ମୋବାଇଲ ଟାୱାର ଦାବିରେ ଜାତୀୟ ରାଜପଥ ଅବରୋଧ, ଅଟକି ରହିଛି ଶହ ଶହ ଗାଡି

Published By : Prameya-News7 Bureau | June 01, 2022 IST

ଦେବଗଡ:  ମୋବାଇଲ ଟାୱାର ଦାବିରେ ବୁଧବାର ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ କୈଳାଶ ଛକଠାରେ ୪୯ ନମ୍ବର ଜାତୀୟ ରାଜପଥରେ ରାସ୍ତାଅବରୋଧ କରାଯାଇଛି। ଦେବଗଡ ଜିଲ୍ଲାର ଅପହଞ୍ଚ ଇଲାକା ଭାବେ ପରିଚିତ ଲଇମୁରା ଅଞ୍ଚଳର ପାଞ୍ଚଟି ଗ୍ରାମ ପଞ୍ଚାୟତର ଅଧିବାସୀ ଏହି ରାସ୍ତାରୋକ ଡାକରା ଦେଇଛନ୍ତି। ରାସ୍ତା ରୋକ ଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଛି ।

ଲଇମୁରା  ଅଞ୍ଚଳରେ ଥିବା ପାରପୋଷୀ, ଝରାଗୋଗୁଆ, ଗଣ୍ଡମ, ଝାରମୁଣ୍ଡା ଓ ଡିମିରିକୁଦା ଗ୍ରାମ ପଞ୍ଚାୟତ ର ଅଧିବାସୀ  ମୋବାଇଲ ଟାୱାର ନିର୍ମାଣ ଦାବି କରି ଏହି ରାସ୍ତାରୋକ କରିଛନ୍ତି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ସଂପୃକ୍ତ ଅଞ୍ଚଳରେ ମୋବାଇଲ ଟାୱାର ନଥିବା ଯୋଗୁଁ ଗ୍ରାମ ପଞ୍ଚାୟତ ଅଧିବାସୀ ମାନେ ନିର୍ବାଚନ ବର୍ଜନ ନିଷ୍ପତ୍ତି ନେଇଥିଲେ । ପରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରାର୍ଥୀ ପତ୍ର ଦାଖଲ ହୋଇପାରିଥିଲା । 

{"id":636976,"sizeSlug":"full","linkDestination":"none"}

ଇତିମଧ୍ୟରେ ଦୁଇ ମାସ ବିତିଯାଇଥିଲେ ସୁଦ୍ଧା ମୋବାଇଲ ଟାୱାର ବସାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରି ରାସ୍ତା ରୋକ କରିଛନ୍ତି  । ଏଥିପାଇଁ ବୁଧବାର ପାଞ୍ଚଟି ଗ୍ରାମ ପଞ୍ଚାୟତ ଅଧିବାସୀ କୈଳାଶ ଛକଠାରେ ୪୯ ନମ୍ବର କୋଲକାତା-ମୁମ୍ବାଇ ଜାତୀୟ ରାଜପଥରେ ସକାଳ ଛଅଟାରୁ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ବାର ଘଣ୍ଟିଆ ରାସ୍ତା ରୋକ କରିଛନ୍ତି।

ଆନ୍ଦୋଳନକାରୀଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା ବିଫଳ ହୋଇଛି। ଡିଆରଡିଏ ପିଡି ଲୁକାସ ପ୍ରଧାନ, ଦେବଗଡ ଆଦର୍ଶ ଥାନା ଆଇଆଇସି ସୁରେନ୍ଦ୍ର କୁମାର ନାୟକ, ତହସିଲଦାର ପଲ୍ଲବୀ ନାୟକ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିବା ବେଳେ ଏହା ବିଫଳ ହୋଇଛି । ରାସ୍ତା ରୋକ ଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.