ନବୀନ କଣ୍ଟାବାଞ୍ଜିରୁ ହାରିଲେ, ହିଞ୍ଜିଳିରୁ ଜିତିଲେ

Published By : Prameya-News7 Bureau | June 04, 2024 IST

ଭୁବନେଶ୍ଵର: ବିଧାନସଭା ଓ ଲୋକସଭା ନିର୍ବାଚନ ୨୦୨୪ରେ ବିଜେଡିକୁ ଡବଲ ଝଟକା ଲାଗିଛି। ଉଭୟରେ ଦଳ ଧରାଶାୟୀ ହୋଇଛି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ କଣ୍ଟାବାଞ୍ଜି ସିଟ୍‌ରୁ ପରାଜିତ  ହୋଇଛନ୍ତି। ତେବେ ନବୀନ ହିଞ୍ଜିଳିରୁ ବିଜୟୀ ହୋଇ ନିଜର ସମ୍ମାନ ରଖି ପାରିଛନ୍ତି। ତେବେ ପ୍ରଥମ ଥର ନବୀନ ନିର୍ବାଚନ ମଇଦାନରେ ପରାଜୟର ସ୍ଵାଦ ଚାଖିଛନ୍ତି। 

କଣ୍ଟାବାଞ୍ଜିରେ ନବୀନ ବିଜେପିର ନିକଟତମ ପ୍ରତିଦ୍ଵନ୍ଦ୍ଵୀ ଲକ୍ଷ୍ମଣ ବାଗଙ୍କଠୁ ୧୬ ହଜାର ୩୨୧ ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି। ଲକ୍ଷ୍ମଣଙ୍କୁ ୯୦ ହଜାର ୫୯୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ନବୀନଙ୍କୁ ୭୪ ହଜାର ୨୭୩ ଖଣ୍ଡ ଭୋଟ୍ ମିଳିଛି। ଏହିପରି ଲକ୍ଷ୍ମଣ ବାଗ ମୁଖ୍ୟମନ୍ତ୍ରୀ ନବୀନଙ୍କ ପରି ହସ୍ତୀଙ୍କୁ ହରାଇବାର ସକ୍ଷମ ହୋଇଛନ୍ତି।

ତେବେ ନବୀନ ନିଜର ପାରମ୍ପରିକ ଆସନ ହିଞ୍ଜିଳିରୁ ଜିତିବାରେ ସକ୍ଷମ ହୋଇଥିଲେ ହେଁ ବିଜୟ ବ୍ୟବଧାନ ସେତେ ଅଧିକ ରହିନାହିଁ। ନବୀନ ପଟ୍ଟନାୟକ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେପି ପ୍ରାର୍ଥୀ ଶିଶିର କୁମାର ମିଶ୍ରଙ୍କୁ ୪ ହଜାର ୬୩୬ ଭୋଟରେ ପରାସ୍ତ କରିଛନ୍ତି। ନବୀନଙ୍କୁ ୬୬ ହଜାର ୪୫୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଶିଶିରଙ୍କୁ ୬୧ ହଜାର ୮୨୩ ଭୋଟ୍ ମିଳିଛି। ଏଥିସହ ନବୀନ କ୍ରମାଗତ ଷଷ୍ଠ ଥର  ହିଞ୍ଜିଳିରୁ ନିର୍ବାଚନ ଜିତିବାରେ ସଫଳ  ହୋଇଛନ୍ତି।

ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥିବା ବିଜୁ ଜନତା ଦଳ ସରକାର ଅବସାନ ହେବାକୁ ଯାଉଛି। ବିଜେପି ୭୯ ସିଟ୍‌ରେ ଆଗରେ ରହି ସରକାର ଗଢିବାକୁ ଯାଉଛି। ଏହା ସହିତ ରାଜ୍ୟରେ ନବୀନ ଯୁଗର ପରିସମାପ୍ତି ଘଟିଛି କହିଲେ ଅତ୍ୟୁକ୍ତି ହେବନି। ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ଗଢିବାକୁ ଯାଉଛି। କଂଗ୍ରେସ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରି ୧୪ ସିଟ୍ ଏବଂ ଅନ୍ୟ ୪ଟି ସିଟରେ ଜିତିବାର ସମ୍ଭାବନା ରହିଛି ।ଦୀର୍ଘ ୨୫ ବର୍ଷ ଧରି ସରକାରରେ ଥିବା ବିଜେଡି ଷଷ୍ଠ ଥର ଜିତି କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବାରେ ବିଫଳ ହୋଇଛି। ଏଥିସହ ଦେଶରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବାର ରେକର୍ଡ ଲକ୍ଷ୍ୟରେ ଥିବା ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ଅଧୁରା ରହିଯାଇଛି।

 

 

 

  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.