ଇତିହାସରେ ପ୍ରଥମ ଘଟଣା : କେନ୍ଦ୍ର ବଜେଟ୍ କୁ ପ୍ରଶଂସା କଲେ ନବୀନ
5/07/2019 at 6:54 PM

ଭୁବନେଶ୍ୱର ୫।୭: କେନ୍ଦ୍ର ବଜେଟ୍ ଚିରାଚରିତ , ଅନ୍ତଃସାର ଶୂନ୍ୟ, ସାଧାରଣ ଲୋକଙ୍କ ପାଇଁ ଏଥିରେ କିଛି ନାହିଁ ବୋଲି ଅତୀତରେ କହି ଆସୁଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥରର କେନ୍ଦ୍ର ବଜେଟ୍ କୁ ଉଚ୍ଚ ପ୍ରଶଂସା କରିଛନ୍ତି। ନବୀନ କହିଛନ୍ତି ଯେ ବଜେଟ୍ ରେ କେନ୍ଦ୍ର ସରକାରଙ୍କ ଦୀର୍ଘମିଆଦି ଆଭିମୁଖ୍ୟ ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ତେବେ ବଜେଟ୍ ରେ ଘୋଷଣା କରାଯାଇଥିବା କାର୍ଯ୍ୟକ୍ରମ ପାଇଁ ପାଣ୍ଠି ବ୍ୟବସ୍ଥା ହେବା ନିତ୍ୟାନ୍ତ ଆବଶ୍ୟକ।
ସ୍ୱାସ୍ଥ୍ୟ, ଶିକ୍ଷା, କୌଶଳ ବିକାଶ, ପାନୀୟ ଜଳ, ଜୀବିକା ମିଶନ, ମହିଳା ଓ ଶିଶୁ ବିକାଶ ଆଦି କ୍ଷେତ୍ରରେ ଅଧିକ ପରିମାଣର ପାଣ୍ଠି ବ୍ୟବସ୍ଥା ବଜେଟ୍ ରେ ହୋଇଥିବାରୁ ଏହାକୁ ନବୀନ ସ୍ୱାଗତ କରିଛନ୍ତି। ଅପରପକ୍ଷରେ ମନରେଗା, ଏସସି-ଏସ୍ ଟି କୋର ସ୍କିମ୍, ଏନଏସଏପି ପେନସନ ଯୋଜନା ଆଦି କ୍ଷେତ୍ରରେ ବ୍ୟୟ ବରାଦ ହ୍ରାସ ପାଇଥିବାରୁ ସେ ଉଦବେଗ ପ୍ରକାଶ କରିଛନ୍ତି। ଓଡିଶା ପାଇଁ ରେଳବାଇ କ୍ଷେତ୍ରରେ ଉପଯୁକ୍ତ ପାଣ୍ଠି ବଜେଟରେ ପ୍ରଦାନ କରାଯାଇଥିବାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏହାକୁ ସ୍ୱାଗତ କରିଛନ୍ତି। ତେବେ ଜାତୀୟ ରାଜପଥ ପାଇଁ ପାଣ୍ଠି କମିଯିବା ଯୋଗୁ ସେ କହିଛନ୍ତି ଯେ ଏହା ଦ୍ୱାରା ଆନ୍ତଃ ରାଜ୍ୟ ଯୋଗାଯୋଗ ପ୍ରଭାବିତ ହେବ।
ବଜେଟ୍ ରେ ପିଏମଜିଏସୱାଇ ମାଧ୍ୟମରେ ଗ୍ରାମାଞ୍ଚଳ ରାସ୍ତା, ପିଏମଏୱାଇ ମାଧ୍ୟମରେ ଗୃହ ଯୋଗାଣ, ସ୍ୱଚ୍ଛ ଭାରତ ମିଶନ ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ଏ ସବୁ ପାଇଁ ଆବଶ୍ୟକୀୟ ପାଣ୍ଠି ବ୍ୟବସ୍ଥାର ଆବଶ୍ୟକତା ରହିଛି । ନବୀନ କହିଛନ୍ତି ଯେ କାଳିଆ ଯୋଜନା ଭଳି କେନ୍ଦ୍ରର ପିଏମ କିଶାନ ଯୋଜନା ପାଇଁ ସରକାରୀ ସହାୟତା ଅଧିକ ହୋଇଥିଲେ ଭଲ ହୋଇଥାନ୍ତା। ଏଥିରେ ଭୂମିହୀନ ଶ୍ରମିକ ଓ ଭାଗଚାଷୀଙ୍କୁ ସାମିଲ କରିବା ଆବଶ୍ୟକ ଥିଲା। ଶେଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ କ୍ଷେତ୍ରରେ ସେସ୍ ଏବଂ ସରଚାର୍ଜ ଧାର୍ଯ୍ୟ କରାଯିବା ଦ୍ୱାରା ରାଜ୍ୟର ଆୟ ସଙ୍କୁଚିତ ହେବ।