ନାସ୍‌ନାଲ୍‌ ହେରାଲ୍ଡ କେସ୍‌: ଇଡି ସମନ୍‌ ପରେ ବିଦେଶରୁ ଦିଲ୍ଲୀ ଫେରିଲେ ରାହୁଲ୍‌ ଗାନ୍ଧୀ, ଜୁନ୍‌ ୧୩ ପୂର୍ବରୁ ହେବେ ହାଜର

Published By : Prameya-News7 Bureau | June 05, 2022 IST

ନୂଆଦିଲ୍ଲୀ, , ୦୫/୦୬: ବହୁ ଚର୍ଚ୍ଚିତ ନାସନାଲ୍‌ ହେରାଲ୍ଡ କେସ୍‌କୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନୂଆ ସମନ୍‌ ପରେ ବିଦେଶରୁ ଫେରିଛନ୍ତି କଂଗ୍ରେସ୍‌ ନେତା ରାହୁଲ୍‌ ଗାନ୍ଧୀ । ଗତକାଲି ଦିଲ୍ଲୀ ଫେରିଥିବା ଦଳ ପକ୍ଷରୁ ଜଣାପଡ଼ିଛି । ଜୁନ୍‌ ୧୩ ତାରିଖ ପୂର୍ବରୁ ଇଡିରେ ହାଜର ହେବାକୁ ରାହୁଲ୍‌ଙ୍କୁ ସମନ୍‌ ହୋଇଥିବା ଜଣାପଡ଼ିଛି ।

ପୂର୍ବରୁ ନିର୍ଦ୍ଦେଶାଳୟ ଜୁନ୍‌ ୨ରେ ହାଜର ହେବାକୁ ସମନ୍‌ କରିଥିବା ବେଳେ ରାହୁଲ୍‌ ଭାରତ ବାହାରେ ଥିବାରୁ ଅନ୍ୟ ଏକ ନୂଆ ତାରିଖ ମାଗିଥିଲେ । ଅନ୍ୟପଟେ କଂଗ୍ରେସ୍‌ ସଭାପତି ସୋନିଆ ଗାନ୍ଧୀଙ୍କୁ ଜୁନ୍‌ ୮ ତାରିଖରେ ହାଜର ହେବାକୁ ଇଡି ସମନ୍‌ କରିଥିବା ବେଳେ ସେ ଜୁନ୍‌ ୨ରେ କୋଭିଡ୍‌ ପଜିଟିଭ୍‌ ହୋଇଥିଲେ । ତେବେ ସେ ନିର୍ଦ୍ଧାରିତ ତାରିଖରେ ହାଜର ହେବା ନେଇ ଦଳ ପକ୍ଷରୁ ଜଣାପଡ଼ିଛି ।

ସୂଚନା ଥାଉକି, ଦଳ ସମର୍ଥିତ ୟଙ୍ଗ୍‌ ଇଣ୍ଡିଆନ୍‌ ଯାହାକି ନାସ୍‌ନାଲ୍‌ ହେରାଲ୍ଡ ନ୍ୟୁଜ୍‌ ପେପର ମାଲିକାନାରେ ରହିଥିଲା ଏଥିରେ ଅର୍ଥନୈତିକ ହେର୍‌ଫେର୍‌ ହୋଇଥିଲା । ଏହି ପେପର୍‌କୁ ଆସୋସିଏଟ୍‌ ଜର୍ଣ୍ଣାଲ୍‌ ଲିମିଟେଡ୍‌ ପବ୍ଲିସ୍‌ କରୁଥିବା ବେଳେ ୟଙ୍ଗ୍‌ ଇଣ୍ଡିଆନ୍‌ ପ୍ରାଇଭେଟ୍‌ ଲିମିଟେଡ୍ ମାଲିକାନାରେ ଥିଲା ।  

ତେବେ ଆଧିକାରୀକ ସୂତ୍ରରୁ ଜଣାପଡ଼ିଛି ଯେ ଏଜେନ୍ସି ମନି ଲେଣ୍ଡରିଂ ଆକ୍ଟ ଆଧାରରେ ଏହି ଘଟଣାରେ ରାହୁଲ୍‌ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଛି । କଂଗ୍ରେସ୍‌ର ସଦସ୍ୟ ଭାବେ ୟଙ୍ଗ୍‌ ଇଣ୍ଡିଆନ୍‌ର ପ୍ରମୋଟର ଓ ସେୟାର ହୋଲ୍ଡର ଭାବେ ସୋନିଆ ଏବଂ ରାହୁଲ୍‌ ରହିଥିଲେ । ମନିଲେଣ୍ଡରିଂ କୋର୍ଟରେ ଏଜେନ୍ସି ଏନେଇ କେସ୍‌ ଦାଏର କରିଥିଲା । ଏଥିସହିତ ବିଜେପି ସାଂସଦ ସୁବ୍ରମଣିୟମ୍‌ ସ୍ୱାମୀ ୨୦୧୩ ମସିହାରେ ମଧ୍ୟ ଏନେଇ ମାମଲା ଦାଏର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.