ପ୍ରଥମ ଥର ଆମେରିକା ବିମାନ ସଂଗ୍ରହାଳୟରେ ସ୍ଥାନ ପାଇଲେ ଭାରତୀୟ ମହିଳା ପାଇଲଟ୍
21/08/2022 at 10:42 AM

ନୂଆଦିଲ୍ଲୀ ୨୧।୦୮: ବୋଇଂ-୭୭୭ ବିମାନର ବରିଷ୍ଠ ଏୟାର ଇଣ୍ଡିଆ ପାଇଲଟ୍ କ୍ୟାପ୍ଟେନ୍ ଜୋୟା ଅଗ୍ରୱାଲ । ଉତ୍ତର ମେରୁରେ ବିମାନ ଉଡ଼ାଇ ପ୍ରାୟ ୧୬ ହଜାର କିମି ରେକର୍ଡ ଦୂରତା ଅତିକ୍ରମ କରିଥିବା ଭାରତର ସେ ପ୍ରଥମ ମହିଳା ପାଇଲଟ୍ । ଦେଶ ପାଇଁ ଖୁସି ଖବର ହେଉଛି ଆମେରିକା ସ୍ଥିତ ଏସ୍ଏଫ୍ଓ ଆଭିଏସନ୍ ମ୍ୟୁଜିୟମ୍ରେ ଜୋୟା ସ୍ଥାନ ପାଇଛନ୍ତି । ୨୦୨୧ ମସିହାରେ ପ୍ରଥମ ଥର ଜୋୟାଙ୍କ ନେତୃତ୍ୱରେ ଏୟାର ଇଣ୍ଡିଆର ସମସ୍ତ ମହିଳା ପାଇଲଟ୍ ଟିମ୍ ଆମେରିକାର ସାନ୍ ଫ୍ରାନ୍ସିସ୍କୋରୁ ଭାରତର ବେଙ୍ଗାଲୁରୁ ପର୍ଯ୍ୟନ୍ତ ବିଶ୍ୱର ଦୀର୍ଘତମ ବାୟୁ ମାର୍ଗ ଅତିକ୍ରମ କରିଥିଲେ । ଏହି ଐତିହାସିକ ଉଡ଼ାଣରେ ସେ ସମଗ୍ର ଉତ୍ତର ମେରୁ ଅତିକ୍ରମ କରିଥିଲେ ।
ଆମେରିକାର ଏହି ଆଭିଏସନ୍ ମ୍ୟୁଜିୟମ୍ ଏୟାର ଇଣ୍ଡିଆର ସମସ୍ତ ମହିଳା ପାଇଲଟ୍ଙ୍କ କୃତିତ୍ୱରେ ଖୁସି ହୋଇ ନିଜ ମ୍ୟୁଜିୟମ୍ରେ ସେମାନଙ୍କୁ ସ୍ଥାନ ଦେଇଛି । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଜୋୟା କହିଛନ୍ତି, ଜଣେ ପାଇଲଟ୍ ଭାବେ ଏସ୍ଏଫ୍ଓ ଆଭିଏସନ୍ରେ ସ୍ଥାନ ପାଇଥିବା ସେ ଏକମାତ୍ର ଜୀବନ୍ତ ବ୍ୟକ୍ତି । ନିକଟରେ ଏସ୍ଏଫ୍ଓ ମ୍ୟୁଜିୟମ୍ ବିମାନନ କ୍ଷେତ୍ରରେ ଜୋୟାଙ୍କ ଅଦ୍ୱିତୀୟ କ୍ୟାରିଅର ଏବଂ ସମଗ୍ର ବିଶ୍ୱରେ ନାରୀ ସଶକ୍ତୀକରଣ ନିମନ୍ତେ ତାଙ୍କ ପ୍ରୟାସ ସମ୍ପର୍କରେ ବର୍ଣ୍ଣନା କରି ତାଙ୍କୁ ଖୁବ୍ ପ୍ରଶଂସା କରିଛି ।
ଏସ୍ଏଫ୍ଓ ଆଭିଏସନ୍ ମ୍ୟୁଜିୟମ୍ ପକ୍ଷରୁ ପ୍ରମାଣପତ୍ର ପାଇବା ଓ ସମ୍ମାନିତ ହେବା ନିଜ ପାଇଁ ଓ ଦେଶ ପାଇଁ ଏକ ମହାନ ମୁହୂର୍ତ୍ତ ବୋଲି ଜୋୟା କହିଛନ୍ତି । ଜାତିସଂଘରେ ଲିଙ୍ଗଗତ ସମାନତାର ଅନ୍ୟତମ ବକ୍ତା ହେଉଛନ୍ତି ଜୋୟା । ବିଶ୍ୱର ମହିଳା ଓ ଝିଅମାନଙ୍କୁ ସେମାନଙ୍କ ସ୍ୱପ୍ନ ପୂରଣ ନିମନ୍ତେ ସେ ପ୍ରୋତ୍ସାହିତ କରୁଛନ୍ତି ।