Naukri.com ମାଲିକ ସଞ୍ଜୀବ ବିଖଚନ୍ଦାନୀ; ଚାକିରି ଛାଡ଼ି ଆରମ୍ଭ କଲେ ବ୍ୟବସାୟ, ଛିଡ଼ା କରିଦେଲେ ୫୦ହଜାର କୋଟି ମୂଲ୍ୟର କମ୍ପାନୀ
21/09/2023 at 4:09 PM

ନୂଆଦିଲ୍ଲୀ 21/09 : ପୂର୍ବ କାଳରେ ଏମିତି ଥିଲା ଯେ, ପୁରୁଷମାନେ ରୋଜଗାର କରନ୍ତି ଏବଂ ପତ୍ନୀ ଘର ଚଳାନ୍ତି। ସମୟ ବଦଳିଲା, ମହିଳାମାନେ ଘରର ଏରୁଣ୍ଡି ବନ୍ଧ ଡେଇଁ ଗଲେ ରୋଜଗାର କରିବାକୁ। ପ୍ରତ୍ୟେକ କ୍ଷେତ୍ରରେ ନିଜ ପାଇଁ ସୃଷ୍ଟି କଲେ ନିଜର ଏକ ପରିଚୟ। କିନ୍ତୁ ଏହାସତ୍ତ୍ୱେ ସମାଜ କେବେ ବି ଗ୍ରହଣ କରେନି ଯେ ପତ୍ନୀ ରୋଜଗାର କରିବ ଆଉ ସ୍ୱାମୀ ଘର ସମ୍ଭାଳିବ। ଏମିତିରେ ପୁରୁଷମାନଙ୍କୁ ଅନେକ ପରିହାସର ସାମ୍ନା କରିବାକୁ ପଡ଼େ। ପୁରଷଙ୍କୁ ସ୍ତ୍ରୀ ପଇସାରେ ଚଳୁଛ ବୋଲି ଅନେକ କହି ଥଟ୍ଟା କରନ୍ତି। ଯାହା ଶୁଣିବା ଅସହ୍ୟ ହୋଇପଡ଼େ।

ସଞ୍ଜୀବ ବିଖଚାନ୍ଦନୀ ମଧ୍ୟ ତାଙ୍କ ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କଠାରୁ ଏପରି କଥା ଶୁଣୁଥିଲେ। କିନ୍ତୁ ସଞ୍ଜୀବ ସେ ସବୁରେ ମନଋଣା କରୁ ନଥିଲେ। ଆଉ ତାଙ୍କୁ ଯାହା କରିବାର ଥିଲା ସେ କରୁଥିଲେ। ତାଙ୍କ ପତ୍ନୀ ସୁରଭି ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ। ତାଙ୍କ ପତ୍ନୀଙ୍କ ସହଯୋଗର ଫଳାଫଳ, ସେ 50 ହଜାର କୋଟି ମୂଲ୍ୟର ଏକ କମ୍ପାନୀ ସୃଷ୍ଟି କରିପାରିଛନ୍ତି। ଅନେକ ଲୋକ ହୁଏତ ସଞ୍ଜୀବଙ୍କ ନାଁ ଶୁଣି ନଥିବେ ହେଲେ ସେ ଯେଉଁ କାମ କରନ୍ତି ତାହା କେବଳ ଦେଶ ନୁହେଁ ପୂରା ବିଶ୍ୱ ଅବଗତ। ସଞ୍ଜୀବ Naukri.com ମାଧ୍ୟମରେ ଲୋକଙ୍କୁ ଚାକିରି ଯୋଗାଇଥାନ୍ତି। ଏହାସହ ତାଙ୍କ ୱେବସାଇଟ୍ Jeevansathi.com ମାଧ୍ୟମରେ ବନେଇଥାନ୍ତି ଯୋଡ଼ି। ସଞ୍ଜୀବ ବିକଚାନ୍ଦନୀ ଏହି ସବୁ ୱେବସାଇଟ୍ ଚଳାଉଥିବା କମ୍ପାନୀ Info Edgeର ମାଲିକ ।

ସଞ୍ଜୀବ ଆଇଆଇଏମ୍ ଅହମ୍ମଦାବାଦରୁ ନିଜ ପାଠପଢ଼ା ପୂରା କରିବା ପରେ ପ୍ରସିଦ୍ଧ କମ୍ପାନୀ ଗ୍ଲାକ୍ସୋ ସ୍ମିଥକ୍ଲାଇନରେ କାମ କରିଥିଲେ। ସେ ତାଙ୍କ କଲେଜ ଦିନରେ ସୁରଭିଙ୍କୁ ଭେଟିଥିଲେ, ପରେ ଦୁହେଁ ବିବାହ କରିଥିଲେ। ସୁରଭି ଏକ ଭଲ କମ୍ପାନୀରେ ମଧ୍ୟ କାମ କରୁଥିଲେ। 1990 ମସିହାରେ ଯେତେବେଳେ ସଞ୍ଜୀବ ନିଜର ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ପତ୍ନୀ ତାଙ୍କୁ ଭରସା ଦେଇଥିଲେ ଯେ, ସେ ସବୁକ୍ଷେତ୍ରରେ ତାଙ୍କ ସାଙ୍ଗରେ ଅଛନ୍ତି। ସୁରଭିଙ୍କ ଦରମାରେ ଘର ଖର୍ଚ୍ଚ ହେଉଥିଲା। ଆଉ ସଞ୍ଜୀବ ନିଜ ସ୍ୱପ୍ନକୁ ସାକାର କରିବାକୁ ଲାଗି ପଡ଼ିଥିଲେ।

