ଦିଲ୍ଲୀରେ ଦିଲ୍ ମିଳିଲା ନା ନାହିଁ : ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଓଡ଼ିଶାକୁ ଫୋକସ ରାଜ୍ୟର ମାନ୍ୟତା ଦାବି କଲେ ନବୀନ

Published By : Prameya-News7 Bureau | June 11, 2019 IST

ମୁଲାକାତ ହୁଇ କ୍ୟା ବାତ୍‌ ହୁଇ ।  ଦିଲ୍ଲୀରେ ଦିଲ୍‌ ମିଳିଲା ନା ନାହିଁ।  ଦିଲ୍ଲୀରେ ନବୀନ-ମୋଦି ଭେଟଘାଟ ପରେ କେତେ କଣ ପ୍ରଶ୍ନ । ନିର୍ବାଚନ ବେଳେ ତୁ ତୁ ମେଁମେଁ ହୋଇଥିବା ଏହି ଦୁଇନେତାଙ୍କ କାମାରେଡୋରି ଦେଖିଲେ ଲାଗୁଛି ସତେ ଯେମିତି ଅଲ୍ ଇଜ୍ ଓେଲ୍ । ଦୁଇନେତାଙ୍କ ମନଖୋଲା ହସରୁ ସ୍ପଷ୍ଟ ଯେ ବୋଧହୁଏ ଏବେ କିଛି ଦିନଯାଏଁ ଉଭୟ କେନ୍ଦ୍ର ଓ ରାଜ୍ୟ ସହଭାଗିତାରେ ଓଡିଶା ବିକାଶ କଥା ଚିନ୍ତା କରିପାରନ୍ତି । ତେବେ ସରକାରୀ ପ୍ରେସ ରିଲିଜ୍ ଅନୁଯାୟୀ ଆଜି ନବୀନ ମୋଦିଙ୍କୁ ଭେଟିବା ବେଳେ ରାଜ୍ୟ ସଂପର୍କିତ କିଛି ଗୁରୁତ୍ବପୂର୍ଣ କଥା ଉଠାଇଛନ୍ତି । ନବୀନ ଓଡିଶାକୁ ସ୍ବତନ୍ତ୍ର ପାହ୍ୟା ଦାବି ପ୍ରସଙ୍ଗ ଦୋହରାଇବାକୁ ଭୁଲି ନାହାଁନ୍ତି ।

{"id":122161}

ଏହି ଦାବି ପୂରଣ କରିବାକୁ ଯେଉଁ ସର୍ତ୍ତ ରହିଛି ତାହା ଓଡିଶା ପାଇଁ ପ୍ରଯୁଜ୍ୟ ହେଉନଥିଲେ ବି ନବୀନ ତାଙ୍କର ଏହି ପେଟ୍ ଇସ୍ୟୁକୁ ପୁଣି ଉଠାଇଛନ୍ତି । ଅବଶ୍ୟ ନବୀନ ଏଥିରେ ନୂଆ ଟର୍ମ ଯୋଡ଼ିଛନ୍ତି। ସ୍ପେସାଲ ଷ୍ଟାଟସ ଷ୍ଟେଟ ନ ହେଲେ ସ୍ପେସାଲ ଫୋକସ୍‌ ଷ୍ଟେଟ ଦେବାରେ ଅସୁବିଧା ବା କେଉଁଠି। ଜାତୀୟ ବିପର୍ଯ୍ୟୟକୁ ଏଥିପାଇଁ ଏକ ମାପକାଠି ଭାବେ ନିଆଯାଇପାରେ । ବିଶେଷ କରି ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଓଡ଼ିଶାକୁ ଫୋକସ ରାଜ୍ୟର ମାନ୍ୟତା ଦିଆଯାଇ ସ୍ବତନ୍ତ୍ର ରାଜ୍ୟ ପାହ୍ୟାର ସୁବିଧା ଦେବା ଲାଗି ନବୀନ ଦାବି କରିଛନ୍ତି ।

{"id":122162}

ଫୋନି ବାତ୍ୟା ପରେ ପୁନରୁଦ୍ଧାର ପାଇଁ ୫ ହଜାର କୋଟିର ପ୍ୟାକେଜ ଦାବି କରିଛନ୍ତି ନବୀନ । ଏହି ପ୍ୟାକେଜ୍ ବାଦ୍ କେନ୍ଦ୍ର ଯୋଜନାରେ ୫ ଲକ୍ଷ ପକ୍କାଘର କଥା ବି ଉଠାଇଛନ୍ତି ନବୀନ । ଏହାବାଦ୍ ଖଣି ରୟାଲଟି ସଂଶୋଧନ ପାଇଁ ନବୀନ ମୋଦିଙ୍କ ନିକଟରେ ଦାବି କରିଛନ୍ତି । ଏସବୁ ତ ଦୁଇ ସରକାର ଭିତରର କଥା । କିନ୍ତୁ ବିଜେଡିକୁ ଉପବାଚସ୍ପତି ପଦ ଦେବାକୁ ନେଇ ରାଜନୈତିକ ମହଲରେ ଯେଉଁ ଚର୍ଚା ହେଉଥିଲା ନବୀନ ସେକଥା ଉଠାଇ ନାହାଁନ୍ତି । ଏଣେ କିନ୍ତୁ ନବୀନ ମୋଦିଙ୍କ ମୁଲାକାତକୁ ନେଇ ରାଜନୀତି ଗନ୍ଧ ବାରିଛି ରାଜ୍ୟ ବିଜେପି।

{"id":122163}

ମୋଦିଙ୍କୁ ଭେଟିବା ପରେ ନବୀନ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ସେଠାରେ ମଧ୍ୟସେ ଫୋନି ପ୍ରସଙ୍ଗରେ ଆଲୋଚନା କରିଥିବା କହିଛନ୍ତି। ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ରାଷ୍ଟ୍ରପତିଙ୍କ ସହ ପ୍ରଥମ ସାକ୍ଷାତ।

{"id":122164}

ଗୋଟିଏ ପଟେ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ସେପଟେ ବିଜେଡି ସାଂସଦ ପିନାକୀ ମିଶ୍ର ଦିଲ୍ଲୀରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି। ତେଣୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ସମୀକରଣ ହୁଏତ ଏହା ଆଭାସ ଦେଇଛି।

{"id":122165}

ଦିଲ୍ଲୀରେ ନବୀନ ମୋଦିଙ୍କୁ ଭେଟୁଥିବା ବେଳେ ଆଜିଠୁ ଓଡିଶାଗସ୍ତରେ ଥିବା ଏନଡିଆରଏଫ୍ ଟିମ୍ ଫନି କ୍ଷୟକ୍ଷତି ଉପରେ ଏସଆରସିଙ୍କ ସହ ଆଲୋଚନା କରିଛନ୍ତି । ଏଥିରୁ ସଙ୍କେତ ମିଳୁଛି ଖୁବ୍ ଶିଘ୍ର ମୋଦି ସରକାର ଓଡିଶାକୁ ଫନିବାତ୍ୟା ସହାୟତା ଯୋଗାଇଦେବେ । ଏହାସତ୍ବେ ବି କେତେକ ପ୍ରସଙ୍ଗରେ ଉଭୟ ବିଜେପି ଓ ବିଜେଡି ପରସ୍ପରକୁ ଦୋଷାରୋପ କରି ରାଜନୀତି ଆରମ୍ଭ କରିଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.