ନୂଆଦିଲ୍ଲୀ, ୧୬/୦୫: ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ୟୁକ୍ରେନ ନାଟୋ ଆଡକୁ ଢଳୁଥିବାରୁ ଯୁଦ୍ଧ ହେଉଥିବା କୁହାଯାଉଛି । ଅନ୍ୟପଟେ ଋଷ ତାନାଶାହୀ ଭ୍ଲାଦିମିର ପୁଟିନଙ୍କୁ ଏକ ବଡ ଝଟ୍କା ଲାଗିପାରେ । କାରଣ ଫିନଲାଣ୍ଡ୍ ଓ ସ୍ୱିଡେନ ଔପଚାରିକ ଭାବେ ନାଟୋରେ ସାମିଲ ହେବାକୁ ଘୋଷଣା କରିଛନ୍ତି ।ପ୍ରଥମେ ଫିନଲାଣ୍ଡ୍ ଓ ପରେ ସ୍ୱିଡେନ୍ ଏହି ଘୋଷଣା କରିଛି । କେବଳ ଏତିକି ନୁହେଁ, ଉଭୟଙ୍କ ସଦସ୍ୟତାକୁ ବିରୋଧ କରୁଥିବା ତୁର୍କୀ ବି ଏବେ ସହମତି ପ୍ରକାଶ କରିଛି ।
ଫିନଲାଣ୍ଡ୍ ଓ ସ୍ୱିଡେନ୍ ନାଟୋରେ ମିଶିଲେ ଋଷର ଚିନ୍ତା ବଢିପାରେ ।କାରଣ ପଡୋଶୀ ଦେଶ ନାଟୋରେ ସାମିଲ ହେବାକୁ ଋଷ ବିରୋଧ କରୁଛି । ଋଷର କହିବାନୁସାରେ, ନାଟୋରେ ସାମିଲ ହେଲେ ଆମେରିକା ପଡୋଶୀ ଦେଶର ସୀମା ଯାଏଁ ଆସିଯିବ । ଏହି ଡରରେ ପୁଟିନ ସେନା ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଯୁଦ୍ଧ ବନ୍ଦ କରିବା ସର୍ତ୍ତ ମଧ୍ୟ ୟୁକ୍ରେନ ନାଟୋରେ ସାମିଲ ନହେବା ରହିଛି ।
ଫିନଲାଣ୍ଡ୍ ରାଷ୍ଟ୍ରପତି ସାଉଲି ନିନିସ୍ତୋ କହିଛନ୍ତି ଯେ, ଏହା ଏକ ଐତିହାସିକ ଦିନ । ଏବେ ନୂଆ ଯୁଗର ଆରମ୍ଭ ହେବ । ଫିନଲାଣ୍ଡ ମିଡିଆ ଅନୁସାରେ, ଚଳିତ ସପ୍ତାହରେ ନାଟୋରେ ସାମିଲ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ । ସ୍ୱିଡେନରେ ମଧ୍ୟ ସରକାରୀ ଦଳ ନାଟୋରେ ସାମିଲ ସପକ୍ଷରେ ରହିଛି । ତେବେ ପୂର୍ବରୁ ସ୍ୱିଡେନ୍ ଏହାକୁ ବିରୋଧ କରିଥିଲା । ଏବେ ୟୁକ୍ରେନର ଘଟଣା ପରେ ଦେଶର ନେତାମାନେ ନାଟୋରେ ସାମିଲ ନେଇ ଦାବି କରିଥିଲେ ।
ସ୍ୱିଡେନ୍ ପ୍ରଧାନମନ୍ତ୍ରୀ ମଗଡାଲେନା ଆଣ୍ଡରସନ୍ କହିଛନ୍ତି ଯେ, ନାଟୋର ସଦସ୍ୟତା ନେଲେ ଦେଶର ସୁରକ୍ଷା ବଢିବ । ଦେଶ ଓ ଦେଶବାସୀଙ୍କ ସୁରକ୍ଷା ପାଇଁ ଏହା ବଡ ପଦକ୍ଷେପ । ତେବେ ନାଟୋରେ ସାମିଲ ହେବା ପାଇଁ ସମସ୍ତ ୩୦ ଦେଶର ସହମତି ଜରୁରୀ । ପୂର୍ବରୁ ତୁର୍କୀ ଉଭୟ ଦେଶର ସଦସ୍ୟତା ପ୍ରକ୍ରିୟାକୁ ବିରୋଧ କରୁଥିଲେ ମଧ୍ୟ ଏବେ ସମର୍ଥନ କରୁଛି । ନାଟୋର ସାଧାରଣ ସମ୍ପାଦକ ଓ ୟୁଏସ ରାଷ୍ଟ୍ରପତି ଜୋ ବାଇଡେନ୍ ତୁର୍କୀ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବା ପରେ ସେ ରାଜି ହୋଇଥିବା ଜଣାପଡିଛି ।