ଆଗାମୀ ୩ବର୍ଷ ପାଇଁ ନବୀନ ପୁଣି ସଭାପତି

Published By : Prameya-News7 Bureau | February 26, 2020 IST

ଭୁବନେଶ୍ବର ୨୬/୨: ନିର୍ବାଚନ ଜିତିବା ଅପେକ୍ଷା, ଲୋକଙ୍କ ସ୍ନେହ ଏବଂ ସେମାନଙ୍କ ସେବା କରିବା ପାଇଁ ସୁଯୋଗ ମିଳିବା ବିଜୁ ଜନତା ଦଳ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ। ଲଗାତର ଅଷ୍ଟମ ଥର ପାଇଁ  ବିଜେଡି ସଭାପତି ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହେବା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଦଳର ରାଜ୍ୟ ପରିଷଦ ବୈଠକରେ ନବୀନଙ୍କୁ ପୁଣି ଥରେ ୩ ବର୍ଷ ପାଇଁ ଦଳର ମୁଖିଆ ଦାୟିତ୍ବ ନ୍ୟସ୍ତ କରାଯାଇଛି।

{"id":229586,"sizeSlug":"large"}

ମେଘୁଆ ଓ କୋହଲା ପାଗ ସତ୍ବେ, ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ଆଜି ସକାଳୁ ନେତା ଏବଂ କର୍ମୀଙ୍କ ସୁଅ ଛୁଟିଥିଲା। ଶଙ୍ଖ ନାଦ ଏବଂ ପାରମ୍ପରିକ ନୃତ୍ୟଗୀତ ସହ ବିଜେଡି ନେତାଏ ପାଛୋଟି ନେଇଥିଲେ ୨୩ ବର୍ଷ ଧରି ଦଳର ସଫଳ ନେତୃତ୍ବ ନେଇ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ। ମଞ୍ଚ ଉପରେ ସାଙ୍ଗଠନିକ ନିର୍ବାଚନ ପାଇଁ ନିଯୁକ୍ତ ରିଟର୍ଣ୍ଣିଂ ଅଫିସର ବିଧାୟକ ପ୍ରତାପ ଦେବ ଘୋଷଣା କରିଥିଲେ ଆଗାମୀ ୩ ବର୍ଷ ପାଇଁ ପୁଣି ସଭାପତି ଦାୟିତ୍ବ ତୁଲାଇବେ ନବୀନ। ରାଜ୍ୟ ପରିଷଦ ବୈଠକରେ ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ମଧ୍ୟ ଘୋଷଣା କରାଯାଇଥିବା। ସଭାପତି ଭାବେ ତାଙ୍କ ନାଁ ଘୋଷଣା ହେବା ପରେ ନବୀନ ରାଜ୍ୟବାସୀଙ୍କ ଭଲ ପାଇବା ଏବଂ ଦଳର କର୍ମକର୍ତ୍ତାଙ୍କ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ବିଜୁବାବୁଙ୍କ ଉକ୍ତି କ୍ଷମତା ଦଖଲ ଅପେକ୍ଷା ଲୋକଙ୍କ ସେବା କରିବା ପାଇଁ ସୁଯୋଗ ମିଳିବା ବଡ଼କଥାକୁ ମନେ ପକାଇଥିଲେ ନବୀନ।

{"id":229587,"sizeSlug":"large"}

୧୯୯୭ରେ ବିଜେଡି ଗଠନ ହେବା ପରଠାରୁ ସବୁ ପ୍ରମୁଖ ନିର୍ବାଚନରେ ସଫଳତା ପାଇଛି। ଦଳରେ ନବୀନଙ୍କ ନେତୃତ୍ବ ବିରୋଧରେ କୌଣସି ଶକ୍ତି ଏଯାଏଁ ମୁଣ୍ଡ ଟେକିନାହାନ୍ତି। ଯେଉଁ ନେତାମାନେ ବିଶୃଙ୍ଖଳିତ ଆଚରଣ ଯୋଗୁଁ ବିଦା ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ କୌଣସି ବିକଳ୍ପ ନ ପାଇ ଫେରିଛନ୍ତି ଏବଂ ଆଉ କେତେଜଣ ରାଜ୍ୟ ରାଜନୀତିରେ ପ୍ରାସଙ୍ଗିକତା ହରାଇଛନ୍ତି।

{"id":229588,"sizeSlug":"large"}

ବିଜେଡି ରାଜ୍ୟ ପରିଷଦରେ ମୋଟ ୩୫୫ ଜଣ ସଭ୍ୟଙ୍କ ମଧ୍ୟରୁ ୧୫୦ ଜଣ ମନୋନୀତ ସଭ୍ୟ। ସମସ୍ତ ବିଧାୟକ, ସାଂସଦ ଏବଂ ୩୩ଟି ସାଂଗଠନିକ ଜିଲ୍ଲାର ସଭାପତି ପରିଷଦର ସଭ୍ୟ ଅଛନ୍ତି। ଆଗକୁ ପୌର ନିର୍ବାଚନ। ବିଜେଡିର ନୂଆ ଟିମ୍‌ ପାଇଁ ନିର୍ବାଚନୀ ସଫଳତାକୁ ବଳବତ୍ତର ରଖିବା ପ୍ରମୁଖ ଚ୍ୟାଲେଞ୍ଜ ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

{"id":229589,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.