୫୦ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବେ ମଣିଷ, ଜାଣନ୍ତୁ କିଏ ସେହି ଚାରି ଜଣ ?
4/04/2023 at 9:33 AM

ନୂଆଦିଲ୍ଲୀ ୦୪।୦୪ : ୫୦ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବେ ମଣିଷ । ନାସା ପକ୍ଷରୁ କରାଯାଉଛି ମିଶନ୍ । ୨୦୨୪ ମସିହାରେ ଆର୍ଟେମିସ୍ ୨ ଚନ୍ଦ୍ରକୁ ପଠାଯିବ । ଏଥିପାଇଁ ନାସା ଚାରି ଜଣ ମହାକାଶଚାରୀଙ୍କ ନାମ ଘୋଷଣା କରିଛି । ଏଥିରେ ଜଣେ ମହିଳା ଏବଂ ତିନି ଜଣ ପୁରୁଷ ଅଛନ୍ତି ।
ନାସା ସୋମବାର ଦିନ ଚୟନ କରିଥିବା ମହାକାଶଚାରୀଙ୍କ ମଧ୍ୟରେ ତିନି ଜଣ ଆମେରିକୀୟ ଏବଂ ଜଣେ କାନାଡିୟ ଅଛନ୍ତି । ସେମାନେ ହେଉଛନ୍ତି ଆମେରିକାର ଖ୍ରୀଷ୍ଟିନା କୋଚ, ଆମେରିକୀୟ ନାଗରିକ ଭିକ୍ଟର ଗ୍ଲୋଭର, ରିଡ ୱିସମାନ ଏବଂ କାନାଡାର ଜେରେମି ହେନସନ୍ ଅଛନ୍ତି। ଏଥିମଧ୍ୟରୁ ହେନସନ୍ ଙ୍କ ବ୍ୟତୀତ ବାକି ୩ଜଣ ପୂର୍ବରୁ ମହାକାଶକୁ ଯାଇଛନ୍ତି ।
ଆସନ୍ତାବର୍ଷ ଶେଷ ସୁଦ୍ଧା ଚନ୍ଦ୍ର ଯାତ୍ରା କରିବା ପରେ ଏମାନେ ପୃଥିବୀକୁ ଫେରିବେ । ତେବେ ଏହି ଚାରି ମହାକାଶଚାରୀ ନାସାର ‘ଓରିଅନ୍ କ୍ୟାପସୁଲ୍’ରେ ଉଡିବାରେ ପ୍ରଥମ ବ୍ୟକ୍ତି ହେବେ । ଯାହାକି ୨୦୨୪ ଶେଷ ପୂର୍ବରୁ କେନେଡି ସ୍ପେସ୍ ସେଣ୍ଟରରୁ ରକେଟ୍ ସାହାଯ୍ୟରେ ଚନ୍ଦ୍ରକୁ ଯିବ। ଏହି ମହାକାଶଚାରୀମାନେ ଚନ୍ଦ୍ରର କକ୍ଷପଥକୁ ଯିବେ ନାହିଁ, ବରଂ ଚନ୍ଦ୍ରର ଚାରିପଟେ ବୁଲିବେ ଏବଂ ଏହାପରେ ସେମାନେ ପୃଥିବୀକୁ ଫେରିବେ ।
ସୂଚନା ଅନୁଯାୟୀ, ପ୍ରଥମ ବ୍ୟକ୍ତି ଭାବରେ ନିଲ ଆର୍ମଷ୍ଟ୍ରଙ୍ଗ ୧୯୪୯ ମସିହାରେ ଚନ୍ଦ୍ରରେ ରଖିଥିଲେ ପାଦ । ଏହାପରେ ‘ଆପୋଲୋ ମିଶନ’ର ୫୦ ବର୍ଷରୁ ଅଧିକ ସମୟ ପରେ ଜଣେ ମଣିଷ ଚନ୍ଦ୍ରକୁ ଯିବ । ଆପୋଲୋ ମିଶନ ସମୟରେ ନାସା ୧୯୬୮ ରୁ ୧୯୭୨ ପର୍ଯ୍ୟନ୍ତ ଚନ୍ଦ୍ରକୁ ୨୪ ଜଣ ମହାକାଶଚାରୀଙ୍କୁ ପଠାଇଥିଲେ । ପ୍ରାୟ ୫୦ ବର୍ଷ ପରେ ଆମେରିକା ପୁଣି ଥରେ ମଣିଷକୁ ଚନ୍ଦ୍ରକୁ ପଠାଇବାକୁ ଯାଉଛି ।