୧୪୪ ଧାରା ସାଂଗକୁ ରାଜଧାନୀର ଦୁଇ ପ୍ରବେଶ ପଥ ପୋଲିସ ଛାଉଣୀ, ପଶି ପାରିଲେନି ଚାଷୀ, ସରକାର କିନ୍ତୁ ଭୟଭୀତ : ଗଠନ କଲେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି, ବିରୋଧୀଙ୍କ ସମାଲୋଚନା

Published By : Prameya-News7 Bureau | November 05, 2018 IST

ଭୁବନେଶ୍ବର ୫|୧୧: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବି ରାଜଧାନୀକୁ ପଦଯାତ୍ରା କରିଥିଲେ ଚାଷୀ । ହେଲେ ପଶିବା ପୂର୍ବରୁ ପୋଲିସ ସେମାନଙ୍କୁ ଅଟକାଇ ଗିରଫ କରିନେଇଥିଲା। ଚାଷୀଙ୍କୁ ରାଜଧାନୀ ମନା ହୋଇଥିବାବେଳେ ନେତାଙ୍କୁ ଗାଁ ମନା ବୋଲି ଚାଷୀ ଚେତାବନୀ ଦେଇଛନ୍ତି। ଚାଷୀ ସମସ୍ୟାର ସମାଧାନ ନେଇ ସରକାର ତିନି ଜଣିଆ ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି । ହେଲେ ବିରୋଧୀ ଏହି କମିଟିକୁ ନାପସନ୍ଦ କରିଛନ୍ତି। କେବଳ ସମୟ ଗଡାଇବା ପାଇଁ ଏହି କମିଟି ବୋଲି କହିଛନ୍ତି। ଆଜି ରାଜଧାନୀକୁ ୨ ପଟୁ ଘେରିଥିଲେ ଚାଷୀ । ହଜାର ହଜାର ଚାଷୀ ମାର୍ଚ୍ଚଫାଷ୍ଟ କରିଥିଲେ। ବିଭିନ୍ନ ସ୍ଥାନରେ ରାସ୍ତା ଜାମ୍ କରିଥିଲେ ।  ପୋଲିସ ଠାଏ ଠାଏ ଗିରଫ ବି କରିଥିଲା । ଚାଷୀଙ୍କୁ ପ୍ରାଇସ୍ ପ୍ରେଷ୍ଟିଜ୍ ପେନସନ ଦିଅ । ଅଧ୍ୟାଦେଶ ଜାରି କର ।  ଏଭଳି ଦାବି ନେଇ ରାଜଧାନୀ ମୁହାଁ ହୋଇଥିଲା ନବନିର୍ମାଣ କୃଷକ ସଙ୍ଗଠନର ସଦସ୍ୟ । ଚାଷୀମାନେ ପଦଯାତ୍ରା କରି ରାଜଧାନୀର ଦୁଇ ପଟୁ  ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । । ଗୋଟିଏ ଗୋଷ୍ଠୀ ହଂସପାଳ ଏବଂ ଅନ୍ୟ ଗୋଷ୍ଠୀ ଖଣ୍ଡଗିରି ପଟୁ ପଶିବାକୁ ଉଦ୍ୟମ କରିଥିଲା।  ପୋଲିସ ଜାତୀୟ ରାଜପଥରେ ୧୪୪ ଧାରା ଜାରି କରି ସେମାନଙ୍କୁ ଅଟକାଇଥିଲା । ଫଳରେ ପୋଲିସ ଜଣକ ପରେ ଜଣକୁ ଗିରଫ କରିଥିଲା। ଚାଷୀ ଯୁକ୍ତି ବାଢ଼ିଛନ୍ତି ଯେ, ସରାକରଙ୍କୁ ସମସ୍ୟା ଜଣାଇବାକୁ ରାଜଧାନୀ ଆସୁଥିଲେ ସେମାନେ । ଯଦି ଚାଷୀଙ୍କୁ ରାଜଧାନୀ ମନା, ତାହେଲେ ନେତାଙ୍କୁ  ଗାଁ ମନା ବୋଲି ଚେତାବନୀ ଦେଇଛନ୍ତି। ଚାଷୀଙ୍କ ଭିତରେ ଶହଶହ ସଂଖ୍ୟାରେ ବୟସ୍କ ଓ ମହିଳା ଥିଲେ। କେତେବେଳେ ପୋଲିସ ସେମାନଙ୍କୁ ଘଉଡ଼ାଉଥିଲା ତ ଆଉ କେତେବେଳେ ଟେକିନେଇଥିଲା ଆଉ କେତେବେଳେ ବୟସ୍କମାନଙ୍କୁ ଉଠାଇ ସୁରକ୍ଷିତ ସ୍ଥାନରେ ଛାଡ଼ିଥିଲା। ତେବେ ଚାଷୀଙ୍କ ରାସ୍ତା ଅବରୋଧ ଯୋଗୁଁ ଜାତୀୟ ରାଜପଥ ୩ ଘଣ୍ଟା ଧରି ଜାମ୍ ହୋଇଯାଇଥିଲା । ରାଜଧାନୀରେ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ। ତେବେ ପୋଲିସ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିଥିଲା । କିନ୍ତୁ ଲୋୟର ପିଏମଜିରେ ଚାଷୀ ଡାକିଥିବା ସମାବେଶ ଯୋଜନା ଭଣ୍ଡୁର ହୋଇଥିଲା। ଚାଷୀଙ୍କ ଗର୍ଜନ ଦେଖି ରାଜ୍ୟ ସରକାରଙ୍କର କିନ୍ତୁ ଅକଲ ଗୁଡ଼ୁମ । ବିରୋଧୀ କଂଗ୍ରେସ ଚାଷୀଙ୍କ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ବିଜେପି ନୈତିକ ସମର୍ଥନ ଘୋଷଣା କରିଥିଲା । ଯାହାକି ସରକାରଙ୍କ ଉପରେ ଅଧିକ ଚାପ ପକାଇଥିଲା ।  ଗତକାଲି ଅର୍ଥମନ୍ତ୍ରୀଙ୍କୁ ପଠେଇ ଚାଷୀଙ୍କ ସହିତ ଆଲୋଚନା କରିଥିଲେ ସରକାର । ତେବେ ଏହା ଫଳପ୍ରଦ ହୋଇନଥିଲା । ତଥାପି ବି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯଇଛି । ପଞ୍ଚାୟତରାଜ ଓ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏଥିରେ ସଦସ୍ୟ ରହିବେ। ଏହି କମିଟି ଚାଷୀ ସଙ୍ଗଠନକୁ ଡାକି ସମସ୍ୟା ସମାଧାନ ନେଇ ଆଲୋଚନା କରିବ। ଏପଟେ ଏଭଳି କମିଟିକୁ ନାପସନ୍ଦ କରିଛନ୍ତି ବିରୋଧୀ । ସରକାର ଅନେକ କମିଟି ଓ କମିଶନ ଗଠନ କରିଛନ୍ତି ତାହାର ଫଳ ମିଳିପାରିନାହିଁ ବୋଲି କହିଛନ୍ତି। ଯଦିଓ ଚାଷୀ ସମାବେଶ କରିପାରିନାହାନ୍ତି ତେବେ ଚେତାଇ ଦେଇଛନ୍ତି ଯେ ସେମାନେ ଗାଁ ଗାଁରେ ସେମାନଙ୍କର ସ୍ବର ଉଠାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.