ନବ ଦାସଙ୍କ ମୃତ୍ୟୁରେ ମୁଁ ଦୁଃଖିତ ଏବଂ ମର୍ମାହତ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
29/01/2023 at 8:47 PM

ଭୁବନେଶ୍ଵର: କେଇ ଘଣ୍ଟା ଜୀବନ ମରଣ ସହ ସଂଘର୍ଷ ପରେ ଶେଷରେ ଆଖି ବୁଜିଲେ ରାଜ୍ୟ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ। ରାଜଧାନୀ ଭୁବନେଶ୍ଵରରେ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ଓଡିଶା ରାଜନୀତିରେ ଶୋକର ଛାୟା ଖେଳି ଯାଇଛି। ନବଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଁ ନବ ଦାସଙ୍କ ମୃତ୍ୟୁ ଖବର ଶୁଣି ଦୁଃଖିତ ଏବଂ ମର୍ମାହତ। ନବ ଦାସ ଆମ ସରକାର ଏବଂ ଦଳର ଆସେଟ୍ ଥିଲେ। ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ଵେ ଆମେ ତାଙ୍କୁ ହରାଇଲୁ। ରାଜ୍ୟର ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଲୋକଙ୍କ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ତାଙ୍କ ମୃତ୍ୟୁ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲ୍ ଯାଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନବ ଦାସଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଚିକିତ୍ସା କାର୍ଯ୍ୟ ତଦାରଖ କରିଥିଲେ। ନବ ଦାସଙ୍କ ଗୁଳିମାଡ଼ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୁଳିମାଡ ଘଟଣାକୁ ଦୃଢ ନିନ୍ଦା କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ମୁଖ୍ୟମନ୍ତ୍ରୀ। ତେବେ ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ଵେ ସ୍ଵାସ୍ଥ୍ୟ ମନ୍ତ୍ରୀ ଆଖି ବୁଜିଛନ୍ତି।