'ବନ୍ଦେ ମାତରମ'କୁ ମିଳୁ ଜାତୀୟ ସଙ୍ଗୀତର ବରାବର ସମ୍ମାନ, ଦିଲ୍ଲୀ ହାଇକୋର୍ଟରେ ପିଆଇଏଲ ଦାଖଲ

Published By : Prameya-News7 Bureau | May 24, 2022 IST

ନୂଆଦିଲ୍ଲୀ: 'ବନ୍ଦେ ମାତରମ'କୁ ମିଳୁ ଜାତୀୟ ସଙ୍ଗୀତ 'ଜନ ଗଣ ମନ' ପରି ବରାବର ସମ୍ମାନ। ଏମିତି ଦାବି କରି ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ଵାର୍ଥ ମାମଲା ଦାୟର କରାଯାଇଛି। ଆବେଦନରେ 'ବନ୍ଦେ ମାତରମ'କୁ ଜାତୀୟ ସଙ୍ଗୀତ 'ଜନ ଗଣ ମନ' ବରାବର ସମ୍ମାନ ଦେବାକୁ ଦାବି କରାଯାଇଛି। ଆବେଦନକାରୀ ଏହା ପଛରେ ତର୍କ ଦେଇଛନ୍ତି ଯେ, ବନ୍ଦେ ମାତରମ ଦେଶର ସ୍ଵାଧୀନତା ସଂଗ୍ରାମରେ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ସୁପ୍ରିମକୋର୍ଟର ଜଣାଶୁଣା ଓକିଲ ଅଶ୍ଵିନୀ କୁମାର ଉପାଧ୍ୟାୟ ଏହି ଯାଚିକା ଦାଖଲ କରିଛନ୍ତି।

ସେ ଦାବି କରିଛନ୍ତି ଯେ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଏହା ସୁନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ଯେ, ପ୍ରତ୍ୟେକ କାର୍ଯ୍ୟ ଦିବସରେ ସମସ୍ତ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନରେ  'ଜନ ଗଣ ମନ' ଏବଂ 'ବନ୍ଦେ ମାତରମ' ଗାନ କରାଯାଉ। ଏଥିସହ ମାଦ୍ରାସ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ୧୯୫୦ ଜାନୁଆରୀ ୨୪ର ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ସମ୍ବିଧାନ ସଭାର ଭାବନା ଅନୁରୂପ ଗାଇଡଲାଇନ୍ ତିଆରି କରାଯାଉ ବୋଲି ଉପାଧ୍ୟାୟ ଦାବି କରିଛନ୍ତି।

ଏଥିସହ ଯାଚିକାରେ କୁହାଯାଇଛି ଯେ, ୧୯୫୦ ଜାନୁଆରୀ ୨୪ରେ ଜାତୀୟ ସଙ୍ଗୀତ ସମ୍ବନ୍ଧରେ ସମ୍ବିଧାନ ସଭାର ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ଦ୍ଵାରା ଦିଆଯାଇଥିବା ବକ୍ତବ୍ୟର ଭାବନା ଅନୁରୂପ ବନ୍ଦେ ମାତରମକୁ ସ୍ଵତନ୍ତ୍ର ସମ୍ମାନ ଦିଆଯାଉ। ଉପାଧ୍ୟାୟ କହିଛନ୍ତି,  ଭାରତ ରାଜ୍ୟଗୁଡିକର ଏକ ସଂଘ। ରାଜ୍ୟର ସଂଘ କି ପରିସଂଘ ନାହିଁ। ଗୋଟିଏ ହିଁ ଜାତୀୟତା ରହିଛି। ଅର୍ଥାତ ଭାରତୀୟ ଏବଂ ବନ୍ଦେ ମାତରମର ସମ୍ମାନ କରିବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ। ଦେଶକୁ ଏକଜୁଟ ରଖିବା, ଜନ ଗଣ ମନ ଏବଂ ବନ୍ଦେ ମାତରମକୁ ପ୍ରୋତ୍ସାହନ ଦେବା ପାଇଁ ଏକ ରାଷ୍ଟ୍ରୀୟ ନୀତି ପ୍ରସ୍ତୁତ କରିବା ସରକାରଙ୍କ କର୍ତ୍ତବ୍ୟ। କାରଣ ଉଭୟ ସମ୍ବିଧାନ ନିର୍ମାତାଙ୍କ ଦ୍ଵାରା ସ୍ଥିର କରାଯାଇଛି।

ସୂଚନାଯୋଗ୍ୟ, ୨୦୧୯ରେ ମଧ୍ୟ ଅଶ୍ଵିନୀ ଉପାଧ୍ୟାୟ ରାଷ୍ଟ୍ର ଗୀତ ବନ୍ଦେ ମାତରମକୁ ଜାତୀୟ ସଙ୍ଗୀତ  ଜନ ଗଣ ମନ ପରି ସମ୍ମାନ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଜନସ୍ଵାର୍ଥ ମାମଲା ଦାଖଲ କରିଥିଲେ। ଉକ୍ତ ଆବେଦନରେ ବନ୍ଦେ ମାତରମକୁ ଜାତୀୟ ସଙ୍ଗୀତର ସମାନ ମାନ୍ୟତା ଦେବାକୁ ଦାବି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.