ଏବେ ପଟିଆଲା ଜେଲ୍‌ରେ କଟିବ ସିଦ୍ଧୁଙ୍କ ରାତି, ଦିନକୁ ଆୟ କରିବେ ୩୦ରୁ ୯୦ ଟଙ୍କା

Published By : Prameya-News7 Bureau | May 20, 2022 IST

ନୂଆଦିଲ୍ଲୀ: ଏକ ପୁରୁଣା ମାମଲାରେ ପଞ୍ଜାବ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ୍ ହୋଇଛି। ଶୁକ୍ରବାର କୋର୍ଟରେ ଆତ୍ମ ସମର୍ପଣ କରିବା ପରେ ପଟିଆଲା ଜେଲ୍‌କୁ ଯାଇଛନ୍ତି ସିଦ୍ଧୁ। ଜେଲ୍ ପ୍ରଶାସନ ତାଙ୍କୁ ଅନ୍ୟ କଏଦୀଙ୍କ ପରି ଏକ ନମ୍ବର ଦେଇଛନ୍ତି। ଜେଲରେ ରହୁଥିବା କଏଦୀଙ୍କୁ ସେମାନଙ୍କର ନାଁ ନୁହେଁ କଏଦୀ ନମ୍ବରରୁ ଚିହ୍ନଟ କରାଯାଏ। ଜେଲ୍ ପହଞ୍ଚିବା ମାତ୍ରେ ସିଦ୍ଧୁଙ୍କୁ କଏଦୀ ନମ୍ବର ୨୪୧୩୮୩ ମିଳିଛି। ଗତକାଲି ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏକ ପୁରୁଣା ମାମଲାରେ ଗୋଟିଏ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ।

ପଞ୍ଜାବ ବିଧାନସଭା ନିର୍ବାଚନରେ ନିଜ୍ ଆସନରୁ ହାରିବା ପରଠୁ ସିଦ୍ଧୁଙ୍କ ଲୋକ ପ୍ରିୟତା ଏବଂ ଛବି ଉପରେ ଗ୍ରହଣ ଲାଗିଛି। ପ୍ରଥମେ ତାଙ୍କୁ ପିସିସି ପଦରୁ କଢାଗଲା ଏବଂ ଦଳରେ କଣଠେସା କରାଗଲା। ଏବେ ୩୪ ବର୍ଷର ପୁରୁଣା କେସରେ ତାଙ୍କୁ ଜେଲ୍ ଦଣ୍ଡାଦେଶ ମିଳିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିଦ୍ଧୁ କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି। ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ପଟିଆଲା ଜେଲ୍‌ ପଠାଇ ଦିଆଯାଇଛି। ସିଦ୍ଧୁ ଏବେ ଗୋଟିଏ ବର୍ଷ ପାଇଁ କଏଦୀ ନମ୍ବର ୨୪୧୩୮୩ ଭାବେ ସଜା କାଟିବେ।

୩୦ ରୁ ୯୦ ଟଙ୍କା ପ୍ରତିଦିନ ଆୟ କରିବେ ସିଦ୍ଧୁ

ପ୍ରତିଦିନ ଲକ୍ଷାଧିକ ଟଙ୍କା ଆୟ କରୁଥିବା ସିଦ୍ଧୁ ଏବେ ଜେଲରେ କେବଳ ଦିନକୁକ ୩୦ ରୁ ୯୦ ଟଙ୍କା ଆୟ କରି ପାରିବେ। ଜେଲ୍ ପ୍ରଶାସନର ନିୟମ ଅନୁଯାୟୀ, କଏଦୀଙ୍କୁ ଧଳା ପୋଷାକ  ପିନ୍ଧିବା ଜରୁରୀ। ଏଥିପାଇଁ ରଙ୍ଗୀନ ଜୀବନ ଅତିବାହିତ କରିଥିବା ସିଦ୍ଧୁଙ୍କୁ ଏବେ ଅନ୍ୟ କଏଦୀଙ୍କ ପରି ଧଳା ପୋଷାକ ପିନ୍ଧିବାକୁ ପଡିବ। ଜେଲ୍‌ରେ କଏଦୀଙ୍କୁ କାମ କରିବାକୁ ପଡିବ। କାରଣ ସିଦ୍ଧୁ ଏବେ ଜେଲ୍‌ରେ ପହଞ୍ଚିଥିବାରୁ ତାଙ୍କୁ ପ୍ରଥମ ତିନି ମାସ ପ୍ରଶିକ୍ଷଣ ନେବାକୁ ପଡିବ। ତାଙ୍କୁ ଏହି ତିନି ମାସ ମାଗଣାରେ କାମ କରିବାକୁ ପଡିବ। ଏହା ପରେ କାମ ପାଇଁ ବେତନ ମିଳିବ। କାମ ପାଇଁ ସିଦ୍ଧୁଙ୍କୁ ପ୍ରତି ଦିନ ୩୦ ରୁ ୯୦ ଟଙ୍କା ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.