ଭୁବନେଶ୍ଵର: ଆସନ୍ତା ନଭେମ୍ବର ମାସରୁ ଜିଲ୍ଲା ବୁଲିବେ ନବୀନ ପଟ୍ଟନାୟକ । ଏହା ପୂର୍ବରୁ ଗତକାଲି ରାଜଧାନୀରେ ବିଭିନ୍ନ ଗଣେଶ ପୂଜା ମଣ୍ଡପ ବୁଲିଛନ୍ତି ନବୀନ । ଏହି ସମୟରେ ନବୀନଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ଆଉ ଲୋକଙ୍କର ଏହି ଭିଡ଼ ହିଁ ବୟାନ କରୁଥିଲା ଯେ, ସରକାରରୁ ଯିବା ପରେ ବି ମଧ୍ୟ ନବୀନଙ୍କ କ୍ରେଜ କମିନାହିଁ । ବିଜେଡି ନେତା କହିଛନ୍ତି ନବୀନ ପଟ୍ଟନାୟକଙ୍କ ସହ ଲୋକ ଅଛନ୍ତି । ସେପଟେ ବିଜେପି କହିଛି ୨୪ ବର୍ଷ ଧରି ଲୋକଙ୍କ ପାଖକୁ ଯାଉନଥିଲେ । ନିର୍ବାଚନ ହାରିବା ପରେ ଲୋକଙ୍କ କଥା ମନେ ପଡିଲା ।
ଗଣେଶପୂଜାରୁ ଶ୍ରୀଗଣେଶ ଗଲେ ନବୀନ । ନଭେମ୍ବରରୁ ଜିଲ୍ଲା ବୁଲିବେ ବିଜେଡି ସୁପ୍ରିମୋ । ବିଜେଡି ସରକାରରୁ ଯିବା ପରେ ପ୍ରଥମ ଥର ପାଇଁ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗତକାଲି ଗଣେଶପୂଜା ଅବସରରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ବୁଲିଥିଲେ ନବୀନ । ଅଗ୍ରପୂଜ୍ୟଙ୍କ ଆରାଧନା କରିବା ସହ ଓଡ଼ିଶାବାସୀଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି । ବିଭିନ୍ନ ପୂଜାମଣ୍ଡପ ବୁଲିବା ସମୟରେ ନବୀନଙ୍କୁ ଦେଖିବା ଲାଗି ଜନ ସମୁଦ୍ର ଦେଖିବାକୁ ମିଳିଥିଲା । ଠିକ୍ ଯେମିତି ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳୁଥିଲା ।
Also read: ଫୁଡ୍ କମିଶନରଙ୍କ ନିଯୁକ୍ତି ନେଇ ବର୍ଷିଲେ ଯୋଗାଣ ମନ୍ତ୍ରୀ,କାଉଣ୍ଟର କଲେ ବିଜେଡି ବିଧାୟକ
ରାସ୍ତାର ଉଭୟ ପାର୍ଶ୍ବରେ ନବୀନଙ୍କ ଗୋଟିଏ ଝଲକ ପାଇଁ ଅପେକ୍ଷା କରି ରହିଥିଲେ ଲୋକେ । ଏଥିରୁ ଜଣାପଡ଼ୁଥିଲା ଯେ, ସରକାରରୁ ଯିବା ପରେ ବି ନବୀନଙ୍କ କ୍ରେଜ୍ କମିନାହିଁ । ବିଜେଡି ନେତା କହିଛନ୍ତି ନବୀନ ପଟ୍ଟନାୟକ ଲୋକଙ୍କ ସହ ଅଛନ୍ତି । ଗଣେଶପୂଜାରେ ନବୀନ ଶ୍ରୀଗଣେଶ କଲେ । ଆଗକୁ ନଭେମ୍ବରରେ ବିଭିନ୍ନ ଜିଲ୍ଲାଗସ୍ତ କରି ଲୋକଙ୍କୁ ଭେଟିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ସେପଟେ ନବୀନଙ୍କ ପୂଜା ମଣ୍ଡପ ବୁଲା ଓ ବିଜେଡିର ମନ୍ତବ୍ୟକୁ ନେଇ ଘେରିଛି ବିଜେପି । ଏକାମ୍ର ବିଜେପି ବିଧାୟକ ବାବୁ ସିଂହ କହିଛନ୍ତି, ଦୁଃଖ ଆଉ ପରିତାପର ବିଷୟ ଓଡ଼ିଶାବାସୀ ୨୪ ବର୍ଷ ଆପଣଙ୍କୁ ଭୋଟ ଦେଲେ। ସେତେବେଳେ ଆପଣଙ୍କର ଲୋକଙ୍କ କଥା ମନେ ପଡିଲା ନାହିଁ। ଯେତେବେଳେ ପଟ ପରିବର୍ତ୍ତନ ହୋଇଛି । ସେତେବେଳ ବାହାରିଲେ ଶ୍ରୀଗଣେଶ କରିବା ପାଇଁ । କାହିଁକି ୨୪ ବର୍ଷ ଧରି ସାଧାରଣ ଲୋକଙ୍କ କାମରେ ନିଜକୁ ନିୟୋଜିତ କଲେ ନାହିଁ ।
ବିଜେପି ବିଧାୟକ କହିଛନ୍ତି, ସାଧାରଣ ଲୋକଟେ ପ୍ରଶ୍ନ କରିବା ଚାହୁଁଥିଲେ ବି ସେତେବେଳେ ଆପଣଙ୍କ ପାଖରେ ସମୟ ନ ଥିଲା । ଓଡ଼ିଶାବାସୀ ଯେତେବେଳେ ବିରୋଧୀ ଆସନରେ ବସାଇଲେ । ସେତେବେଳେ ଆପଣଙ୍କର ଲୋକଙ୍କ କଥା ମନେ ପଡ଼ୁଛି । ଗୋଟେ ପଟେ ୨୪ ବର୍ଷ ଧରି କ୍ଷମତାରେ ଥିବା ନବୀନ ବାବୁ କ୍ଷମତା ପାଇଁ ବ୍ୟାକୁଳ ହେଉଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାଧାରଣ ଲୋକଙ୍କ ପାଖକୁ ଯାଉଛନ୍ତି । ଲୋକେ ଜାଣିଛନ୍ତି ଆମେ ଲୋକଙ୍କ ସହିତ ଅଛୁ ।
ବିଜେଡି ସରକାରରୁ ହଟିବା ପରେ ମଧ୍ୟ ପୂର୍ବଭଳି ଜନମାନସରେ ନବୀନଙ୍କ କ୍ରେଜ୍ ରହିଛି । ଏବେ ବି ଲୋକେ ନବୀନଙ୍କୁ ପସନ୍ଦ କରୁଛନ୍ତି । ବିରୋଧୀ ଦଳରେ ରହି ମଧ୍ୟ ଜନତାଙ୍କ ସମସ୍ୟା ବୁଝିବାକୁ ଆସନ୍ତା ନଭେମ୍ବରରୁ ଜିଲ୍ଲା ବୁଲିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।