ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ମୋହନ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲେ ନବୀନ ପଟ୍ଟନାୟକ

Published By : Prameya-News7 Bureau | August 31, 2024 IST

ଭୁବନେଶ୍ୱର: ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରାଜ୍ୟରେ ବଢ଼ୁଥିବା ଅପରାଧ ଓ ହିଂସା, ବଡ଼ ଠାକୁର ବଳଭଦ୍ର ତଳେ ପଡିଯିବା ଘଟଣାକୁ ଆଦିକୁ ନେଇ ମୋହନ ମାଝୀ ସରକାରଙ୍କୁ ସମାଲୋଚନା କରିଛନ୍ତି ନବୀନ। ଏବଂ ରାଜ୍ୟପାଳ ପୁଅ ମାର୍‌ପିଟ କଥା ମଧ୍ୟ ଉଠାଇଛନ୍ତି। 

ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ। ଏଥିପାଇଁ ସାରା ଦେଶରେ ଏକ ପରିଚୟ ରହିଛି। ହେଲେ କିଛି ଦିନ ମଧ୍ୟରେ ବାଲେଶ୍ଵର ସମେତ ଅନେକ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ଘଟିଛି। ଖୋର୍ଦ୍ଧାରେ ସାମ୍ପ୍ରଦାୟିକ ହିଂସାରେ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ଏପରି ହେବା ଉଚିତ ନୁହେଁ। ଓଡ଼ିଶା ତା’ର ପରିଚୟ ବଜାୟ ରଖିବା ଦରକାର ବୋଲି ନବୀନ କହିଛନ୍ତି। 

ସେହିପରି ରଥଯାତ୍ର ଅବ୍ୟବସ୍ଥା କଥା ଉଠାଇ ମହାପ୍ରଭୁ ବଳଭଦ୍ର ତଳେ ପଡିବାଯିବା କୋଟି କୋଟି ଓଡ଼ିଆଙ୍କୁ ଆଘାତ ଦେଇଛି। ଅବ୍ୟବସ୍ଥା ଯୋଗୁ ବଡ଼ଠାକୁର ଚାରମାଳ ଉପରେ ପଡ଼ିଗଲେ ବୋଲି ବିରୋଧୀ ଦଳ ନେତା କହିଛନ୍ତି। ସେହିପରି ଚିକିଟିରେ ମଦ ମୃତ୍ୟୁ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ସହ ବେଆଇନ ମଦ କାରବାର ବନ୍ଦ ହେବା ଦରକାର ବୋଲି କହିଛନ୍ତି ନବୀନ।  


ଅନ୍ୟପଟେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ସରକାରୀ ଅଫିସରଙ୍କୁ ମାଡ଼ ମାରିବା ଘଟଣା ନେଇ ମଧ୍ୟ ନବୀନ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟପାଳଙ୍କ ପୁଅ ବୋଲି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ  ନିଆଗଲା ନାହିଁ। ରାଜ୍ୟପାଳ,ମନ୍ତ୍ରୀ, ବିଧାୟକଙ୍କ ପୁଅ ପାଇଁ ଅଲଗା ନିୟମ କି? ରାଜ୍ୟପାଳ, ମନ୍ତ୍ରୀ, ବିଧାୟକଙ୍କ ପୁଅ କ’ଣ ଆଇନ ଉପରେ କି? ମୋ ସରକାର ବେଳେ ଆଇନ ତା’ ବାଟରେ ଯାଉଥିଲା ବୋଲି ନବୀନ କହିଛନ୍ତି। 

ସେହିପରି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘାଟଣା ଅତ୍ୟନ୍ତ ଗୁରୁତର ଘଟଣା କହିବା ସହ ଏହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.