ଭଦ୍ରକ ୧୬ ନମ୍ୱର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା, ସରୁନି ସମ୍ପ୍ରସାରଣ କାମ, ଗଲାଣି ୧୫ ଜୀବନ
22/01/2023 at 8:19 PM

ଭଦ୍ରକ ୨୨/୦୧: ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଏବେ ହନ୍ତସନ୍ତ ଭଦ୍ରକ ବାସୀ। ଦାୟିତ୍ୱ ରେ ଥିବା କମ୍ପାନୀର ଅବହେଳା ଓ ମନମୁଖୀ କାମ ପାଇଁ ଯାଉଛି ଅନେକ ଜୀବନ। ଦୁର୍ଘଟଣା ପରର ଉତ୍ତେଜନା ପର୍ଯ୍ୟନ୍ତ କେବଳ ପ୍ରତିଶୃତି ମିଳେ। କିନ୍ତୁ ପ୍ରଶାସନ ଓ କମ୍ପାନୀର ଅବହେଳା ଏବେ ବି ଅନେକ ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଉଛି।

ଭଦ୍ରକ ଜିଲ୍ଲା ଦେଇ ୧୬ ନମ୍ବର ଜାତୀୟ ରାଜପଥ ଯାଇଛି। ରାଜପଥ ସମ୍ପ୍ରସାରଣ କାମ ଆରମ୍ଭ ହେବାରୁ ଲୋକମାନେ ବେଶ ଖୁସିଥିଲେ। କିନ୍ତୁ ଏହି କାମ ଠିକ୍ ସମୟରେ ଶେଷ ନହେବାରୁ ଦୁର୍ଘଟଣା ପରେ ଦୁର୍ଘଟଣା ଅନେକ ଘର ଉଜାଡି ଦେଇଛି। ଭଣ୍ଡାରିପୋଖରୀ ବ୍ଲକ , ସହ ସହରର ଆରଡ଼ି ଛକ ଓ ଅନ୍ୟ କେତେକ ସ୍ଥାନରେ ରାସ୍ତା କାମ ଏବେ ଅଧାପନ୍ତରିଆ ହୋଇ ରହିଛି। ଏହି କାରଣରୁ ଲୋକମାନେ ସେହି ରାସ୍ତାରେ ପ୍ରତ୍ୟକ ଦିନ ଦୁର୍ଘଟଣାର ଶୀକାର ହେଉଛନ୍ତି। ବହୁ ସମୟରେ ଦୁର୍ଘଟଣା ଫଳରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଛି। କିନ୍ତୁ ଦୁର୍ଘଟଣା ପରେ ଉତ୍ତେଜନା ବେଳେ ଉଭୟ ଓ ପ୍ରଶାସନ ଓ ସମ୍ପ୍ରସାରଣ ଦାୟିତ୍ୱରେ ଥିବା ଡିବିଏଲ କମ୍ପାନୀ କାର୍ଯ୍ୟ ଶୀଘ୍ର ସାରିବା ନେଇ ପ୍ରତିଶୃତି ଦିଅନ୍ତି। କିନ୍ତୁ ଏହି ପ୍ରତିଶୃତି ବର୍ତ୍ତମାନ ସୁଦ୍ଧା ଫଳପ୍ରଦ ହୋଇନାହିଁ।

ସମ୍ପ୍ରସାରଣ କାମ ଆରମ୍ଭ ହେବା ଦିନରୁ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଗତ ୬ ମାସ ମଧ୍ୟରେ ପ୍ରାୟ ଦୁର୍ଘଟଣାରେ ୧୫ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଭଦ୍ରକ ସାଂସଦ, ବିଧାୟକ, ଜିଲ୍ଲାପାଳଙ୍କ ସହ ବହୁ ଅଧିକାରୀ, ରାଜପଥ ପ୍ରାଧିକରଣର ଅଧିକାରୀମାନେ ଅନେକ ଥର ଏହି ଦୁର୍ଘଟଣା ପ୍ରବଣ ଅଞ୍ଚଳ ବୁଲି ଦେଖିଲେଣି। ସେମାନେ ଖୁବଶୀଘ୍ର ଏହି ସମ୍ପ୍ରସାରଣ କାମ ସରିବ ବୋଲି କହିଛନ୍ତି। ଏନେଇ ଭଦ୍ରକ ସାଂସଦ କହିଛନ୍ତି ଯେ, ରାଜପଥର ଯାତାୟାତ ତଥା ଭଦ୍ରକ ବାସିନ୍ଦାଙ୍କ ସୁବିଧା ପାଇଁ ଅନେକ ଗଳା ପୋଲ ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। କିନ୍ତୁ ଲୋକମାନେ ସାବଧାନ ହେଲେ ଦୁର୍ଘଟଣ ଘଟିବ ନାହିଁ।