ଉତ୍ତରାଖଣ୍ଡରେ ଆରମ୍ଭ ହେଲା ଜାତୀୟ ଶିକ୍ଷା ନୀତି ୨୦୨୦; NPE ଲାଗୁୁ କରିବାରେ ଭାରତର ପ୍ରଥମ ରାଜ୍ୟ

Published By : Prameya-News7 Bureau | October 16, 2022 IST

ଡେରାଡୁନ I ଭୁବନେଶ୍ୱର ୧୬/୧୦: ରବିବାର ଉତ୍ତରାଖଣ୍ଡରେ ଶିକ୍ଷାବର୍ଷ ୨୦୨୨-୨୩ ପାଇଁ ଜାତୀୟ ଶିକ୍ଷା ନୀତି-୨୦୨୦(ନିଉ ଏଜୁକେସନ ପଲିସି) କ୍ରିୟାନ୍ୱୟନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏପରି ଏକ ବ୍ୟବସ୍ଥା ଲାଗୁ କରିବାରେ ଭାରତର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ  ପରିତୟ ପାଇଛି। ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ‘’ଜାତୀୟ ଶିକ୍ଷାନୀତି ହେଉଛି ଦାର୍ଶନିକ ଦସ୍ତାବିଜ, ଯାହା ଜ୍ଞାନ ଆଧାରିତ ଅର୍ଥନୀତି ଓ ସମାଜ ଗଠନ ଦିଗରେ ସହାୟକ ହେବ। ଉତ୍ତରାଖଣ୍ଡ ଜାତୀୟ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିବା ଖୁସିର ବିଷୟ। ନୂଆ ଶିକ୍ଷା ନୀତି ଆଧାରରେ ପିଲାଙ୍କୁ ୩ ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ ମୌଳିକ ଶିକ୍ଷା ପ୍ରଦାନ କରାଯିବ। ଖେଳ ଶିକ୍ଷାକୁ ପ୍ରାଥମିକତା ଦିଆଯିବ। ଏହି ୩ ବର୍ଷର ଅବଧିକୁ ଶିକ୍ଷା ନୀତିରେ ବାଲବାଟିକା ଭାବରେ ଗ୍ରହଣ କରାଯାଇଛି। ପ୍ରଥମ ଥର ପାଇଁ ବାଲବାଟିକାକୁ ବିଦ୍ୟାଳୟ ବ୍ୟବସ୍ଥାରେ ଅନ୍ତର୍ଭୃକ୍ତ କରାଯାଇଛି’’।

ନୂଆ ଶିକ୍ଷା ନୀତି ୩ ବର୍ଷରୁ ୨୩ ବର୍ଷ ପର୍ଯ୍ୟନ୍ତ ଛାତ୍ରର ଜ୍ଞାନ, ଗୁଣାତ୍ମକ ଶିକ୍ଷା, କୌଶଳ ସହ କ୍ଷମତା ବଢ଼ାଇବାରେ ସହଯୋଗୀ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରଧାନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, ଶିକ୍ଷା ଓ ସ୍ୱାସ୍ଥ୍ୟମନ୍ତ୍ରୀ ଧନ ସିଂହ ରାଓ୍ୱତଙ୍କ ସହ ରାଜ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଓ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସେ କହିଛନ୍ତି ଉତ୍ତରାଖଣ୍ଡ ବାଲବାଟିକା, ଆଞ୍ଚଳିକ ଭାଷା, ବିଦ୍ୟାଳୟ ପ୍ରସ୍ତୁତି କାର୍ଯ୍ୟକ୍ରମ, ଦକ୍ଷତା ବିକାଶ ସହ ଅନେକ ପଦକ୍ଷେପକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନର ରାସ୍ତା ପରିଷ୍କାର କରୁଛି। ଏକ ସୁଦୃଢ଼ ଶିକ୍ଷା ଏବଂ ଦକ୍ଷତା ବିକାଶ ଇକୋସିଷ୍ଟମ ସହ ଉତ୍ତରାଖଣ୍ଡ ରାଜ୍ୟର  ଯୁବପିଢିଙ୍କୁ ଏକବିଂଶ ଶତାବ୍ଦୀର ଆହ୍ୱାନକୁ ସାମ୍ନା କରିବା ପାଇଁ ଆବଶ୍ୟକୀୟ ଜ୍ଞାନ ଓ ଦକ୍ଷତା ଭିତ୍ତିରେ ପ୍ରସ୍ତୁତ କରିବ ।

ଧର୍ମେନ୍ଦ୍ର ଆହୁରି କହିଛନ୍ତି କହିଛନ୍ତି ବିଶ୍ୱ ଦୃତ ଗତିରେ ପରିବର୍ତ୍ତନ ହେଉଛି। ଆମେ ଶିଳ୍ପ ବିପ୍ଳବ ୪.୦ର ମଧ୍ୟଭାଗରେ ଅଛୁ। ପ୍ରଯୁକ୍ତିବିଦ୍ୟା କ୍ରମାଗତ ଭାବେ ଶିକ୍ଷାର ଦୃଶ୍ୟପଟକୁ ପରିବର୍ତ୍ତନ କରୁଛି। ଶିକ୍ଷା ଏବଂ ଡିଜିଟାଲ ବିଶ୍ୱବିଦ୍ୟାଳୟ ପାଇଁ ଭାରତ ସରକାର ୨୬୦ ଟିଭି ଚ୍ୟାନେଲ ଆଣୁଛନ୍ତି। ଉତ୍ତରାଖଣ୍ଡ ଯୁବବର୍ଗ ଆଗାମୀ ଦିନର ଭବଷ୍ୟତର ଆହ୍ୱାନକୁ ସାମ୍ନା କରିବା ପାଇଁ ସମର୍ଥ। ଆଜିର ଶୁଭାରମ୍ଭ ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଗଙ୍ଗୋତ୍ରିରୁ ଆରମ୍ଭ କରି ସୌରଜଗତ ତଥା ଆମର ଯୁବପିଢ଼ିଙ୍କୁ ବିଶ୍ୱକୁ ଅନ୍ୱେଷଣ କରିବାକୁ ହେବ। ଆମ ଶିକ୍ଷା ବ୍ୟବସ୍ଥା ପରିବର୍ତ୍ତନ ହେବା ସହ ଯୁବପିଢ଼ିଙ୍କ ଆକାଙ୍କ୍ଷାକୁ ପୂରଣ କରିବ। ଉତ୍ତରାଖଣ୍ଡର ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ପାଇଁ ଡିଜିଟାଲ ଇକୋସିଷ୍ଟମ ବିକଶିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି।

ଏହି ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ହରିଦ୍ୱାରରେ ଥିବା ପତଞ୍ଜଳି ଯୋଗପୀଠରେ ଯୋଗଗୁରୁ ବାବା ରାମଦେବଙ୍କ ସହ ଆଚାର୍ଯ୍ୟ କୁଲମ ବାର୍ଷିକ ସମାରୋହରେ ଯୋଗ ଦେଇଥିଲେ। ଏହାବ୍ୟତିତ ଉତ୍ତରାଖଣ୍ଡର ଶିକ୍ଷା ମନ୍ତ୍ରୀଙ୍କ ସହ ରାନିପୁରରେ ଥିବା ହରିଦ୍ୱାର ରାଜକୀୟ ଇଣ୍ଟର କଲେଜ ପରିଦର୍ଶନ କରିବା ସହ  ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.