ନୂଆଦିଲ୍ଲୀ: ବ୍ରେଷ୍ଟ କ୍ୟାନ୍ସର ଭଳି ମାରାତ୍ମକ କର୍କଟ ରୋଗର ୪ର୍ଥ ଷ୍ଟେଜରୁ ସୁସ୍ଥ ହୋଇଛନ୍ତି ପୂର୍ବତନ କ୍ରିକେଟର ନଭଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନଭଜୋତ କୌର ସିଦ୍ଧୁ । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଏବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୂର୍ବତନ କ୍ରିକେଟର। ହେଲେ ଏବେ ସୋସିଆଲ ମିଡିଆରେ ସିଦ୍ଧୁଙ୍କ ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଯେଉଁଥିରେ ସେ କହୁଛନ୍ତି, କିଭଳି ତାଙ୍କ ପତ୍ନୀ ଠିକ୍ ରୁଟିନ ଏବଂ ଡାଏଟ୍ କାରଣରୁ ମାତ୍ର ୪୦ ଦିନରେ ସୁସ୍ଥ ହୋଇଛନ୍ତି।
ଭାଇରାଲ ଭିଡିଓରେ ସିଦ୍ଧୁ କହୁଛନ୍ତି, ତାଙ୍କ ପତ୍ନୀ ଷ୍ଟେଜ ୪ କ୍ୟାନ୍ସରରେ ପୀଡ଼ିତ ଥିଲେ ଆଉ ଏଥିରୁ ବଞ୍ଚିବା ପାଇଁ କେବଳ ୫ ପ୍ରତିଶତ ସମ୍ଭାବନା ଥିଲା। ହେଲେ ନିମ୍ବ, ହଳଦୀ, ଲେମ୍ବୁ, ଅଁଳା ଖାଇବା ଯୋଗୁଁ ତାଙ୍କ ପତ୍ନୀ କ୍ୟାନ୍ସରରୁ ସୁସ୍ଥ ହୋଇପାରିଛନ୍ତି। ସିଦ୍ଧୁ କହିଛନ୍ତି ସେ କ୍ୟାନ୍ସରକୁ ଏଥିପାଇଁ ହରାଇପାରିଲେ ଯେ, ତାଙ୍କ ପାଖରେ ଟଙ୍କା ଥିଲା, ବରଂ ସେ କ୍ୟାନ୍ସରକୁ ହରାଇପାରିଲେ କାରଣ ସେ ଶୃଙ୍ଖଳିତ ଡାଏଟ ପାଳନ କରୁଥିଲେ। ଆଉ ଏସବୁ କାରଣରୁ ସେ ୪୦ ଦିନ ପରେ ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଛନ୍ତି।
ସିଦ୍ଧୁ କହିଛନ୍ତି ତାଙ୍କ ପତ୍ନୀଙ୍କ ଦିନ ଆରମ୍ଭ ହେଉଥିଲା ଲେମ୍ବୁ ପାଣି ପିଇବାରୁ। ଏହା ପରେ ସେ କଞ୍ଚା ହଳଦୀ, ଆପଲ ସାଇଡର ଭିନେଗାର, ନିମ୍ବ ପତ୍ର ଏବଂ ତୁଳସୀ ଖାଉଥିଲେ। ସିଟ୍ରସ ଫ୍ରୁଟ୍ ଏବଂ କଖାରୁ, ଡାଳିମ୍ବ, ଅଁଳା, ବିଟ୍ ରୁଟ୍ ଏବଂ ଓ୍ବାଲନାଟର ଜୁସ୍ ପ୍ରତିଦିନ ପିଉଥିଲେ। ସନ୍ଧ୍ୟା ପରେ କିଛି ଖାଇବାକୁ ଦିଆଯାଉନଥିଲା। ଆଉ ପରଦିନ ସକାଳେ ୧୦ଟାରେ ପୁଣି ଲେମ୍ବୁ ପାଣି ପିଉଥିଲେ। ଆଉ ଏଥିପାଇଁ ସେ ସୁସ୍ଥ ହୋଇପାରିଛନ୍ତି । ସିଦ୍ଧୁ କହିଛନ୍ତି ମିଠା ଏବଂ କାର୍ବୋହାଇଡ୍ରେଡ ନଖାଇଲେ କ୍ୟାନ୍ସର ସେଲ ମନକୁ ମନ ମରିଯିବେ।
