ରାଜଧାନୀରେ ନବୀନ ପଟ୍ଟନାୟକଙ୍କ ମେଗା ରୋଡ୍‌ ଶୋ

Published By : Prameya-News7 Bureau | May 20, 2024 IST

ଭୁବନେଶ୍ୱର ୨୦/୦୫: ମଧ୍ୟ-ଭୁବନେଶ୍ୱର ପରେ ଏକାମ୍ରକୁ ଫୋକସ୍‌ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସନ୍ଧ୍ୟାରେ ପୁଣି ନବୀନଙ୍କ ମେଗା ରୋଡ୍‌ ସୋ’ ଦେଖିବେ ରାଜଧାନୀବାସୀ । ନବୀନ ହାଇଟେକ୍‌ ବସ୍‌ରେ ଏକ୍ରାମ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ବୁଲିବେ । ଯୋଡି଼ ଶଙ୍ଖରେ ଭୋଟ ପାଇଁ ଅପିଲ୍‌ କରିବେ । 

ସୋମବାର ସନ୍ଧ୍ୟା ୬ଟା ୨୦ରେ ନବୀନ ନିବାସରୁ ବାହାରିବେ ନବୀନ । ନବୀନଙ୍କ ସହ ରହିବେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌ । ସାଢ଼େ ୬ଟାରେ ପଳାସପଲ୍ଲୀ ପୁନାମା ଗେଟ୍‌ ଫ୍ଲାଏଓଭରଠାରୁ ଆରମ୍ଭ ହେବ ହାଇଭୋଲଟେଜ୍‌ ରୋଡ୍‌ ସୋ’ । ସେଠାରେ ନବୀନଙ୍କୁ ଭବ୍ୟ ସ୍ୱାଗତ ଜଣାଇବେ ହଜାର ହଜାର କର୍ମୀ, ଜନତା । ବିଡିଏ କଲୋନି ଛକରୁ ସୁନ୍ଦରପଦା ହାଟ ଯାଏଁ ଚାଲିବ ପାୱାର ସୋ’ । 

ସୁନ୍ଦରପଦା ହାଟ ଓ ପୋଖରୀପୁଟ ଛକରେ ଅଟକି ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେବେ ନବୀନ । ସନ୍ଧ୍ୟା ୭ଟା ୫ ମିନିଟ୍‌ରେ ପ୍ରମେୟ ଛକରେ ପହଞ୍ଚିବେ ନବୀନ । ଛକରେ ଅଟକିବ ହାଇଟେକ ବସ୍‌ । ଲିଫ୍ଟରେ ବସ୍‌ ଉପରକୁ ଆସି ନବୀନ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଆର୍ଶୀବାଦ ଭିକ୍ଷା କରିବେ । ପରେ ନୂଆ ବିମାନବନ୍ଦର ରାସ୍ତା ଦେଇ ରୋଡ୍‌ ସୋ’ ଆଗେଇବ । ଶିରିପୁର ଛକ, ଗଙ୍ଗନଗର ଛକରେ ଅଟକିବେ ନବୀନ । 

ସନ୍ଧ୍ୟା ସାଢ଼େ ୭ଟା ସୁଦ୍ଧା ଏକାମ୍ର ଛକରେ ନବୀନଙ୍କ ଏହି ପାୱାର ସୋ’ ସରିବ । ଏହି ପାୱାର ସୋ’ରୁ ଫାଇଦା ନେବା ଲକ୍ଷ୍ୟରେ ଅଛନ୍ତି ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା । ହଜାର ହଜାର କର୍ମୀ ଓ ସମର୍ଥକ ଜୁଟାଇ ଶକ୍ତି ପ୍ରଦର୍ଶନ ପାଇଁ ଅଣ୍ଟା ଭିଡି଼ଛନ୍ତି । 

ଅଶୋକଙ୍କ ଶିବିରରୁ ପ୍ରାପ୍ତ ସୂଚନା ମୁତାବକ, ଆସନ୍ତାକାଲି ଦଳୀୟ ସୁପ୍ରିମୋଙ୍କୁ ସ୍ୱାଗତ ପାଇଁ ଆଡମ୍ବରପୂର୍ଣ୍ଣ ଆୟୋଜନ କରାଯାଉଛି । ନବୀନଙ୍କ ବଡ଼ ବଡ଼ ହୋର୍ଡିଂ, ଶଙ୍ଖ ମାସ୍କଟ ରାସ୍ତା ସାରା ଛାଇଯିବ । ମୁଖ୍ୟ ଆକର୍ଷଣ ସାଜିବ ସ୍ଥାନୀୟ ଲୋକକଳା ଓ ସଂସ୍କୃତି । ରାସ୍ତାରେ ଠାଏ ଠାଏ ଦାସକାଠିଆ, ସଂର୍କୀତ୍ତନ ଚାଲିବ । ଯୋଡି଼ଶଙ୍ଖ, ଦୁଲୁଦୁଲି ବାଜାରେ କମ୍ପିବ ଚତୁର୍ଦିଗ । 

ରୋଡ୍‌ ସୋ’ ପାଇଁ କଟକଣା ରୋଡ୍‌ ସୋ’ ପାଇଁ କମିଶନରେଟ୍‌ ପୁଲିସ ଟ୍ରାଫିକ୍‌ କଟକଣା ଜାରି କରିଛି । ଅପରାହ୍ଣ ୪ଟା ଠାରୁ ରୋଡ୍‌ ସୋ’ ସରିବା ଯାଏଁ ଏସବୁ ରାସ୍ତାରେ ସମସ୍ତ ପ୍ରକାର ଯାନବାହନ ଚଳାଚଳ ବନ୍ଦ ରହିବ । ଖଣ୍ଡଗିରି ଛକ ପଟୁ ଜାଗମରା ଛକ ଆଡ଼କୁ ଓ ଡେଲ୍‌ଟା ଛକ ପଟୁ ସିଟି ୱେମେନ୍ସ କଲେଜ ଆଡ଼କୁ କୌଣସି ଗାଡି଼ ଗଡି଼ବନି । ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ ମଧ୍ୟ କୌଣସି ଯାନବାହନ ଯିବନି ବୋଲି ପୋଲିସ କମିଶନର ସଞ୍ଜୀବ ପଣ୍ଡା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.