୨୦୨୨ରେ ୭ଗୁଣା ବଢ଼ିଛି ମରୁଡ଼ି, ୧୧୩ଗୁଣା ହୋଇଛି ବଜ୍ରପାତ, ୬୦ଗୁଣା ହ୍ରାସ ହୋଇଛି ହୀମପାତ
8/12/2022 at 4:36 PM

ନୂଆଦିଲ୍ଲୀ ୮।୧୨: ଚଳିତବର୍ଷ ଭାରତ ଉପରେ ଦୈବୀ ଦୁର୍ବିପାକର ପ୍ରକୋପ ବଢିଛି। ୨୦୨୧ ମସିହା ତୁଳନାରେ ମରୁଡ଼ି ଚଳିତବର୍ଷ ୭ ଗୁଣା ଅଧିକ ହୋଇଛି। ସେହିପରି ବର୍ଷାଦିନିଆ ବଜ୍ରପାତ ୧୧୩ଗୁଣା ବଢିଛି। ଝଡ଼ ତୋଫାନ ୮ ଗୁଣା ବଢିଥିବା ବେଳେ ହୀମପାତ ୬୦ ଗୁଣା ହ୍ରାସ ହୋଇଛି। ଫଳରେ ଥଣ୍ଡା ହ୍ରାସ ହେଉଛି। ଅର୍ଥାତ ଦେଶ ଏବେ ଗ୍ରୀଷ୍ମ ଓ ମରୁଡି ଆଡକୁ ମୁହାଁଇଛି ବୋଲି ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଗୁରୁବାର ସଂସଦରେ ଏହି ଉତ୍ତର ରଖିଛନ୍ତି। ପ୍ରାକୃତିକ ଆପଦବିପଦ ନେଇ ପଚରା ଯାଇଥିବା ପ୍ରଶ୍ନର ଜବାବରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
ଗତ ଏକବର୍ଷ ହେଲା ଭାରତରେ ଦୁଇଟି ପ୍ରାକୃତିକ ବିପର୍ଯ୍ୟୟ ବଢିଛି। ଏଥିରେ ପ୍ରଥମ ହେଉଛି ବଜ୍ରପାତ ଓ ଦ୍ୱିତୀୟଟି ହେଉଛି ମରୁଡି। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟର କେନ୍ଦ୍ର ସରକାର ଯେଉଁ ତଥ୍ୟ ଦେଇଛନ୍ତି ତାହା ବାସ୍ତବିକ ଭୟଙ୍କର। ୨୦୨୧ ବର୍ଷ ତୁଳନାରେ ୨୦୨୨ରେ ଥଣ୍ଡରଷ୍ଟର୍ମ ୫ଗୁଣା ଅଧିକ ବଢିଛି। ୨୦୨୧ ମସିହାରେ ବଜ୍ରପାତ ଯୋଗୁ ୯୦୭ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୨୨ ମସିହାରେ ଧୂଳି ଝଡ ଗୁଣା ବଢିଥିବା ବେଳେ ହିଟୱେଭ୍ ୩୦ ଗୁଣା ବଢିଛି। ସମ୍ପୂର୍ଣ୍ଣ ଭାରତ ପାଣିପାଗ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହୋଇଛି। ଏଣୁ ଚଳିତବର୍ଷ ବଜ୍ରପାତ, ବାତ୍ୟା, ବନ୍ୟା ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟରେ ୨ହଜାର ୧୮୩ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୯ ମସିହାରେ ଏହି ହାର ୩୦୧୭ ଥିଲା।

ଚଳିତବର୍ଷ ଦୈବୀ ଦୁର୍ବିପାକ ଯୋଗୁ ଯେତିକି ଲୋକଙ୍କ ମୃତ୍ୟୁ ହୋଇଛି ଏହାର ୭୮ ପ୍ରତିଶତ କେବଳ ବଜ୍ରପାତ ଓ ବନ୍ୟାରେ ପ୍ରାଣ ହରାଇଛନ୍ତି। ଏହା ପୂର୍ବରୁ ସରକାର ଗତ ଅଗଷ୍ଟ ମାସରେ ମୌସୁମୀ ସମୟରେ ଦେଶରେ ଅଧିକ ତାପମାତ୍ରା ରେକର୍ଡ ହୋଇଥିବା କହିଥିଲେ। ଏଥିରୁ ଆଗାମୀ ବର୍ଷମାନଙ୍କରେ ଭାରତକୁ ଏପରି ଅନେକ ଦୁର୍ବିପାକର ସମ୍ମୁଖୀନ ହେବାକୁ ପଡିବ ବୋଲି କୁହାଯାଇଛି।
ଚଳିତବର୍ଷ ମାର୍ଚ୍ଚମାସ ସବୁଠୁ ଉତପ୍ତ ଥିଲା। ଏହା ପଛକୁ ଏପ୍ରିଲ ଓ ମେ ମାସରେ ମଧ୍ୟ ତାପମାତ୍ରା ବଢିଥିଲା। ଏଥିରୁ ଦେଶରେ ଗ୍ରୀଷ୍ମ ପ୍ରବାହ ୭ ଗୁଣା ଅଧିକ ବଢିଥିବା କୁହାଯାଇଛି। ୨୦୨୧ ମସିହାରେ ମାତ୍ର ୪ଥର ଗ୍ରୀଷ୍ମ ଲହର ହୋଇଥିଲା। ତେବେ ୨୦୨୨ ମସିହାରେ ୨୭ ଥର ଗ୍ରୀଷ୍ମ ଲହରୀ ଦେଶକୁ ପ୍ରଭାବିତ କରିଛି। ଏଥିରେ ଝାଡଖଣ୍ଡ, ଉତ୍ତରାଖଣ୍ଡ, ରାଜସ୍ଥାନ, ପଞ୍ଜାବ ଓ ହରିୟାଣା ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା। ଏଥିରେ ମୌସୁମୀ ବର୍ଷା ୪ ମାସ ଅଧିକ ହୋଇଥାଏ। ଜୁନ, ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ଅଧିକ ବର୍ଷା ହୋଇଥାଏ। ତେବେ ୨୦୨୧ ତୁଳନାରେ ୨୦୨୨ରେ ଏକ୍ସଟ୍ରିମ ହେଭି ରେନଫଲ ୨ ଗୁଣା ବଢିଛି।