ନବୀନ ପଟ୍ଟନାୟକଙ୍କ ଷଷ୍ଠ ଇଂନିସ, ହିଞ୍ଜିଳି ଓ କଣ୍ଟାବାଞ୍ଜି ଆସନରୁ ଲଢୁଛନ୍ତି ବିଜେଡି ସୁପ୍ରିମୋ

Published By : Prameya-News7 Bureau | May 20, 2024 IST

ଭୁବନେଶ୍ୱର ୨୦/୦୫: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ । ସୁନ୍ଦରଗଡ଼, ବରଗଡ଼,  ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଲୋକସଭା ସହ ଏସବୁ କ୍ଷେତ୍ରରେ ଥିବା ୩୫ ବିଧାନସଭା ଆସନରେ ମତଦାତା ଲେଖିବେ ପ୍ରାର୍ଥୀଙ୍କ ଭାଗ୍ୟ । ଲୋକସଭା ପାଇଁ ୪୦ଜଣ ପ୍ରାର୍ଥୀ ଲଢୁଥିବା ବେଳେ ବିଧାନସଭା ପାଇଁ ୨୬୫ ଜଣ ପ୍ରାର୍ଥୀ । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଥିବା କଣ୍ଟାବାଞ୍ଜି ଓ ହିଞ୍ଜିଳିରେ ବି ଭୋଟ । 

କହିବାକୁ ଗଲେ ନବୀନଙ୍କ ଏହା ଷଷ୍ଠ ଇଂନିସ । ଏଥର ଦୁଇଟି ଆସନରୁ ଲଢୁଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଆଜି ସେହି ଦୁଇଟି ଆସନରେ ଭୋଟ ହେଉଛି । ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜିରେ ଆଜି ହେଉଛି ନିର୍ବାଚନ । ୨୦୦୦ ମସିହାରୁ ହିଞ୍ଜିଳିରୁ ବିଧାୟକ ରହିଆସିଛନ୍ତି ନବୀନ । ୫ ଥର ହିଞ୍ଜିଳିରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ଏଥର ଷଷ୍ଠଥର ନିର୍ବାଚନ ଲଢୁଛନ୍ତି । 

ବିଜୁବାବୁଙ୍କ ଅବର୍ତ୍ତମାନରେ ସମୟ ଚକ୍ରରେ ଓଡ଼ିଶାବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନବୀନ ୫୦ ବର୍ଷ ବୟସରେ ରାଜନୀତିରେ ପାଦ ଥାପିଲେ । ଆଉ ବନିଗଲେ ଅପରାଜେୟ, ଅପ୍ରତିଦ୍ବନ୍ଦୀ ଆଉ ଓଡ଼ିଶାବାସୀଙ୍କ ଅତିଆପଣାର । ୧୯୯୭ ଆସିକା ଉପନିର୍ବାଚନରୁ ଏଯାଏ ନବୀନ ରହିଛନ୍ତି ଅନବିଟେବୁଲ । 

୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ ନବୀନ । ପରେ ୨୦୦୦ ମସିହାରୁ ଲଗାତାର ହିଞ୍ଜିଳି ଆସନରୁ ବିଜୟୀ ହୋଇ ଓଡିଶା ରାଜନୀତିରେ ଅପ୍ରତିଦ୍ବନ୍ଦ୍ବୀ ହୋଇ ରହିଛନ୍ତି । ଗତ ୩ଟି ସାଧାରଣ ନିର୍ବାଚନକୁ ଦେଖିଲେ ୨୦୦୯ରେ ନବୀନ ୬୧ ହଜାର ୨୭୩ ଖଣ୍ଡ ଭୋଟରେ ବିଜୟ ଲାଭ କରିଥିଲେ । ଭୋଟ ପ୍ରତିଶତ ଥିଲା ୬୩ ଦଶମିକ ୮୮ । 

୨୦୧୪ରେ କଂଗ୍ରେସ ପ୍ରାର୍ଥୀଙ୍କୁ ୭୬ ହଜାର ୫୮୬ ଭୋଟରେ ପରାଜିତ କରି ଚତୁର୍ଥ ଥର ବିଧାୟକ ହୋଇଥିଲେ ନବୀନ । ୨୦୧୯ରେ ବିଜେପି ପ୍ରାର୍ଥୀଙ୍କୁ ୬୦ ହଜାର ୧୬୦ ଭୋଟରେ ହରାଇ ବିଜୟ ଲାଭ କରିଥିଲେ । ଏଥର ନବୀନ ଷଷ୍ଠଥର ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିପକ୍ଷରେ ବିଜେପିର ଶିଶିର ମିଶ୍ର ଓ କଂଗ୍ରେସର ରଞ୍ଜିକାନ୍ତ ପାଢ଼ୀ ପ୍ରାର୍ଥୀ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.