ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୂୟସୀ ପ୍ରଶଂସା କଲେ ନବୀନ, ୧୦ରୁ ଦେଲେ ୮ ନମ୍ବର
24/09/2023 at 11:31 PM

ଭୁବନେଶ୍ଵର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଦୁର୍ନୀତିର ମୂଳୋତ୍ପାଟନ ପାଇଁ କାମ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଏହି ଦିଗରେ ଉଠା ଯାଉଥିବା ପଦକ୍ଷେପକୁ ମୁଁ ପ୍ରଶଂସା କରିଛନ୍ତି।
ମୁଖ୍ୟମନ୍ତ୍ରୀ ରବିବାର ରାଜଧାନୀ ଭୁବନେଶ୍ଵରରେ ‘ଦ ନ୍ୟୁ ଇଣ୍ଡିଆ ଏକ୍ସପ୍ରେସ୍’ ଗ୍ରୁପ୍ ଦ୍ଵାରା ଆୟୋଜିତ ଓଡ଼ିଶା ସାହିତ୍ୟ ମହୋତ୍ସବରେ ଏକ ଅଧିବେଶନରେ ଯୋଗ ଦେଇଥିଲେ। ଏହି ସମୟରେ ନବୀନ କହିଛନ୍ତି, ବିଦେଶ ନୀତି ଓ ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଯେଉଁ କାମ କରିଛନ୍ତି, ଏଥିପାଇଁ ତାଙ୍କୁ ମୁଁ ୧୦ରୁ ୮ ନମ୍ବର ଦେବି। ଏହି ସରକାର ଅମଳରେ ଦେଶରେ ଦୁର୍ନୀତି କମିଛି। ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ନୀତିର ସମୂଳ ବିନାଶ ଏବଂ ଦେଶବାସୀଙ୍କ ସେବା ପାଇଁ ପୂରା ଉଦ୍ୟମ କରିଛନ୍ତି।

ମହିଳା ସଂରକ୍ଷଣ ବିଧେୟକ ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ହିସାବରେ ଏହା ବହୁତ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ମୋ ଦଳ ସର୍ବଦା ମହିଳା ସଶକ୍ତିକରଣକୁ ସମର୍ଥନ ଦେଇ ଆସିଛି। ମୋ ବାପା (ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ) ସ୍ଥାନୀୟ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ରଖିଥିଲେ ଏବଂ ମୁଁ ଏହାକୁ ବଢାଇ ୫୦ ପ୍ରତିଶତ କରି ଦେଇଛି।
Also read- ୨୦୨୪ ପାଇଁ କାହାର ମୁଖ୍ୟମନ୍ତ୍ରୀ ଚେହେରା କିଏ ? ଧର୍ମେନ୍ଦ୍ରଙ୍କ ଉତ୍ତରରେ ରାଜନୀତି ସରଗରମ
ନବୀନ ପଟ୍ଟନାୟକ କହିଛନ୍ତି, ତାଙ୍କ ପାର୍ଟି ୨୦୧୯ ନିର୍ବାଚନରେ ଓଡ଼ିଶାର ୩୩ ପ୍ରତିଶତ ଲୋକସଭା ଆସନରେ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିଲା। ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’କୁ ସମର୍ଥନ କରି ବିଜେଡି ସଭାପତି କହିଛନ୍ତି, ଆମେ ସର୍ବଦା ଏହାକୁ ସ୍ଵାଗତ କରିଛୁ। ଆମେ ଏଥିପାଇଁ ପ୍ରସ୍ତୁତ ମଧ୍ୟ ଅଛୁ। କେନ୍ଦ୍ର ସହିତ ତାଙ୍କ ସରକାରର ସଂପର୍କ ବିଷୟରେ ପ୍ରଶ୍ନ ଉପରେ ପଟ୍ଟନାୟକ କହିଛନ୍ତି, କେନ୍ଦ୍ର ସହିତ ଆମର ମଧୁର ସଂପର୍କ ରହିଛି। ସ୍ଵାଭାବିକ ଭାବେ ଆମେ ନିଜ ରାଜ୍ୟର ଉନ୍ନତି ଚାହୁଁଛୁ ଏବଂ ବିକାଶରେ କେନ୍ଦ୍ରର ଭାଗିଦାରୀ ଗୁରୁତ୍ଵପୂର୍ଣ୍ଣ ରହିଛି। ଓଡ଼ିଶା ସରକାର ଗରିବି ହଟାଓ ଏବଂ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ସମର୍ପଣ ଭାବରେ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।