ଅମୃତସରରେ ଟ୍ରେନ୍ ମାଡିଯାଇ ପ୍ରାଣ ହରାଇଥିବା ଲୋକଙ୍କ ପରିବାରର ଦାୟିତ୍ବ ନେବେ ନବଜୋତ ସିଂ ସିଦ୍ଧୁ, ସାମ୍ବାଦିକ ସମ୍ମିଳନୀରେ କଲେ ଘୋଷଣା

Published By : Prameya-News7 Bureau | October 23, 2018 IST

ଅମୃତସର ୨୩|୧୦: ଅମୃତସରରେ ଦଶହରା ଦିନ ମାଡିଯାଇ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ପରିବାରର ଦାୟିତ୍ବ ନେବେବୋଲି କହିଛନ୍ତି ଅମୃତସର (ପୂର୍ବ) ବିଧାୟକ ତଥା ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ । ଏକ ସାମ୍ବାଦିକ ସମ୍ମିଳନୀରେ ସିଦ୍ଧୁ କହିଛନ୍ତି ଯେ, ଟ୍ରେନ୍ ମାଡିଯିବା ଯୋଗୁଁ ଯେଉଁ ଛୋଟ ପିଲାମାନେ ପ୍ରଭାବିତ ହୋଇଛନ୍ତି ସେମାନଙ୍କୁ ସେ ପୋଷ୍ୟଭାବେ ଗ୍ରହଣ କରିବେ । ଯେଉଁ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ପ୍ରାଣ ହରାଇଛନ୍ତି ସେହି ପରିବାରର ଭରଣପୋଷଣ ଦାୟିତ୍ବ ମଧ୍ୟ ନେବେ । ଅପରପକ୍ଷରେ ଏହି ଘଟଣା ପାଇଁ ଜାତୀୟ ମାନବାଧିକାର କମିଶନ ରେଳ ମନ୍ତ୍ରାଳୟ ଓ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି । ରେଳବାଇ ଓ ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ସୁରକ୍ଷା ପ୍ରଦାନରେ ବିଫଳ ହୋଇଛନ୍ତି ବୋଲି କମିଶନ ତାଙ୍କ ନୋଟିସରେ ଦର୍ଶାଇବା ସହ ୪ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ କହିଛନ୍ତି । ନବଜୋତ ସିଂ ସିଦ୍ଧୁଙ୍କ ଘନିଷ୍ଠ ସହଯୋଗୀ ସୌରଭ ମିଠୁ ମଦନ ଏହି ରାବଣ ପୋଡି ଉତ୍ସବର ଆୟୋଜନ କରିଥିଲେ ।ଏହି ଉତ୍ସବରେ ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଉତ୍ସବରେ ଶ୍ରୀମତୀ କୌର ବିଲମ୍ବରେ ପହଞ୍ଚିଥିଲେ । ଫଳରେ ରାବଣ ପୋଡି ବିଳମ୍ବରେ ହୋଇଥିଲା । ଏହି ବିଳମ୍ବ ମଧ୍ୟ ଦୁର୍ଘଟଣାର ଅନ୍ୟତମ କାରଣ ବୋଲି କୁହାଯାଇଛି । ଭିଡ ପରିଚାଳନା କ୍ଷେତ୍ରରେ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ଜାତୀୟ ମାନବାଧିକାର କମିଶନ ଅନୁଭବ କରିବା ପରେ ଗଣମାଧ୍ୟମ ରିପୋର୍ଟ ଆଧାରରେ ନିଜଆଡୁ ମାମଲା ଆରମ୍ଭ କରିଛନ୍ତି । ସେହିଭଳି ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ପଞ୍ଜାବ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ମାମଲା ଆଗତ କରିଥିବା ଦୀନେଶ କୁମାର ଡାକୋରିଆ ତାଙ୍କ ଆବେଦନରେ କହିଛନ୍ତି ଯେ, ଏହି ଦୁଃଖଦ ଘଟଣା  ପାଇଁ ରାବଣ ପୋଡି ଆୟୋଜନକାରୀ ମାନେ ଦାୟୀ । ସେହିଭଳି ବିହାରର ଏକ ସିଜେଏମ ଅଦାଲତରେ ମଧ୍ୟ ଏକ ମାମଲା ଦାୟର ହୋଇଛି । ନବଜୋତ ସିଂ ସିଦ୍ଧୁଙ୍କ  ପତ୍ନୀ ନବଜୋତ କୌରଙ୍କ ବିରୋଧରେ ମାମଲା ପଞ୍ଜିକୃତ କରିବା ପାଇଁ ଏହି ମାମଲାରେ କୋର୍ଟଙ୍କୁ ନିବେଦନ କରାଯାଇଛି । ଗତକାଲି ପଞ୍ଜାବ କଂଗ୍ରେସ ସଭାପତି ସୁନୀଲ ଝାଖଡଙ୍କ ସହ ନବଜୋତ ସିଂ ଆୟୋଜିତ କରିଥିବା ସାମ୍ବାଦିକ ସମ୍ମିଳନୀରେ ରେଳ ବିଭାଗର ହୃଦୟହୀନତା ନେଇ ପ୍ରଶ୍ନ ଉଠାଯାଇଛି । ରେଳ ବିଭାଗର ଏ ଘଟଣାରେ କିଛି ଭୁଲ ନାହିଁ ବୋଲି କହି ରେଳ ରାଷ୍ଟ୍ର ମନ୍ତ୍ରୀ ଏବଂ ରେଳବାଇ ବୋର୍ଡ ଅଧ୍ୟକ୍ଷ ଯେଉଁଭଳି ହାତ ଧୋଇଦେଇଛନ୍ତି ତାକୁ ଝାଖଡ ତୀବ୍ର ସମାଲୋଚନା କରିଛନ୍ତି । ଏପରିକି ଘଟଣାର ୮ଘଣ୍ଟା ମଧ୍ୟରେ ଟ୍ରେନର ଡ୍ରାଇଭରଙ୍କୁ ରେଳ ବିଭାଗ କିଭଳି କ୍ଲିନ୍ ଚିଟ୍ ପ୍ରଦାନ କଲା ବୋଲି ମଧ୍ୟ ସେ କ୍ଷୋଭ ବ୍ୟକ୍ତ କରିଛନ୍ତି । ଇତିମଧ୍ୟରେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬୦ଜଣଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୨୧ଜଣଙ୍କ ପରିବାରକକୁ ୫ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ହସ୍ତାନ୍ତର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.