କରୋନା ପାଇଁ ହୋଲି ଫିକା : ଏବର୍ଷ ହୋଲି ପାଳିବେନି ନରେନ୍ଦ୍ର ମୋଦି,ଅମିତ ଶାହ ଏବଂ ଜେପି ନଡ୍ଡା

Published By : Prameya-News7 Bureau | March 04, 2020 IST

ନୂଆଦିଲ୍ଲୀ ୪/୩: ଭାରତରେ କରୋନା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଅମିତ ଶାହ ଏବଂ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ଏବର୍ଷ ସେମାନେ କୌଣସି ହୋଲି ମିଳନ ସମାରୋହରେ ସାମିଲ ହେବେ ନାହିଁ। ପ୍ରଧାନମନ୍ତ୍ରୀ ମୋଦି ବୁଧବାର କହିଛନ୍ତି ଯେ କରୋନା ଭାଇରସକୁ ରୋକିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶକୁ ଧ୍ୟାନରେ ରଖି ସେ ଏଥର କୌଣସି ହୋଲି ମିଳନ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ।

ପ୍ରଧାନମନ୍ତ୍ରୀ ନିଜ ଟ୍ବିଟରେ କହିଛନ୍ତି,‘ଦେଶବ୍ୟାପି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ ନୋବେଲ୍ କରୋନା ଭାଇରସ କୋଭିଡ-୧୯ ବ୍ୟାପିବାକୁ ରୋକିବା ପାଇଁ ସାମୂହିକ କାର୍ଯ୍ୟକ୍ରମକୁ କମ୍ କରିବା ଉଚିତ୍। ଏଥିପାଇଁ ସେ କୌଣସି ଧରଣର ହୋଲି ମିଳନ କାର୍ଯ୍ୟକ୍ରମରେ ଯୋଗ ନ ନେବାକୁ ନିଷ୍ପତ୍ତି ନେଇଛନ୍ତି।’

ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ‘ପୂରା ବିଶ୍ବରେ ଏବେ କରୋନା ଭାଇରସର ଆତଙ୍କ ଖେଳିଯାଇଛି। ଦେଶ ଏବଂ ଡାକ୍ତରମାନେ ଏହାକୁ ମିଳିତ ଭାବେ ରୋକିବା ପାଇଁ ପ୍ରୟାସ କରୁଛନ୍ତି। ଏହାକୁ ଧ୍ୟାନରେ ରଖି ଏବର୍ଷ ସେ ହୋଲି ପାଳନ କରିବେ ନାହିଁ କି ହୋଲି ମିଳନର ଆୟୋଜନ ମଧ୍ୟ କରିବେ ନାହିଁ। ସୁରକ୍ଷିତ ରୁହନ୍ତୁ,ସୁସ୍ଥ ରୁହନ୍ତୁ।’

ଅମିତ ଶାହ କହିଛନ୍ତି ଯେ‘ ଆମ ଭାରତୀୟଙ୍କ ପାଇଁ ହୋଲି ଏକ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ପର୍ବ କିନ୍ତୁ କରୋନା ଭାଇରସକୁ ଆଖି ଆଗରେ ରଖି ସେ ଏବର୍ଷ କୌଣସି ପ୍ରକାର ହୋଲି ମିଳନ ସମାରୋହରେ ଭାଗ ନ ନେବାର ନିଷ୍ପତ୍ତି ନେଇଛନ୍ତି। ସେ ସମସ୍ତଙ୍କୁ ସାର୍ବଜନିକ ସମାରୋହକୁ ନ ଯିବାକୁ ଏବଂ ନିଜ ପରିବାରକୁ ଭଲଭାବେ ଦେଖାଶୁଣା କରିବାକୁ ଅପିଲ କରିଛନ୍ତି’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.