ଏହାକୁ ନେଇ କ’ଣ କହିଛନ୍ତି ବିଶେଷଜ୍ଞ ଡାକ୍ତର
ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କ୍ୟାନ୍ସରରୁ ସୁସ୍ଥ ହେବା ପାଇଁ ସଠିକ୍ ପୋଷଣ ଜରୁରୀ। କିନ୍ତୁ କ୍ୟାନ୍ସରରୁ ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ କେବଳ ପୋଷଣ ପର୍ଯ୍ୟାପ୍ତ ହେବନାହିଁ। ହେପେଟୋଲୋଜିଷ୍ଟ ଡା. ସିରିଏକ ଏଭି ଫିଲିପ୍ସ କହିଛନ୍ତି ଖାଦ୍ୟ ନଖାଇବା କାରଣରୁ ରୋଗୀଙ୍କୁ ଆବଶ୍ୟକ ପୋଷକ ତତ୍ତ୍ବ ମିଳିନଥାଏ ଫଳରେ କ୍ୟାନ୍ସର ସେଲ୍ ମରିବା ଆରମ୍ଭ କରିଥାଏ। ଯାହା ସୁସ୍ଥ ହେବା ପାଇଁ ଆବଶ୍ୟକ।
ଦିଲ୍ଲୀ ସିକେ ବିରଲା ହସ୍ପିଟାଲରେ ସର୍ଜିକାଲ ଅଙ୍କୋଲୋଜିର ନିର୍ଦ୍ଦେଶକ ଡା. ମନ୍ଦୀପ ସିଂହ ମଲହୋତ୍ରା କହିଛନ୍ତି, କ୍ୟାନ୍ସରରୁ ସୁସ୍ଥ ହେବାରେ ଖାଦ୍ୟର ଭୂମିକା ବେଶ୍ ମହତ୍ବପୂର୍ଣ୍ଣ । କିନ୍ତୁ ଏହା କେମୋଥେରାପୀ, ରେଡିଏସନ କିମ୍ବା ସର୍ଜରୀ ଭଳି ପାରମ୍ପରିକ କ୍ୟାନ୍ସର ଚିକିତ୍ସାର ସ୍ଥାନ ନେଇପାରିବନି।’’ ସେ କହିଛନ୍ତି, ସମୟ ବ୍ୟବଧାନରେ ଖାଦ୍ୟ ଖାଇବା କିମ୍ବା ଓପାସ ରହିବା ଠିକ୍ ନୁହେଁ। କାରଣ ଏମିତି କରିବା ଦ୍ବାରା କ୍ୟାନ୍ସର ସହ ଲଢ଼ିବା ପାଇଁ ଆବଶ୍ୟକ ପୋଷଣ ମଧ୍ୟ ମିଳିପାରିନଥାଏ।’’
ସେ କହିଛନ୍ତି ଖାଦ୍ୟକୁ ନେଇ ଏଭଳି ସ୍ବତନ୍ତ୍ର ଚିକିତ୍ସା ସମଗ୍ର ବିଶ୍ବରେ ସଂପୂର୍ଣ୍ଣ ଭାବେ ଗ୍ରହଣୀୟ ହୋଇନାହିଁ। ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଖାଦ୍ୟ ଖାଇବା ଦରକାର। ଅବଶ୍ୟ କ୍ୟାନ୍ସର ରୋଗୀଙ୍କ ଜୀବନରେ ଖାଦ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି, କାରଣ ଏହା ଚିକିତ୍ସାର ପାର୍ଶ୍ବ ପ୍ରତିକ୍ରିୟାକୁ କମ୍ କରିବାରେ ସହାୟକ ହୋଇଥାଏ, ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ।
