୍କ ଗଙ୍ଗାବେଶ ବୋଲି ମଧ୍ୟ କୁହାଯାଏ। ଏହି ବେଶ ଦେଖିବାକୁ ଭୋର ୪ଟାରୁ ସମଲେଶ୍ବରୀ ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ବିନା ବ୍ୟାରେକେଡ୍‌ ଓ ହାତଗଣତି କିଛି ପୋଲିସ୍ କର୍ମୀଙ୍କ ଉପସ୍ଥିତିରେ, ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଦର୍ଶନ କରୁଛନ୍ତି । ରାତି ୧୨ଟା ଯାଏଁ ଏହି ଦର୍ଶନ ବ୍ୟବସ୍ଥା ଜାରି ରହିବାକୁ ଥିବାବେଳେ, ଆଜିଠାରୁ ନବରାତ୍ରପୂଜା ଓ ମାନସିକ ଦୀପ ବସାଇବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।

{"id":163680}

ମହାଳୟା ଅମାବାସ୍ୟାଠାରୁ, ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ପଶ୍ଚିମଓଡିଶାର ଆରାଧ୍ୟଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ମୂଳାଷ୍ଟମୀଠାରୁ ୧୬ଦିନ ପୂଜା ଆରମ୍ଭ ହୋଇଯାଇଥିବା ବେଳେ, ଆଜିଠାରୁ ନବରାତ୍ର ପୂଜା ଆରମ୍ଭ ହୋଇଛି। ଆଜି ପବିତ୍ର ମହାଳୟା ଅମବାସ୍ୟା ତିଥିରେ ମା’ ସମଲେଶ୍ବରୀଙ୍କୁ ଧବଳମୁଖୀ ବେଶରେ ସଜ୍ଜିତ କରାଯାଇଛି। ବର୍ଷ ତମାମ ମା’, ଶ୍ରଦ୍ଧାଳୁମାନଙ୍କୁ ସିନ୍ଦୁରବର୍ଣ୍ଣା ରକ୍ତମୁଖା ବେଶରେ ଦର୍ଶନ ଦେଉଥିବା ବେଳେ, ଆଜି ଦିନଟିଏ ମା’ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ଧବଳମୁଖୀ ବେଶ ବା ଗଙ୍ଗା ବେଶରେ ଦର୍ଶନ ଦେଇଥାନ୍ତି। ଏହି ବେଶ ଦର୍ଶନ କରିବାକୁ, କାହିଁ କେତେ ଦୂରରୁ ଶ୍ରଦ୍ଧାଳୁମାନେ ଛୁଟି ଆସିଥାନ୍ତି ମା’ ସମଲେଶ୍ବରୀଙ୍କ ପୀଠକୁ।

{"id":163681}

ବିନା ବ୍ୟାରିକେଡ୍‌, ବିନା ପୋଲିସ୍‌ ପହରାରେ ଶ୍ରଦ୍ଧାଳୁମାନେ ଶାନ୍ତିପୂର୍ଣ୍ଣ ଭାବରେ ଶୃଙ୍ଖଳିତ ଧାଡିରେ ଯାଇ ମାଆଙ୍କୁ ଦର୍ଶନ କରିଥାନ୍ତି। କୁହାଯାଏ ମହାଳୟା ଅମାବାସ୍ୟା ତିଥିରେ ମା’ ସମଲେଶ୍ବରୀଙ୍କୁ ଧବଳମୁଖୀ ବେଶରେ ଦର୍ଶନ କଲେ, କୋଟି ପୂଣ୍ୟ ମିଳିବା ସହ, ପିତୃଲୋକ ଶାନ୍ତି ଅନୁଭବ କରିଥାନ୍ତି ।

{"id":163682}

ମା’ ସମଲେଶ୍ବରୀଙ୍କ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ, ମନ୍ଦିର ପ୍ରଶାସନ ଓ ପୋଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁ ମାନେ ଯେପରି ଶୃଙ୍ଖଳିତ ଦର୍ଶନ କରିପାରିବେ, ସେଥିପାଇଁ ଧାଡିର ବ୍ୟବସ୍ଥା କରାଯାଇଥିବା ବେଳେ, ମନ୍ଦିର ଗର୍ଭ ଗୃହନିକଟରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ଆଜିଠାରୁ ମାନସିକ ଅଖଣ୍ଡ ଦୀପ ବସାଇବାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଦୀପଦାନ କରିଛନ୍ତି। ଏହି ଦୀପ ଗୁଡିକ ବିଜୟା ଦଶମୀ ପର୍ଯ୍ୟନ୍ତ ଜଳିବା ବ୍ୟବସ୍ଥା କରାଯାଇଛି। 

{"id":163683}

ମା’ଙ୍କ ଧବଳମୁଖୀ ବେଶ ଦର୍ଶନ କରିବାକୁ, ଓଡିଶା ସମେତ ପଡୋଶୀ ଛତିଶଗଡ, ଝାଡଖଣ୍ଡରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ମା’ଙ୍କ ଏହି ବେଶ କାର୍ଯ୍ୟକ୍ରମ କରିବା ପାଇଁ ଗତକାଲି ରାତି ୧୧ଟାରୁ ମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇ ଆଜି ଭୋର ୪ଟାରେ ସରିଥିବା କହିଛନ୍ତି ମନ୍ଦିରର ମୁଖ୍ୟ ପୂଜକ ।

{"id":163684}

ମା’ ସମଲେଶ୍ବରୀଙ୍କ ମହାଳୟା ଅମବାସ୍ୟା ଦିନ, ଧବଳମୁଖୀ ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଥିବା ବେଳେ, କୁମାର ପୂର୍ଣ୍ଣମୀ ଦିନ ରାଜରାଜେଶ୍ବରୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥାନ୍ତି। ଏହି ବେଶ ଦେଖିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁ ମାନଙ୍କ ମନ୍ଦିରରେ ସମାଗମ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.