ଉତ୍କଳିକା ପକ୍ଷରୁ ଜାତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜିତ, ଉଦଘାଟନ କଲେ ବୟନ ଶିଳ୍ପ ମନ୍ତ୍ରୀ
16/03/2023 at 11:06 PM

ଭୁବନେଶ୍ବର, ୧୬/୦୩: ଉତ୍କଳିକା ଦ୍ୱାରା ଆୟୋଜିତ ଜାତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ ହୋଇଛି। ଉତ୍କଳିକା ଦ୍ବାରା ୧୦ ଦିନବ୍ୟାପୀ ଜାତୀୟସ୍ତରୀୟ ପ୍ରଦର୍ଶନୀ ଗୁରୁବାର ଠାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏକାମ୍ର ହାଟ ଭୁବନେଶ୍ଵର ଠାରେ ଆୟୋଜିତ କରାଯାଇଛି। ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ଏହି ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି।

ଓଡ଼ିଶାର ୧୦ ଟି ଜିଲ୍ଲା ଓ ବାହାର ୨ଟି ରାଜ୍ୟରୁ ୫୦ ଜଣ ଶିଳ୍ପୀ / ହସ୍ତଶିଳ୍ପ କାରିଗର ଭାଗ ନେଇ ସେମାନଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନୀ କରିବା ସହ ବିକ୍ରୟ କରିପାରିବେ। ଓଡ଼ିଶାର ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଜଗତସିଂହପୁର, ମୟୂରଭଞ୍ଜ, କଟକ, ବାଲେଶ୍ଵର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାରୁ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସାମଗ୍ରୀ ଯଥା, କାଠ ଖୋଦେଇ, ସବାଇ ଘାସ, ଗୋଲ୍ଡେନ ଗ୍ରାସ ଶିଳ୍ପ, ଚାନ୍ଦୁଆ, ପଟ୍ଟଚିତ୍ର, ରୂପା ତାରକଶି, ଆଦିବାସୀ ଜୁଏଲାରୀ, କତା ଶିଳ୍ପ, ତାଳପତ୍ର ଖୋଦେଇ, ଶାମୁକା, କଂସା ଓ ପିତ୍ତଳ, ଢୋକ୍ରା, ଶିଙ୍ଗ, ଝୋଟ କାମ ଭଳି ଅତି ସମ୍ମାନସ୍ପଦ ଶିଳ୍ପ ମାନଙ୍କର ପ୍ରଦର୍ଶିତ କରାଯାଇଛି ।

ଏହିଭଳି ମେଳାର ଆୟୋଜନ ଓ ପରିଚାଳନା ତଥା ସର୍ବୋପରି କ୍ରୟକୁ ଦୃଷ୍ଟିରେ ରଖାଯାଇ ଆନୁମାନିକ ୨୫ ଲକ୍ଷ ଟଙ୍କାର ବ୍ୟବସାୟ ଆକଳନ କରାଯାଇଅଛି ଏବଂ ୨୫ – ୩୦ ହଜାର ଦର୍ଶକଙ୍କ ଆଗମନର ସମ୍ଭାବନା ରହିଛି ।