ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ନିର୍ବାଚନ, ଲଦାଖରେ ବିଜେପିକୁ ପଛରେ ପକାଇଲା କଂଗ୍ରେସ-ଏନସି ମେଣ୍ଟ

Published By : Prameya-News7 Bureau | October 08, 2023 IST

ନୂଆଦିଲ୍ଲୀ: ଲଦାଖ ହୋଇଥିବା ନିର୍ବାଚନରେ ବିଜେପିକୁ ପଛରେ ପକାଇଲା କଂଗ୍ରେସ-ଏନସି ମେଣ୍ଟ। ଧାରା ୩୭୦ ହଟିବା ପରେ କାରଗିଲରେ ହୋଇଥିବା ଲଦାଖ ସ୍ବାୟତ୍ତ ପାର୍ବତ୍ୟ ପରିଷଦ (LAHDC)ର ପ୍ରଥମ ନିର୍ବାଚନରେ କଂଗ୍ରେସ ଏବଂ ନାସନାଲ କନଫରେନ୍ସ ମେଣ୍ଟ ବିଜୟୀ ହୋଇଛନ୍ତି। ସୂଚନାଥାଉକି, ୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ଏଠାରେ ଏହା ପ୍ରଥମ ନିର୍ବାଚନ।

ଲଦାଖ ପରିଷଦ ନିର୍ବାଚନର ୨୬ ସିଟ୍‌ ପାଇଁ ଭୋଟ ଗଣତି ଜାରି ରହିଛି। ଅବଶ୍ୟ କଂଗ୍ରେସ ଏବଂ ନାସନାଲ କନଫରେନ୍ସ ଭାଜପାକୁ ପଛରେ ପକାଇଛନ୍ତି । ଏପର୍ଯ୍ୟନ୍ତ ଯେଉଁ ୨୨ ସିଟ୍‌ର ଘୋଷଣା ହୋଇଛି ସେଥିରେ କଂଗ୍ରେସ ୮ ଏବଂ ନାସନାଲ କନଫରେନ୍ସ ୧୧ରେ ବିଜୟୀ ହୋଇଛି । ସେହିଭଳି ବିଜେପିକୁ ୨ ଏବଂ ସ୍ବାଧୀନ ପ୍ରାର୍ଥୀଙ୍କୁ ଗୋଟିଏ ସିଟ୍‌ ମିଳିଛି।

ଆହୁରି ପଢ଼ନ୍ତୁ: ଲଦାଖର ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ଫାଇଟର ଏୟାରବେସ୍ ରୂପ ଦେଉଛି ବାୟୁ ସେନା, ବିସ୍ତାରବାଦୀ ଚୀନକୁ ମିଳିବ ମୁହଁତୋଡ ଜବାବ

ସେପଟେ ଡେମୋକ୍ରାଟିକ୍‌ ପାର୍ଟୀ (ପିଡିପି)ର ମୁଖ୍ୟ ମହବୁବା ମୁଫତୀ ଏକ ଟ୍ବିଟ୍ କରି କହିଛନ୍ତି, ‘କାରଗିଲରେ ନାସନାଲ କନଫରେନ୍ସ ଏବଂ କଂଗ୍ରେସ ଭଳି ଧର୍ମ ନିରପେକ୍ଷ ପାର୍ଟୀର ବିଜୟ ଖୁସିର କଥା।’ ସୂଚନାଥାଉକି, ପିଡିପି ଏହି ନିର୍ବାଚନ ଲଢ଼ିନଥିଲା। ପଞ୍ଚମ ଏଲଏଚଡିସି ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ତଥ୍ୟ ଅନୁଯାୟୀ କାରଗିଲ ଜିଲ୍ଲାରେ ପ୍ରାୟ ୬୫ ପ୍ରତିଶତ ମତଦାତା ମତଦାନରେ ସାମିଲ ହୋଇଥିଲେ।

ଗତ ମାସରେ ଲଦାଖ ପ୍ରଶାସନ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କାରଗିଲ୍‌ରେ ପଞ୍ଚମ ଏଲଏଚଡିସି ନିର୍ବାଚନ ପାଇଁ ନୂଆ ବିଜ୍ଞପ୍ତି ଜାରି କରିଥିଲେ। ଏହି ବିଜ୍ଞପ୍ତି ସେତେବେଳେ ଆସିଥିଲା ଯେତେବେଳେ, ସୁପ୍ରିମକୋର୍ଟ ଆଗାମୀ ନିର୍ବାଚନ ପାଇଁ ନାସନାଲ କନଫରେନ୍ସର ଦଳୀୟ ଚିହ୍ନକୁ ବଜାୟ ରଖି କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଶାସନର ପୂର୍ବ ନିର୍ବାଚନକୁ ମଧ୍ୟ ରଦ୍ଦ କରିଥିଲେ। ବିଜ୍ଞପ୍ତି ଅନୁଯାୟୀ ୩୦ ସଦସ୍ୟ ବିଶିଷ୍ଟ ଏଲଏଚଡିସିର ୨୬ ସିଟ୍‌ ପାଇଁ ଅକ୍ଟୋବର ୪ରେ ନିର୍ବାଚନ ହୋଇଥିଲା।

ଆହୁରି ପଢ଼ନ୍ତୁ: ପିଏମ୍ ମୋଦୀ ଏବଂ ଜିନ୍‌ପିଙ୍ଗଙ୍କ ମଧ୍ୟରେ ଅନୌପଚାରିକ କଥାବର୍ତ୍ତା, ଲଦାଖରେ ଉତ୍ତେଜନା ହ୍ରାସ ଉପରେ ସହମତି

ବର୍ତ୍ତମାନ ପରିଷଦର ଅଧ୍ୟକ୍ଷତା ନାସନାଲ କନଫରେନ୍ସର ଫିରୋଜ ଅହମଦ ଖାନ କରୁଛନ୍ତି। ନିର୍ବାଚନ ପୂର୍ବରୁ କଂଗ୍ରେସ ନାସନାଲ କନଫରେନ୍ସ ସହ ହାତ ମିଳାଇଥିଲା ଏବଂ ୨୨ ଆଶାୟୀଙ୍କୁ ମଇଦାନକୁ ଓହ୍ଲାଇଥିଲା। ନାସନାଲ କନଫରେନ୍ସ ୧୭ ଆଶାୟୀଙ୍କୁ ଓହ୍ଲାଇଥିଲେ। ବିଜେପି ୧୭ ଆଶାୟୀଙ୍କୁ ଓହ୍ଲାଇଥିଲା। ଆପ୍ ଚାରି ସିଟ୍‌ରେ ନିଜର ପ୍ରାର୍ଥୀଙ୍କୁ ଓହ୍ଲାଇଥିଲା। ଯେତେବେଳେକି ୨୫ ସ୍ବାଧୀନ ପାର୍ଥୀ ମଇଦାନରେ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.