ଡା. ମଲହୋତ୍ରା କହିଛନ୍ତି ରୋଗୀର ଶରୀରକୁ ଶକ୍ତି ମିଳିବା ଏବଂ କ୍ୟାନ୍ସର ସେଲର ବୃଦ୍ଧିକୁ କମ୍ କରିବା ପାଇଁ ପ୍ରୋଟିନ, ସ୍ବାସ୍ଥ୍ୟକର, କମ୍ ଗ୍ଲାଇସେମିକ୍ କାର୍ବୋହାଇଡ୍ରେଡ ଖାଇବା ଜରୁରୀ। କ୍ୟାନ୍ସରର ଟାଇପ୍ ଅନୁଯାୟୀ, ଡାଏଟାରି ପ୍ଲାନ ପ୍ରସ୍ତୁତ କରିବା ଦରକାର, ରୋଗୀକୁ ଅଙ୍କୋଲୋଜିଷ୍ଟ ଏବଂ ଡାଏଟିସିଆନଙ୍କ ଯୋଗାଯୋଗରେ ରହିବା ଦରକାର।
କ’ଣ କହିଛନ୍ତି ଟାଟା ମେମୋରିଆଲର ଡାକ୍ତର
ସୋସିଆଲ ମିଡିଆରେ ସିଦ୍ଧୁଙ୍କ ଏହି ବିବୃତ୍ତି ଭାଇରାଲ ହେବା ପରେ ଏବେ ଦେଶର ସବୁଠୁ ବଡ଼ କ୍ୟାନ୍ସର ହସ୍ପିଟାଲ ମଧ୍ୟରୁ ଗୋଟିଏ ଟାଟା ମେମୋରିଆଲ ହସ୍ପିଟାଲର ୨୦୦ରୁ ଅଧିକ ଡାକ୍ତର ଏକ ଚିଠି ଜାରି କରି ଲୋକଙ୍କୁ ଅପିଲ କରିଛନ୍ତି। ଏହି ଚିଠିରେ ଡାକ୍ତର କହିଛନ୍ତି ପୂର୍ବତନ କ୍ରିକେଟରଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ସେ ନିଜ ପତ୍ନୀଙ୍କ ବ୍ରେଷ୍ଟ କ୍ୟାନ୍ସର ଚିନି, କାର୍ବୋହାଇଡ୍ରେଡ ନଖାଇ ହଳଦୀ ଏବଂ ନିମ୍ବ ଖାଇବା ଦ୍ବାରା ଠିକ୍ ହୋଇଥିବା କହିଛନ୍ତି।
ଡାକ୍ତର କହିଛନ୍ତି ପୂର୍ବତନ କ୍ରିକେଟରଙ୍କ ଏହି ଦାବିର ମେଡିକାଲ ସାଇନ୍ସରେ କୌଣସି ପ୍ରମାଣ ନାହିଁ। ଏଭଳି ଆୟୁର୍ବେଦିକ ଉପାୟ ଉପରେ ରିସର୍ଚ୍ଚ ଜାରି ରହିଛି। କିନ୍ତୁ ବର୍ତ୍ତମାନ କୌଣସି ତଥ୍ୟ ନାହିଁ ଯାହା କ୍ୟାନ୍ସର ବିରୋଧୀ ଏଜେଣ୍ଟ ଭାବରେ ହଳଦୀ କିମ୍ବା ନିମ୍ବକୁ ଲାଭକାରୀ ବୋଲି ପ୍ରମାଣିତ କରିଛି। ଡାକ୍ତର ଏଭଳି ଦାବିକୁ ବିଶ୍ବାସ ନକରି, ଯଦି କ୍ୟାନ୍ସର ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି । ଯଦି ଠିକ୍ ସମୟରେ କ୍ୟାନ୍ସର ଜଣାପଡ଼ୁଛି ଏବଂ ଏହାର ଚିକିତ୍ସା କରାଯାଉଛି, ତେବେ ଏହା ଠିକ୍ ହୋଇପାରେ। ଫେଡେରେସନ ଅଫ୍ ଅଲ ଇଣ୍ଡିଆ ମେଡିକାଲ ଆସୋସିଏନ (FAIMA)ର ଅଧ୍ୟକ୍ଷ ଡା, ସୁବର୍ଣ୍ଣକର ଦତ୍ତାଙ୍କ କହିଛନ୍ତି କ୍ୟାନ୍ସର ଚିକିତ୍ସା ବିଷୟରେ ଭୁଲ ସୂଚନା ମାରାତ୍ମକ ହୋଇପାରେ।