1990 ରେ, ସଞ୍ଜୀବ ନିଜ ବାପାଙ୍କ ଗ୍ୟାରେଜରେ ଏକ ସେକେଣ୍ଡ୍ ହ୍ୟାଣ୍ଡ୍ କମ୍ପ୍ୟୁଟର ଏବଂ ପୁରୁଣା ଘରର ଆସବାବପତ୍ର ସହ ଇନଫୋ ଏଜ୍ ଆରମ୍ଭ କଲେ। ଏହା ମଧ୍ୟ ସତ୍ୟ ଯେ, ସୁରଭିଙ୍କ ଦରମାରେ ଘରର ସମସ୍ତ ଖର୍ଚ୍ଚ ଉଠାଇବା ଥିଲା କାଠିକର ପାଠ। କିନ୍ତୁ ଉଭୟ ନିଜ ନିଷ୍ପତ୍ତିରେ ତିଷ୍ଠି ରହିଥିଲେ। ପରିସ୍ଥିତି ଯେମିତି ବି ହେଉନା କାହିଁକି ସେମାନେ ଏକାଠି ସବୁ କଠିନ ପରିସ୍ଥିତିର ସାମ୍ନା କରିବେ। ବ୍ୟବସାୟ ଆରମ୍ଭ ହେଲା କିନ୍ତୁ ଏହା ବହୁ ବର୍ଷ ଧରି ସଞ୍ଜୀବଙ୍କୁ କୌଣସି ରୋଜଗାର ଦେଇ ନଥିଲା।
ସଞ୍ଜୀବଙ୍କୁ ସମ୍ପର୍କୀୟ ଏବଂ ବନ୍ଧୁମାନେ କହୁଥିଲେ ଘରେ ବସି କାହିଁ ସମୟ ନଷ୍ଟ କରୁଛ। ସମସ୍ତେ ତାଙ୍କୁ କହିଥିଲେ ଯେ ତାଙ୍କୁ ଚାକିରୀ କରିବା କଥା। ତାଙ୍କ ସାଙ୍ଗମାନେ ତାଙ୍କୁ ଥଟ୍ଟାରେ କହୁଥିଲେ ଯେ, ସେ ତାଙ୍କ ପତ୍ନୀଙ୍କ ରୋଜଗାରରେ ଚଳୁଛନ୍ତି। ବଡ଼ କଥା ହେଉଛି ଏସବୁ କଥା ସଞ୍ଜୀବଙ୍କ ଉପରେ କୌଣସି ପ୍ରଭାବ ପଡ଼ିନଥିଲା। ବ୍ୟବସାୟ ପ୍ରତିଷ୍ଠା କରିବାରେ ସଞ୍ଜୀବ ତାଙ୍କ ପତ୍ନୀଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇଥିଲେ। ସାତ ବର୍ଷର କଠିନ ପରିଶ୍ରମ ପରେ, ଯେତେବେଳେ 1997 ସେ ନିଯୁକ୍ତି ପୋର୍ଟାଲ୍ Naukri.com ଆରମ୍ଭ କଲେ ସେତେବେଳେ ଚମକି ଥିଲା ତାଙ୍କ ଭାଗ୍ୟ। Naukri.comରୁ ତାଙ୍କ ବ୍ୟବସାୟ ବଢ଼ିଲା। ଏହା ପରେ ସେ jeevasathi.com, 99acres.com, shiksha.com ମଧ୍ୟ ଆରମ୍ଭ କରିଥିଲେ । ଏହି କମ୍ପାନୀଗୁଡିକ ତାଙ୍କୁ ଖୁବ୍ ଲାଭବାନ୍ କରାଇତିଲା। କାର୍ଯ୍ୟ ବଢ଼ିବା ସହିତ ସେ ବିନିଯୋଗ ମଧ୍ୟ ଆରମ୍ଭ କଲେ। ସମୟ ସହିତ ସଞ୍ଜୀବ ଜୋମାଟୋ ଏବଂ ପଲିସି ବଜାର ଭଳି କମ୍ପାନୀରେ ଅଂଶଧନ କିଣିଥିଲେ।
ଆଜି ସଞ୍ଜୀବଙ୍କ କମ୍ପାନୀ ଇନଫୋ ଏଜ୍ ଇଣ୍ଡିଆର ବଜାର କ୍ୟାପ୍ 57,500 କୋଟିରେ ପହଞ୍ଚିଛି। ଫୋର୍ବସ୍ ଅନୁଯାୟୀ, ସଞ୍ଜୀବ ବିକଚାନ୍ଦାନୀଙ୍କ ମୋଟ ସମ୍ପତ୍ତି 2.3 ବିଲିୟନ ଡଲାରରୁ ଅଧିକ ଅର୍ଥାତ୍ ପ୍ରାୟ 19,000 କୋଟି ଟଙ୍କା। ବାପାଙ୍କ ଗ୍ୟାରେଜ ଏବଂ ପୁରୁଣା କମ୍ପ୍ୟୁଟରରୁ ବ୍ୟବସାୟ ଆରମ୍ଭ କରିଥିବା ସଞ୍ଜୀବ ଆଜି ଜଣେ ଜଣାଶୁଣା ବ୍ୟକ୍ତିତ୍ୱ।
Also Read- ଅନଲାଇନ୍ ଜୁଆଖେଳରେ ସେଲିବ୍ରିଟି ; ଇଡି ସ୍କାନରରେ ନେହା କକ୍କଡ, ଟାଇଗର ଶ୍ରଫଙ୍କ ସହ ବଲିଉଡର ୧୭କଳାକାର