ରାତି ପାହିଲେ ଦେଶ ପାଳିବ ୭୭ ତମ ସ୍ୱାଧୀନତା ଦିବସ, ପଲ୍ଲୀରୁ ଦିଲ୍ଲୀ ଉଡିବ ତ୍ରିରଙ୍ଗା
14/08/2023 at 2:45 PM

ଭୁବନେଶ୍ୱର ୧୪/୦୮: ଆଉ କିଛି ସମୟର ଅପେକ୍ଷା ଦେଶ ପାଳନ କରିବ ୭୭ ତମ ସ୍ବାଧୀନତା ଦିବସ । ଏହି ଅବସରରେ ଲାଲକିଲ୍ଲା ପ୍ରାଚୀର ଉପରୁ ତ୍ରିରଙ୍ଗା ପତାକା ଉତ୍ତୋଳନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ଦଶମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ କରିବେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ।
ଲାଲକିଲ୍ଲା ଆଖପାଖରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୧୫ଅଗଷ୍ଟରେ ଆୟୋଜିତ ସ୍ବାଧୀନତା ଦିବସ ସମାରୋହ ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର ହେବ । ଏଥର ପିଏମ୍ କିଶାନ ହିତାଧିକାରୀଙ୍କ ସମେତ ସାରା ଦେଶରୁ ୧୮ଶହ ବିଶେଷ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି । ଉତ୍ସବରେ ଦେଖିବାକୁ ମିଳିବ ଜନଭାଗିଦାରୀ । ବିଶେଷ ଅତିଥିଙ୍କ ଭିତରେ ରହିବେ ୪ଶହ ସରପଞ୍ଚ, ୨୫୦ କୃଷକ, କିଷାନ ସମ୍ମାନ ନିଧି ଯୋଜନା ଏବଂ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ୧୦୦ ଜଣ ହିତାଧିକାରୀ ।
ନୂଆ ସଂସଦ ଭବନ ଏବଂ ସେଣ୍ଟ୍ରାଲ ଭିଷ୍ଟା ପରିଯୋଜନାରେ ଥିବା ୫୦ ନିର୍ମାଣ ଶ୍ରମିକ ଏବଂ ୫୦ଜଣ ଖାଦି କାର୍ଯ୍ୟକର୍ତ୍ତା ସାମିଲ ହେବେ । ଏହା ବ୍ୟତିତ ଅତିଥି ତାଲିକାରେ ୫୦ ପ୍ରାଥମିକ ଶିକ୍ଷକ, ନର୍ସ ଏବଂ ମତ୍ସ୍ୟଜୀବୀଙ୍କ ନାଁ ରହିଛି । ଉତ୍ସବ ସ୍ଥଳରେ ୧୨ଟି ସ୍ଥାନରେ ରହିବ ସ୍ବତନ୍ତ୍ର ସେଲଫି ଷ୍ଟାଣ୍ଡ । ଯେଉଁଠାରୁ ଦର୍ଶକମାନେ ସେଲଫି ନେବା ସହ ମାଇଗଭ୍ ୱେବସାଇଟ୍ ରେ ଅପଲୋଡି କରିପାରିବେ ।