ମେ ୨୨ରୁ ନୌତପା, ୯ ଦିନ ରୌଦ୍ର ରୂପ ଦେଖାଇବେ ସୂର୍ଯ୍ୟ, ହେବ ମୌସୁମୀର ଆକଳନ
7/05/2023 at 6:31 PM

ଭୋପାଲ ୭।୫: ମେ ୨୨ ତାରିଖ ଦିନ ସୂର୍ଯ୍ୟ ରୋହିଣୀ ନକ୍ଷତ୍ରକୁ ପ୍ରବେଶ କରିବେ। ଏହା ସହ ଗ୍ରୀଷ୍ମ ତାର ରୌଦ୍ର ରୂପ ଧାରଣ କରିବ ବୋଲି ଜ୍ୟୋତିଶ ଶାସ୍ତ୍ରରେ ଆକଳନ କରାଯାଉଛି। ସୂର୍ଯ୍ୟ ୯ ଦିନ କାଳ ରୋହିଣୀ ନକ୍ଷତ୍ରରେ ଅବସ୍ଥାନ କରିବେ। ଏହି ୯ ଦିନକୁ ଜ୍ୟୋତିଷ ଶାସ୍ତ୍ରରେ ନୌତପା କୁହାଯାଏ। ଏହି ସମୟରେ ହେବାକୁ ଥିବା ଗ୍ରୀଷ୍ମ ପ୍ରବାହରୁ ଆଗାମୀ ମୌସୁମୀର ଆକଳନ କରାଯିବ। ଯଦି ଏହି ୯ ଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବ ତେବେ ଏବର୍ଷ ବର୍ଷା ସ୍ୱଭାବିକ ହେବ ବୋଲି ଜ୍ୟୋତିଷାଚାର୍ଯ୍ୟମାନେ କହିଛନ୍ତି।
ପାଣିପାଗ ଦୃଷ୍ଟିରୁ ଏପ୍ରିଲ ମାସ ବେଶ୍ ଭଲ ରହିଛି। ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଯୋଗୁ ଅଧିକାଂଶ ଦିନ ବାଦଲ ଛାଇ ରହିବା ଓ ବର୍ଷା ଯୋଗୁ ତାପ ନିୟନ୍ତ୍ରିତ ଥିଲା। ଅନ୍ୟ ବର୍ଷମାନଙ୍କ ଭଳି ଲୁ ପ୍ରବାହ ହୋଇ ନାହିଁ। ମେ ମାସ ପ୍ରଥମ ସପ୍ତାହ ମଧ୍ୟ ଦେଶର ଅଧିକାଂଶ ଅଞ୍ଚଳର ତାପ ଏତେମାତ୍ରାରେ ବଢି ନାହିଁ। ଗତ ୩ ଦଶନ୍ଧୀରେ ଚଳିତବର୍ଷ ଏପ୍ରିଲ ଓ ମେ ପ୍ରଥମ ସପ୍ତାହରେ ଦେଶର ଅଧିକାଂଶ ଅଞ୍ଚଳରେ ତାପ ନିୟନ୍ତ୍ରିତ ରହିଛି। ଏତେମାତ୍ରାରେ ଗ୍ରୀଷ୍ମ ପ୍ରବାହ ହୋଇ ନଥିବା ବେଳେ ଗରମ ଦିନ ସଂଖ୍ୟା ମଧ୍ୟ ହ୍ରାସ ହୋଇଛି।

ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ଏପ୍ରିଲ ମାସରୁ ଗ୍ରୀଷ୍ମପ୍ରବାହ ଆରମ୍ଭ ହେବା ସହିତ ଅଧିକାଂଶ ଅଞ୍ଚଳରେ ଲୁ ପ୍ରବାହ ରହିବା କଥା। ଯାହା ମେ ମାସ ଶେଷ ସପ୍ତାହକୁ ପ୍ରଚଣ୍ଡରେ ପହଞ୍ଚିବା କଥା। ହେଲେ ଦେଶର ପାଣିପାଗ ପରିସ୍ଥିତି ଏପର୍ଯ୍ୟନ୍ତ ଠିକ୍ ନାହିଁ। ତେବେ ମେ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ନୌତପା ଗ୍ରୀଷ୍ମ ବୃଦ୍ଧି କରିପାରେ ବୋଲି ଆଶା କରାଯାଉଛି। କାରଣ ସୂର୍ଯ୍ୟ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିବା ସହିତ ପ୍ରଚଣ୍ଡ ରୌଦ୍ର ହୋଇଥାଏ। ଏହି ସମୟରେ ସୂର୍ଯ୍ୟ ପୃଥିବୀର ଅତି ନିକଟରେ ଥାନ୍ତି। ଏଣୁ ସୂର୍ଯ୍ୟଙ୍କ କିରଣ ସିଧା ପୃଥିବୀ ଉପରେ ପଡିବା ଯୋଗୁ ଉତ୍ତାପ ବୃଦ୍ଧି ହୋଇଥାଏ।
ନୌତପାର ୯ ଦିନ ଉପରେ ନିର୍ଭରକରେ ଦେଶରେ ଆଗାମୀ ମୌସୁମୀ କିପରି ହେବ। ନୌତପାରେ ଯଦି ଅସହ୍ୟ ଗରମ ପଡେ ତେବେ ଭଲ ମୌସୁମୀ ବର୍ଷିବ ବୋଲି କୃଷକମାନେ କହିଛନ୍ତି। ଜ୍ୟୋତିଷ ପଞ୍ଚାଙ୍ଗ ଅନୁସାରେ ସୂର୍ଯ୍ୟ ଦେବତା ୨୨ ମେ ପୂର୍ବାହ୍ନରେ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିବେ। ଏହା ସହିତ ନୌତପା ଆରମ୍ଭ ହୋଇଯିବ। ଯାହାର ସମାପ୍ତି ମେ ୩୦ ତାରିଖରେ ହେବ। ସେ ପର୍ଯ୍ୟନ୍ତ ଦେଶରେ ଭୀଷଣ ଗ୍ରୀଷ୍ମ ପଡିବ ବୋଲି ଜ୍ୟୋତିଷାଚାର୍ଯ୍ୟମାନେ କହିଛନ୍ତି।